ତଳକୁ ତଳ ଖସୁଛି ସୁନ୍ଦରଗଡ଼ ଜଳସ୍ତର; ମିଳିବନି ପିଇବା ପାଣି!

ରାଉରକେଲା: ସତୁରି ଦଶକରେ ରାଉରକେଲାକୁ ଛାଡ଼ି ଦେଲେ ସୁନ୍ଦରଗଡ଼ ଜିଲ୍ଲାରେ ନଳକୂପ ନଥିଲା। ଲୋକେ ନଦୀ, ପୋଖରୀ ଓ କୂଅ ପାଣି ଉପରେ ନିର୍ଭର କରି ଚଳୁଥିଲେ। ୫୦ ବର୍ଷ ପରେ ସୁନ୍ଦରଗଡ଼ର ଚିତ୍ର ସମ୍ପୂର୍ଣ୍ଣ ଓଲଟି ଯାଇଛି। ଏହି ଜଳଉତ୍ସ ଗୁଡ଼ିକ ଏବେ ଅକାମୀ ହୋଇ ଯାଇଥିବା ବେଳେ ଅତ୍ୟାଧୁନିକ ନଳକୂପ ଗୁଡ଼ିକ ମଧ୍ୟ କାମରେ ଆସୁନି। ଭୂତଳ ଜଳସ୍ତର ନିମ୍ନଗାମୀ ହେବା ଏହାର ପ୍ରମୁଖ କାରଣ। ଭୂତଳ ଜଳସ୍ତର ଯେପରି ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିବର୍ଷ ପାନୀୟ ଜଳ ସମସ୍ୟା ଦେଖାଦିଏ। ଜିଲ୍ଲାରେ ୪ଟି ବଡ଼ ନଦୀ ରହିଥିଲେ ବି ଲୋକଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମିଳେ ନାହିଁ। ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଗତ ୧୨ ବର୍ଷ ପୂର୍ବର ସବୁ ନଳକୂଳ ଅଚଳ ହୋଇଗଲାଣି। ୫୦ ବର୍ଷ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲାର ପାହାଡ଼ିଆ ସ୍ଥାନକୁ ଛାଡ଼ି ସମତଳ ଅଞ୍ଚଳରେ ୫୦ ଫୁଟ୍‌ ଗଭୀରରେ ପାଣି ମିଳୁଥିଲା। ଏବେ ୨୫୦ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ନ ଖୋଳିଲେ ପାଣି ମିଳୁନାହିଁ। ପୂର୍ବରୁ ପ୍ରତି ଗାଁରେ କୂଅ ଥିଲା। ଲୋକମାନେ କୂପ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ। ଏବେ ଅଧିକା˚ଶ କୂଅ ଅଚଳ। ବର୍ଷା ଦିନକୁ ଛାଡ଼ି ଦେଲେ ଅନ୍ୟ ସମୟରେ ପାଣି ରହୁନାହିଁ। ପୋଖରୀ ଅବସ୍ଥା ଅନୁରୂପ। ଲୋକମାନେ ସବୁ ସମୟରେ ପୋଖରୀ ଉପରେ ନିର୍ଭର କରି ପାରୁନାହାନ୍ତି। କାରଣ ବର୍ଷା ପରେ ମାସେ ଦୁଇ ମାସ ମଧୢରେ ପୋଖରୀ ଶୁଖି ଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ କ୍ରମାଗତ ଜ˚ଗଲ ହ୍ରାସ, ଖଣି ଖନନ ଓ ଶିଳ୍ପ ସ˚ସ୍ଥା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବୃକ୍ଷ ପାଣି ଟାଣି ରଖେ। ଜ˚ଗଲ ହ୍ରାସ ପାଉଥିବାରୁ ଜଳ ନିମ୍ନଗାମୀ ହେଉଛି। ଖଣି ଓ କାରଖାନାରେ ଗଭୀର ନଳକୂପ ଖୋଳି ପାଣିକୁ ଟାଣି ନିଆଯାଉଥିବାରୁ ଆଖପାଖ ଅଞ୍ଚଳରେ ଛୋଟ ଛୋଟ ନଳକୂପ ଅଚଳ ହୋଇଯାଇଛି। ଗତ ୨୦୦୨ରୁ ୨୦୨୦ ମଧୢରେ ଜିଲ୍ଲାରେ ୬ ହଜାରରୁ ଅଧିକ ନଳକୂପ ଅଚଳ ହୋଇଯାଇଛି। ଏହାର ପ୍ରମୁଖ କାରଣ ଥିଲା ବିଭିନ୍ନ କଳ କାରଖାନା ଓ ଜଙ୍ଗଲ କ୍ଷୟ। ଜିଲ୍ଲାରେ ବିଭିନ୍ନ କାରଖାନାରେ ଶହ ଶହ ଗଭୀର ନଳକୂପ ଖୋଳା ହେବାରୁ ଆଖପାଖ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଝାଡ଼ଖଣ୍ତ ଓ ଛତିଶଗଡରେ ନଦୀ ବନ୍ଧ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଦେଇ ପ୍ରବାହିତ ନଦୀ ଗୁଡ଼ିକରେ ପୂର୍ବ ଭଳି ପାଣି ରହୁନି। ଖରାଦିନେ ନଦୀ ଗୁଡ଼ିକ ସମ୍ପୂର୍ଣ୍ଣ ଶୁଖିଯାଉଛି। ନଦୀରୁ ଶିଳ୍ପ ସ˚ସ୍ଥା ପାଣି ଉଠାଇ ନେଉଥିବାରୁ ଚାଷୀ ରବି ଚାଷ କରି ପାରୁନାହାନ୍ତି। ତିନି ବର୍ଷ ପୂର୍ବେ ଇସ୍ପାତ ସହରରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଥିଲା। ଜିଲ୍ଲାରେ ଜଳ ସଙ୍କଟ ଦୂର କରିବା ପାଇଁ ହେଲେ ବର୍ଷା ଜଳ ସ˚ରକ୍ଷଣ ଓ ବ୍ୟାପକ ବୃକ୍ଷରୋପଣ ଜରୁରି ବୋଲି ମତ ପ୍ରକାଶ ପାଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।

ସମ୍ବନ୍ଧିତ ଖବର