କୋଇଡ଼ାରେ ଭିଟିଏସ୍‌ ଫେଲ୍‌: ୧୩ ହଜାର ଗାଡ଼ି ଠିଆ

ଡିଡିଏମ୍‌ ଅଫିସ୍‌ ଘେରିଲେ ମାଲିକ

କୋଇଡ଼ା: ଖଣିଜ ଚୋରି ରୋକିବା ଲକ୍ଷ୍ୟରେ ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌ (ଜିପିଏସ୍‌)ରେ ପରିବହନ ଗାଡ଼ିଗୁଡ଼ିକର ଗତିବିଧି ଠାବ ନିମନ୍ତେ ରାଜ୍ୟ ସରକାର ଭେହିକିଲ୍‌ ଟ୍ରାକିଂ ସିଷ୍ଟମ୍‌ ( ଭିଟିଏସ୍‌) ବାଧ୍ୟତାମୂଳକ କରିଛନ୍ତି। ଭିଟିଏସ୍‌ ନଥିଲେ ସମ୍ପୃକ୍ତ ଗାଡ଼ିକୁ ଖଣିଜ ବୋଝେଇ ଅନୁମତି ମିଳିବ ନାହିଁ। ତେଣୁ ମାଲିକମାନେ ଗାଡ଼ିପିଛା ୧୫ ହଜାର ଟଙ୍କା ଖର୍ଚ କରି ଭିଟିଏସ୍‌ ଖଞ୍ଜିଛନ୍ତି। ମାତ୍ର ଏହି କମ୍ପ୍ୟୁଟରୀକରଣ ବ୍ୟବସ୍ଥାରେ ବିଭ୍ରାଟ ହୋଇଥିବାରୁ କୋଇଡ଼ା ଖଣି ଅଞ୍ଚଳରେ ପ୍ରାୟ ୧୩ ହଜାର ଗାଡ଼ି ଖଣିଜ ବୋଝେଇରୁ ବଞ୍ଚିତ ହୋଇ ୩ ଦିନ ଧରି ଠିଆ ରହିଛନ୍ତି। ଏହାର ପ୍ରତିବାଦରେ ଟ୍ରକ ଓ ଟିପ୍ପର ମାଲିକମାନେ କୋଇଡ଼ା ଖଣି ଉପନିର୍ଦେଶକ (ଡିଡିଏମ୍‌)ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭିଟିଏସ୍‌ ହଟାଇବା ପାଇଁ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଭିଟିଏସ୍‌ ଖଚିତ ଖଣିଜ ବୋଝେଇ ଗାଡ଼ି ଖଣିରୁ ବାହାରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଯାଏ ତାହାର ଚିତ୍ର ସ୍ଥାନୀୟ ଖଣି କାର୍ଯ୍ୟାଳୟରୁ ଆରମ୍ଭ କରି ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟରରେ ଦେଖାଯିବ। ଫଳରେ ଖଣିଜ ଚୋରିର ଆଶଙ୍କା ରହିବ ନାହିଁ। ପ୍ରବର୍ତ୍ତିତ ନୂଆ ପ୍ରଯୁକ୍ତି କୌଶଳ ଅନୁଯାୟୀ ଖଣି ଅଞ୍ଚଳରେ ପହଞ୍ଚିଥିବା ଟ୍ରକ୍‌ ବା ଟିପ୍ପରର ନମ୍ବର ସ୍ଥାନୀୟ ଖଣି କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟରରେ ଦେଖାଯିବ। ଅର୍ଥାତ ନିର୍ଦ୍ଦିଷ୍ଟ ଗାଡ଼ିର ସୂଚନା ଦୃଶ୍ୟମାନ ନ ହେବା ଯାଏ ସମ୍ପୃକ୍ତ ଗାଡ଼ିକୁ ବୋଝେଇ ଅନୁମତି ମିଳିବ ନାହିଁ। କୋଇଡ଼ା ଡିଡିଏମ୍‌ ଅଫିସ୍‌ରେ ଥିବା କମ୍ପ୍ୟୁଟରରେ ବିଭ୍ରାଟ ହୋଇଥିବାରୁ ଖଣି ଅଞ୍ଚଳରେ ହଜାର ହଜାର ଟ୍ରକ୍‌ ପଡ଼ି ରହିଥିଲେ ମଧ୍ୟ ସେଗୁଡ଼ିକର ବିବରଣୀ ଦୃଶ୍ୟମାନ ହେଉନାହିଁ। ପରିଣାମସ୍ୱରୂପ କର୍ତ୍ତୃପକ୍ଷ ଖଣିଜ ବୋଝେଇ ପାଇଁ ଅନୁମତି ଦେଇପାରୁ ନାହାନ୍ତି। ଫଳରେ ତିନି ଦିନ ଧରି ଟ୍ରକ୍‌ଗୁଡ଼ିକ ସେମିତି ଠିଆହୋଇ ରହିଛନ୍ତି। ଭିଟିଏସ୍‌ ବାଧ୍ୟତାମୂଳକ ହେବାରୁ ଗାଡ଼ି ମାଲିକମାନେ ଟ୍ରକ୍‌ ପିଛା ୧୨ ହଜାର ଟଙ୍କା ଖର୍ଚ କରି ସଫ୍ଟେଓ୍ଵର୍‌ ଚିପ୍‌ସ ଲଗାଇଲେ। ପୁଣି ନବୀକରଣ ବାବଦରେ ଗଣିଲେ ଆଉ ୩ ହଜାର ଟଙ୍କା। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଏହି ସଫ୍ଟେଓ୍ଵର୍‌ ଚିପ୍‌ସ ମୂଲ୍ୟ ପାଖାପାଖି ୩ ଗୁଣ ଅଧିକ। ଏହା ସତ୍ତ୍ୱେ ଗାଡ଼ି ବୋଝଇ ପାଇଁ ସେମାନେ ଅନ୍ୟ ଉପାୟ ନପାଇ ଏ ବାବଦରେ ଅଧିକ ବ୍ୟୟ କରିଛନ୍ତି। ହେଲେ କମ୍ପ୍ୟୁଟର୍‌ ବିଭ୍ରାଟ ଯୋଗୁଁ ଡ୍ରାଇଭର,ହେଲପର୍‌ମାନେ ଭୋକ-ଉପାସରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି। ତିନି ଦିନ ଧରି ଲାଗି ରହିଥିବା ଏହି ବିଭ୍ରାଟକୁ ଦୂର କରିବା ପାଇଁ ଉଦ୍ୟମ କରିବା ବଦଳରେ ଖଣି ନିର୍ଦ୍ଦେଶାଳୟ ଚୁପ୍‌ ରହିଥିବାରୁ ଖଣିଜ ପରିବହନ ଅଚଳ ହୋଇପଡ଼ିଛି। ଏହାର କୁପ୍ରଭାବ ଖଣି ଅଞ୍ଚଳରୁ ଆରମ୍ଭ କରି ଇସ୍ପାତ କାରଖାନା ପର୍ଯ୍ୟନ୍ତ ପଡୁଛି। ଭିଟିଏସ୍‌ ଫେଲ୍‌ ଯୋଗୁଁ ପୂର୍ବ ପଦ୍ଧତିରେ ମାଲ ପରିବହନ ପାଇଁ ଅନୁମତି ଦେବାକୁ ଟ୍ରକ ଓ ଟିପର ମାଲିକମାନେ ନିବେଦନ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କୋଇଡ଼ା ଖଣି ଉପ ନିର୍ଦେଶକ ସଲିଳ କୁମାର ବେହେରାଙ୍କୁ ଏ ସମ୍ପର୍କରେ ପଚରା ଯିବାରେ ତ୍ରୁଟି ଧୀରେ ଧୀରେ ସୁଧୁରିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର