ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ଵିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁନ୍ଦରଗଡ଼:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁନ୍ଦରଗଡ଼ ଏଡିବି କଲୋନିସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଭିଜିଲାନ୍ସ ଟିମ୍ ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତିର ଆକଳନ କରୁଛି । ପୂର୍ବରୁ ତାଙ୍କ ନାମରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ଥିଲା । ଆୟ ଵହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ଆଜି ଭୋର ୪ଟାରୁ ଆରମ୍ଭ କରିଛନ୍ତି ଚଢାଉ।

ଭିଜିଲାନ୍ସ ଡିଏସ୍ପିଙ୍କ ସୂଚନା ଅନୁସାରେ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ସୁନ୍ଦରଗଡ଼ ଏଡିବି କଲୋନି ଘର, ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଦେବଗଡ଼ର କେନ୍ଦୁଘାଟସ୍ଥିତ ଫାର୍ମ ହାଉସ, ଦେବଗଡ଼ର ତାବଡ଼ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନସ୍ଥିତ ଶଶୁର ଘର, ଦେବଗଡ଼ ଟାଉନସ୍ଥିତ ତାଙ୍କ ଭାଇଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ । ୪୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସର ୬ଟି ସ୍ୱତନ୍ତ୍ର ଟିମ ଏହି ଚଢ଼ାଉ ଜାରି ରଖିଛି । ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କର ସମ୍ବଲପୁରରେ ଜମି, ଭୁବନେଶ୍ୱର ଜଟଣୀରେ ଜମି ସହ ଦେବଗଡ଼ ଜିଲାରେ ପୁଅ ନାଁରେ ମଧ୍ୟ ଜମି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର