ରାଉରକେଲା/ସାରନଗରୀ: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଓ ଗୁରୁଣ୍ଡିଆ ବ୍ଲକ୍ ସୀମାନ୍ତ ପାହାଡ଼ ଉପର ଗାଁ। ସ୍ବାଧୀନତା ପରଠୁ ଏଠି ବିକାଶର ପାଦ ଚିହ୍ନ ପଡ଼ିନି। ସରକାରଙ୍କ ସମସ୍ତ ଯୋଜନା ଏଠି ବାଟ ହୁଡିଛି। ମୌଳିକ ସୁବିଧା ରାସ୍ତା, ଆଲୁକ ଓ ପାଣି ଏମାନଙ୍କ ପାଇଁ ସାତସପନ ପାଲଟିଛି। ପ୍ରତି ୫ ବର୍ଷରେ ଥରେ ନେତାମାନେ ଭୋଟଭିକ୍ଷା କରିବାକୁ ଆସନ୍ତି। ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି। ହେଲେ ଏମାନଙ୍କ ଦୁଃଖ ଶୁଣିବାକୁ ସ୍ଥାନୀୟ ଜନପ୍ରତିନିଧି ନା ଜିଲ୍ଲା ପ୍ରଶାସନ କାହାରି ପାଖରେ ସମୟ ନାହିଁ। ଫଳରେ ପାହାଡ ଉପର ୬ ବସ୍ତିର ସମସ୍ୟା ଯେମିତିକୁ ସେମିତି ରହିଯାଇଛି। କୁସୁମଟୋଲା, ହଳଦୀବେଡ଼ା, ପୋଖରାଟୋଲା, ଚୁରୁନଢ଼ିପା, ହିନ୍ଧି ପିଢ଼ି ଓ କେନ୍ଦୁଘାଟିର ପ୍ରାୟ ଶତାଧିକ ପରିବାର ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପାହାଡ ପାଦ ଦେଶରୁ ପ୍ରାୟ ୩ କି.ମି. ଗଲା ପରେ ଏମାନେ ବସ୍ତିରେ ପହଞ୍ଚଛନ୍ତି। ଆଜି ପର୍ଯ୍ୟନ୍ତ ବସ୍ତିକୁ ଭଲ ରାସ୍ତାଟି ହୋଇପାରିଲା ନାହିଁ। ଏଥିପାଇଁ ଏମାନଙ୍କୁ ଲାଗିଥାଏ ପ୍ରାୟ ଘଣ୍ଟାଏରୁ ଅଧିକ। ଜିଲ୍ଲା ପ୍ରଶାସନ ନିଜର ପାରିବା ପାଣିଆ ଜାହିର କରିବାକୁ ଯାଇ ବସ୍ତିଗୁଡ଼ିକୁ ବିଜୁଳି ସଂଯୋଗ କରି ନିଜର କାମ ସାରିଦେଇଛନ୍ତି। ପାନୀୟ ଜଳ ସଙ୍କଟ ବସ୍ତିବାସିନ୍ଦା ଚିନ୍ତା ବଢ଼ାଉଛି।
ଖରାଦିନ ଆସିଲେ ସ୍ଥିତି ସଙ୍ଗିନ ହୋଇପଡୁଛି। ବସ୍ତିବାସିନ୍ଦାଙ୍କ ଶୋଷ ମେଣ୍ଟାଉଛି ପାହାଡ ତଳେ ଥିବା ଗାଡ଼ିଆ ଓ କୂଅ। ବର୍ଷ ବର୍ଷ ଧରି ଦୂଷିତ ପାଣିକୁ ପାନୀୟ ଓ ନିତ୍ୟବ୍ୟବହାର୍ଯ୍ୟ କାମରେ ବ୍ୟବହର କରୁଛନ୍ତି। ଖରା ଦିନେ ଗାଡ଼ିଆ ଶୁଖିଗଲା ପରେ କୂଅପାଣି ସାହାଭରସା ପାଲଟିଛି। କୂଅ ଶୁଖିଗଲେ ପ୍ରାୟ ୩/୪ କି.ମି. ଚାଲି ଚାଲି ନିକଟସ୍ଥ ଗାଁକୁ ପାଣି ଆଣିବାକୁ ଯାଉଛନ୍ତି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ୩ କି.ମି. ଦୂରରେ ରହୁଛି। ବସ୍ତିର ସମସ୍ୟାକୁ ନେଇ ଧାନକୁଆଁର ଧନୱାର, ସେବିଆନ ମାନ୍କି, ଏସ୍କାର ହରୋ, ଫୁଲମାନି ମାନ୍କି ପ୍ରମୁଖ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଉଭୟ ବିଡ଼ିଓ ଓ ସରପଞ୍ଚଙ୍କୁ କେବଳ ପ୍ରତିଶ୍ରୁତି ମିଳିଛି। ଆସନ୍ତା ୨୦ରେ ହେବାକୁ ଯାଉଛି ମତଦାନ। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ, ଏମାନେ ମତଦାନରୁ ବିରତ ରହିବେ ବୋଲି ଚେତାବନୀ ଦେଇଛନ୍ତି।