ରାଉରକେଲା/ନୂଆଗାଁ: ସ୍ବାଧୀନତାର ୭୭ ବର୍ଷ ପରେ ବି ଅପହଞ୍ଚ ମୌଳିକ ସୁବିଧା। ଯେଉଁଠି ଶୋଷ ମେଣ୍ଟାଇବା ପାଇଁ ପାଣି ଟୋପାଏ ଆଣିବାକୁ ନିଜ ରାଜ୍ୟ ଛାଡ଼ି ଯିବାକୁ ପଡ଼ୁଛି ପଡୋଶୀ ଝାଡ଼ଖଣ୍ଡ ରାଜ୍ୟକୁ। ଦିନରେ ପାଣି ନେବାକୁ ଗଲେ ସେଠାକାର ଯୁବକମାନେ ମାଡ଼ ମାରି ତଡ଼ି ଦେଉଥିବାରୁ ଭୋର ୪ଟାରୁ ପାଣି ଚୋରିକରି ଆଣିବାକୁ ବାଧ୍ୟ ହୋଇଥାନ୍ତି ଓଡ଼ିଶାର ଏହି ସୀମାନ୍ତବର୍ତ୍ତୀ ଗାଁ ଲୋକେ। ହେଲେ ଏହି ପାଣି ଆଣିବା କାମ ବି ଏତେ ସହଜ ନଥାଏ। ସିନ୍ଦୁରା ଫାଟିବା ପୂର୍ବରୁ ନିଛାଟିଆ ଅନ୍ଧାର ରାତିରେ ହାତରେ ଗରା, ବାଲ୍‌ତି ଓ ଡେକ୍‌ଚି ଧରି ଝାଡ଼ଖଣ୍ଡ ସୀମାଡେଗା ଜିଲ୍ଲା ହୃଦା ଗାଁରେ ଥିବା ନଳକୂପରେ ପହଞ୍ଚନ୍ତି। ଝାଡ଼ଖଣ୍ଡ ଲୋକ ବିଛଣାରୁ ଉଠିବା ପୂର୍ବରୁ ଚୁପ୍‌ଚାପ୍‌ ନଳକୂପରୂ ପାଣି ଭରି ପୁଣି ନିଜ ବସ୍ତିକୁ ଫେରିଆସନ୍ତି। ବର୍ଷବର୍ଷ ଧରି ଏଭଳି ଦୟନୀୟ ଜୀବନ ଅତିବାହିତ କରୁଥିବା ବସ୍ତିବାସିନ୍ଦାଙ୍କ ଦୁଃଖ କିନ୍ତୁ କେବେ ସ୍ଥାନୀୟ ପ୍ରଶାସନ ଆଖିରେ ପଡ଼ି ନାହିଁ। ଏମିତି ଅଭିଶପ୍ତ ବସ୍ତି ରହିଛି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚିତାପେଡ଼ି ପଞ୍ଚାୟତର ପାନିଆସାଲ୍‌ ଗାଁ’ରେ। ଏହି ଗାଁର ଓରାମବସ୍ତିରେ ୧୫୦ରୁ ଅଧିକ ଲୋକ ବାସ କରନ୍ତି।

Advertisment

publive-image

ବସ୍ତିବାସିନ୍ଦାଙ୍କ ପ୍ରମୁଖ ସମସ୍ୟା ହେଲା ପାନୀୟ ଜଳ। ବହୁଦିନର ଦାବି ପରେ ପଞ୍ଚାୟତ ପକ୍ଷରୁ ଏକ ନଳକୂପ ବସିଥିଲା।। ତାହା ଏବେ ଅଚଳ ହୋଇପଡ଼ିଛି। କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ କିଛି ପରିବାର ବସ୍ତି ନିକଟ ପାହାଡ଼ ପାଦଦେଶ ଜଙ୍ଗଲି ନାଳରେ ଚୁଆଁ (ବାଲି କୂପ) ଖୋଳି ସେଥିରୁ ପାଣି ସଂଗ୍ରହ କରୁଛନ୍ତି। ଚୁଆଁରେ ପାଣି ସରିଗଲେ ମାଡ଼ ଭୟରେ ପଡୋଶୀ ଝାଡ଼ଖଣ୍ଡର ଗ୍ରାମକୁ ନଯାଇ କିଛି ପରିବାର ପାହାଡ ଚଢ଼ି ଅନ୍ୟ ଗ୍ରାମକୁ ପାଣି ଆଣିବାକୁ ଯାଉଛନ୍ତି। ବିକଳ୍ପ ବ୍ୟବସ୍ଥା ନଥିବାରୁ କିନ୍ତୁ ଅଧିକାଂଶ ପରିବାର ସୀମା ଆରପଟେ ଥିବା ଝାଡଖଣ୍ଡର ଗାଁ’କୁ ଯିବାକୁ ବାଧ୍ୟ ହେଉଛନ୍ତି। ଖରାଦିନେ ଏହି ବସ୍ତିରେ ଜଳ ସଙ୍କଟ ଯୋଗୁଁ ଜୀବନଧାରଣ ସଙ୍ଗିନ ହୋଇପଡ଼େ। ବସ୍ତିରେ କେବଳ ପାନୀୟ ଜଳ ସମସ୍ୟା ନୁହେଁ, ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ଥରେ ବଜୁଳି କଟିଗଲେ, ୩/୪ ମାସ ପରେ ଆସେ। ପାହାଡ ଜଙ୍ଗଲଘେରା ଅଞ୍ଚଳ ହୋଇଥିବାରୁ ହାତୀ ଭୟରେ ସଂଧ୍ୟା ହେଲେ ଲୋକେ ଘରୁ ବାହାରନ୍ତି ନାହିଁ। କେବଳ ଏହି ଗୋଟିଏ ବସ୍ତି ନୁହେଁ, ନୂଆଗାଁର ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଗଡ଼ବୁରୁ, ଆରାଆଁସ, ପିତଲ ଆଦି ବହୁ ଗାଁର ଅନେକ ବସ୍ତିରେ ଶହଶହ ପରିବାର ବର୍ଷବର୍ଷ ଧରି ଯାବତୀୟ ସମସ୍ୟା ଭୋଗି ଆସୁଛନ୍ତି।

ସେଥି ମଧ୍ୟରୁପାନୀୟ ଜଳର ଅଭାବ ସବୁଠୁ ସମସ୍ୟା। ସରକାର, ସରକାରୀ ଯୋଜନା ଓ ସୁବିଧାସୁଯୋଗ ଏମାନଙ୍କଠାରୁ ବହୁ ଦୂରରେ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଓ ବ୍ଲକର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି ଫଳ ଶୂନ। ଅନ୍ୟପଟେ ୫ ବର୍ଷର ଥରେ ଭୋଟ ଆସିଲେ ରାଜନୈତିକ ଦଳର ନେତାମାନଙ୍କର ଏସବୁ ବସ୍ତିରେ ପାଦ ପଡ଼େ। ମୌଳିକ ସମସ୍ୟା ଦୂର କରିବାକୁ ସମସ୍ତେ ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ସରିବା ପରେ ସୀମାନ୍ତର ଏହି ଗାଁ ଲୋକମାନେ ପୁଣି ସେମାନଙ୍କ ପାଇଁ ଅଲୋଡ଼ା ଓ ଅବାଞ୍ଛିତ ହୋଇ ପଡ଼ନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଏସବୁ ବସ୍ତିର ସମସ୍ୟା ସମ୍ପର୍କରେ ନୂଆଗାଁ ବ୍ଳକର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରେନ୍ଦ୍ର ସରଙ୍କୁ ପଚାରିବାରୁ ସେ କହିଛନ୍ତି ଏମିତି ସମସ୍ୟା ଆମ ନଜରରେ ରହିଛି। ଖୁବ୍‌ଶୀଘ୍ର ସମାଧାନ କରିବାକୁ ପ୍ରୟାସ କରୁଛୁ।