ରାଉରକେଲା: ଉପରମୁଣ୍ଡ ଝାରଖଣ୍ଡରେ ବର୍ଷା ଲାଗି ରହିଥିବାରୁ ବ୍ରାହ୍ମଣୀ ଓ ଶଙ୍ଖ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହି କାରଣରୁ ମନ୍ଦିରା ଡ୍ୟାମର ୧୧ଟି ଗେଟ୍‌ ‌ଖୋଲାଯିବା ପରେ ରାଉରକେଲା ସହରତଳି ଅଞ୍ଚଳର ଅବସ୍ଥା ବିଗିଡିଛି। ଶନିବାର ବିଳମ୍ବିତ ରାତିରେ ପାନପୋଷ ବାଲୁଘାଟ ଭିତରକୁ ବ୍ରାହ୍ମଣୀ ପାଣି ପଶିବା ଆରମ୍ଭ ହୋଇଥିଲା। ବାଲୁଘାଟର ନୂଆବସ୍ତି, ପଲ୍‌ପଲ୍‌ ବସ୍ତି ଓ ସର୍ଦ୍ଦାର ବସ୍ତିର କିଛିଘରେ ପାଣି ପଶିଥିଲା। ରାତିରେ ବ୍ରାହ୍ମଣୀନଦୀର ଜଳସ୍ତର ବଢ଼ିଲେ ଆହୁରି ଅଧିକ ଘରେ ପାଣି ପଶିବାର ଆଶଂକା ରହିଛି। ଶନିବାର ରାତିରେ ପାଣିପଶିବା ପରେ ବସ୍ତିବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଘର ଭିତରକୁ ପାଣି ପଶିଯିବା ଭୟରେ କିଛି ପରିବାର ରାତି ଅନିଦ୍ରା ରହିଥିଲେ। ନୂଆବସ୍ତି, ଓ ପଲ୍‌ପଲ୍‌ ବସ୍ତିର କିଛି ଘରେ ପାଣି ପଶିବା ପରେ ପଡୋଶୀମାନେ ଆସବାବପତ୍ରଗୁଡ଼ିକୁ ଉପରବସ୍ତିରେ ଥିବା ସମ୍ପର୍କୀୟଙ୍କ ଘରକୁ ବୋହି ନେଇଥିଲେ। ନଦୀ ଜଳସ୍ତର କମୁ ନଥିବାରୁ କୁମ୍ଭାରପଡ଼ା, ତଳବସ୍ତି, ହଠାତ୍‌ କଲୋନି, ଉପରବସ୍ତି ଏମିତି ଅନେକ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଛନକା ପଶିଛି। ତିନିବସ୍ତିରେ ପାଣି ପଶିବା

Advertisment

ଖବରପାଇ ରାଉର‌କେଲା ମହାନଗର ନିଗମ (ଅର୍‌ଏମ୍‌ସି)ର ଅଧିକାରୀ, ବିଜେପିର ସୂର୍ଯ୍ୟକାନ୍ତ ମହାନ୍ତି ଓ ଅନ୍ୟମାନେ ପହଞ୍ଚି ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ରାତିରେ ପାଣି ପଶିଲେ କ୍ଷତିଗ୍ରସ୍ତ ପରିବାରକୁ ନିକଟସ୍ଥ ବିଦ୍ୟାଳୟରେ ରହିବାକୁ କୁହାଯାଇଛି। ଏଥିପାଇଁ ବାଲୁଘାଟର ସରକାରୀ ବିଦ୍ୟାଳୟକୁ ଖୋଲା ରଖାଯାଇଛି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି। ଗତ ୪୦ ବର୍ଷଧରି ବାଲୁଘାଟର ୧୧ ବସ୍ତିର ପ୍ରାୟ ୧୫୦୦ ପରିବାର ବର୍ଷା ଋତୁରେ ଏଭଳି ସମସ୍ୟାରେ ସମ୍ମୁଖୀନ ହୋଇ ଆସୁଛନ୍ତି। ପ୍ରତିଥର ଜିଲ୍ଲା ପ୍ରଶାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛି। ହେଲେ ପାଣି ଛାଡ଼ିଯିବା ପରେ ବସ୍ତିା ସମସ୍ୟାକୁ ପ୍ରଶାସନ ଭୁଲି ଯାଉଛି। ବିଜେଡି ସରକାର ସମୟରେ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ନଦୀବନ୍ଧ ଯୋଜନା କରାଯାଇଥିଲା। ପ୍ରକଳ୍ପର ଡିପିଆର୍‌ ମଧ୍ୟ ପ୍ରସ୍ତୁତ କରି ସରକାରଙ୍କୁ ପଠାଯାଇଥିଲା। ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ସରକାର ବଦଳିବା ପରେ ନୂଆ ବିଜେପି ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟିଦେବେ ବୋଲି ବସ୍ତିବାସିନ୍ଦା ଭରସା କରିଛନ୍ତି।