ରାଉରକେଲା: ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଏଥିରେ ଅତିଷ୍ଠ ହୋଇ ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଗ୍ରାମବାସୀ ପିଟିଥିବାର ଖବର ମିଳିଛି।ବଣାଇ ବନଖଣ୍ଡ ଅନ୍ତର୍ଗତ ଡେଙ୍ଗେଇଢିପା ଗାଁ ଲୋକଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଥିବାର ସୂଚନା ରହିଛି।
ଫୁଣି ଫେରିଲେ ଗୋଠ ଛଡା ଦୁଇଟି ଦନ୍ତା। ଦୀର୍ଘ ଦେଢ଼ ମାସ ହେବ ହାତୀ ଦୁଇଟି ବଣାଇ ରେଞ୍ଜର ତଳିତା, ନୂଆଡ଼ିହି, କୁରଡ଼ା, ସାତ କୁଟା, କଂସର ଘୁଷୁରା, ବେଲଡ଼ିହିର ପ୍ରାୟ ୩୦ରୁ ୪୦ଟି ଘର ଭାଙ୍ଗି ଦେଇଛି। ଗତକାଲି ରାତିରେ ଘର ଭାଙ୍ଗୁଥିବା ଚାରି ହାତୀକୁ ବନ କର୍ମଚାରୀ ଘଉଡ଼ାଇଥିଲେ। ହାତୀ ନଯିବା ଯୋଗୁ ଅଂଚଳବାସୀ ଅତିଷ୍ଠ ହୋଇ ପଡିଥିଲେ। ବନ ବିଭାଗର ଅଧିକାରୀ ହାତୀକୁ ଅନ୍ୟତ୍ର ନେବାକୁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କାହିଁକି ଦୁଇଟି ହାତୀକୁ ଟ୍ରାଙ୍କୁଳାଇଜାର କରି ଅନ୍ୟତ୍ର ନେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।
ଗତକାଲି ବନ କର୍ମଚାରୀମାନେ ହାତୀ ଘଉଡ଼ାଉଥିବା ବେଳେ ଗ୍ରାମବାସୀ ସଂଘବଦ୍ଧ ଆକ୍ରମଣ କରିଥିଲେ।ଏଥିରେ ୫ ଜଣ ବନକର୍ମ ଚାରି ଆହତ ହୋଇଥିଲେ। ହାତୀ ଘଉଡ଼ାଇବାରେ ବ୍ୟବହୃତ ସାମଗ୍ରୀକୁ ଛଡାଇ ନେଇଛନ୍ତି। ହାତୀକୁ ସ୍ଥାନ ତରିତକୁ ନେଇ ଡ଼ିଏଫଓ ଅଫିସ ମଧ୍ୟ ଘେରାଉ କରିଥିଲେ। ଦନ୍ତା ହାତୀ ଏ ଅଂଚଳରୁ ନ ହଟିଲେ ରାଜରାସ୍ତା ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ବଣାଇ ରେଞ୍ଜର ମନୋଜ ପାତ୍ର କହିଛନ୍ତି, ଆମେ ହାତୀକୁ ରାତିରେ ଘଉଡ଼ାଉଛୁ। କ୍ଷତିପୂରଣ ଦିଆଯିବ। ଟ୍ରାଙ୍କୁଲାଇଜ଼ଏର ଆମ ହାତରେ ନାହିଁ ବୋଲି କହିଥିଲେ।
ସୂଚନାଯୋଗ୍ୟ, ବଣାଇ ବନଖଣ୍ଡ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଲଗାତାର ଜାରି ରହୁଛି। ଏହା ଭିତରେ ଯାଉଥିବା ଓ ବ୍ୟାପକ ଖଣି ଥିବା କୋଇଡା ରେଞ୍ଜରେ ସ୍ଥିତି ଭାରି ସାଂଘାତିକ। ଏଠାରେ ଜଙ୍ଗଲ ସୃଷ୍ଟି କରିବାକୁ ବନବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଚାରାରୋପଣ କରାଯାଉଥିବା କାଗଜପତ୍ରରେ ଦର୍ଶାଯାଉଛି। ଖଣି ଅଞ୍ଚଳରେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ହିସାବ ଅନୁସାରେ ଚାରା ରୋପଣ ତ ହେଉନାହିଁ, ପୁଣି ଖଣି ଓ ଶିଳ୍ପ ମାଲିକମାନଙ୍କର ଅବାଧ ଗଛକଟା ଓ ବେଆଇନ ଖଣି ଖନନ ମଧ୍ୟ ଚାଲିଛି। ଯାହାକୁ ରୋକିବାଲାଗି ବନ ବିଭାଗ ବା ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ଜଙ୍ଗଲ ଓ ଜଙ୍ଗଲ ଭୂଇଁ କମିବାରୁ ହାତୀଙ୍କ ରହିବାସ୍ଥଳ ନଷ୍ଟ ହେଉଛି। ସେମାନଙ୍କ ଚଲାପଥରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ଆବଶ୍ୟକ ଖାଦ୍ୟ, ପାଣି ମିଳୁ ନଥିବାରୁ ହାତୀପଲ ସର୍ବଦା ବସ୍ତିମୁହାଁ ହେଉଛନ୍ତି। ବନବିଭାଗ ପକ୍ଷରୁ ଯେତେ ଘଉଡ଼ାଇକୁ ଯେତେ ପ୍ରୟାସ କରାଯାଉଥିଲେ ହେଁ ତାହା ବିଫଳ ହେଉଛି।