ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାର କକୁତ୍ରା ବ୍ଲକ୍ରେ କୂଅ ଖୋଳା ଦୁର୍ନୀତି ନେଇ ଭିଜିଲାନ୍ସ ତଦନ୍ତ ଏବେ ସମଗ୍ର ଜିଲ୍ଲାରେ ହଟଚମଟ ସୃଷ୍ଟି କରିଥିବା ବେଳେ ଲେଫ୍ରିପଡା ବ୍ଲକ୍ ଅନ୍ତର୍ଗତ ବଡବଙ୍ଗା ପଞ୍ଚାୟତରେ କୂଅଖୋଳାରେ ବ୍ୟାପକ ଅନିୟମିତତା ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି। ୨୦୧୯ ମସିହାରେ ମନରେଗା ଯୋଜନାରେ ଲୋକଡେଗା ଗ୍ରାମର ନେତ୍ର ଭିତ୍ରିଆ ନାମକ ଜଣେ ହିତାଧିକାରୀଙ୍କ ଏକ ଖୋଲାକୂଅ ମଞ୍ଜୁରୀ ହୋଇଥିଲା, ଯାହାର ବ୍ୟୟ ଅଟକଳ ୧ଲକ୍ଷ ୪୫ ହଜାର ଟଙ୍କା ରହିଥିଲା।

Advertisment

ତେବେ ଉକ୍ତ କୂଅ ଖୋଳା ଓ ନିର୍ମାଣ କାର୍ଯ୍ୟକୁ ହିତାଧିକାରୀଙ୍କୁ ନିର୍ବାହ କରିବାକୁ ଦିଆ ନ ଯାଇ କେତେକ ଗାଁ ସାଥୀ ଓ ପଞ୍ଚାୟତ କର୍ମଚାରୀ ଖୋଳାକାମ ଆରମ୍ଭ କରି ଶ୍ରମିକ ମଜୁରୀ ବାବଦ ଟଙ୍କା ଉଠାଣ କରି ନେଇଥିଲେ। କୂଅ ଖୋଳା ସରିଲା ପରେ ଆଉ କୂଅର ବନ୍ଧେଇ, ଚାନ୍ଦିନୀ ଆଦି କାର୍ଯ୍ୟ ନ କରି କୂଅକୁ ଅଧପନ୍ତରିଆ ଅବସ୍ଥାରେ ପକାଇ ରଖିଥିବା ବେଳେ ସେତେବେଳର କନିଷ୍ଠ ଯନ୍ତ୍ରୀ ଜେ.ତ୍ରିପତି ପାତ୍ର କୂଅ ସଂପୂର୍ଣ୍ଣ ହୋଇଥିବା ନେଇ ଅତି ଚଞ୍ଚକତା ଭାବେ ତା ୩୧-୫-୨୦୧୯ ରେ ୧,୦୭,୬୪୨ ଟଙ୍କାର ମେଟେରିଆଲ ବିଲ୍ କରି ଥିବା ବେଳେ କୂଅ ବାବଦକୁ ମୋଟ ୧,୨୭, ୬୯୪ ଟଙ୍କା ଉଠାଣ କରି ଆତ୍ମସାତ ହୋଇଥିବା ଜଣାପଡ଼ିଛି। ଏଥିରେ ସ୍ଥାନୀୟ ସରପଞ୍ଚ ଏବଂ ପିଇଓ ମଧ୍ୟ ସଂପୃକ୍ତ ରହିଥିବା ତଥା ବିଲ୍ ଟି ର ପାଶ୍ ପେମେଣ୍ଟ କରିଥିବା ଜଣାପଡ଼ିଛି।

ଏପଟେ ବିଚରା ହିତାଧିକାରୀ କୂଅର ସଂପୂର୍ଣ୍ଣିକରଣ ପାଇଁ ବାରମ୍ବାର ଠିକାଦାର ଏବଂ ପଞ୍ଚାୟତକୁ ଦୀର୍ଘ ୩ ବର୍ଷ ଧରି ଦୌଡ଼ିଲା ପରେ ଆଜି 'ସମ୍ବାଦ' ହାତରେ ଅଭିଯୋଗ ଆସିବାରୁ ଆମ ପ୍ରତିନିଧିଙ୍କ ଅନୁସନ୍ଧାନ ପରେ ଏଭଳି ଜାଳିଆତି କରାଯାଇ ଟଙ୍କା ଆତ୍ମସାତ୍ ହୋଇଥିବା ଜଣାପଡ଼ିଥିଲା। ତେବେ ଏହା କେବଳ ନେତ୍ର ଭିତ୍ରିଆର କଥା ନୁହେଁ, ଏଭଳି ଅନେକ ପ୍ରକଳ୍ପରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଏଭଳି ଏକ ସମ୍ବେଦନଶୀଳ ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ଏବେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ହିତାଧିକାରୀଙ୍କ ନିକଟକୁ ଯାଇ ନିଜେ କୂଅ ଖନନ ଓ ନିର୍ମାଣ କରିଦେବେ ବୋଲି କାକୁତିମିନତି କରିଥିବା ଶ୍ରୀ ଭିତ୍ରିଆ ସୂଚନା ଦେଇଛନ୍ତି। ଏଭଳି ଜାଳିଆତି ସଂପର୍କରେ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନିଆଯିବାରୁ ସରପଞ୍ଚ ଓ ପିଇଓ ତାଙ୍କୁ ଅନ୍ୟ ହିତାଧିକାରୀଙ୍କ କୂଅକୁ ଦେଖାଇ ବିଲ୍ କରିବାକୁ କହିଥିଲେ ଏବଂ ସେ ତାହା ନେତ୍ର ଭିତ୍ରିଆର ବୋଲି ସେ ବିଲ୍ କରିଥିବା ପ୍ରକାଶ କରିଛନ୍ତି। ତେବେ ପ୍ରକଳ୍ପର ଲେଆଉଟ୍ ସେ ଦେଇଥିଲେ କି ନାହିଁ, ସୂଚନାଫଳକ ନିର୍ମାଣ ନ ହୋଇ ବିଲ୍ ରେ ସୂଚନାଫଳକ ଦର୍ଶାଯିବା ତଥା ସୂଚନାଫଳକ ବାବଦ ୩୦୦୦ ଟଙ୍କା ବିଲ୍ ରେ ଉଠିବା ଆଦି ଘଟଣା କନିଷ୍ଠ ଯନ୍ତ୍ରୀଙ୍କ ସଫେଇରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଭଳି ଅନିୟମିତତା ସଂପର୍କରେ ବିଡିଓ ରମେଶ ହାଁସଦାଙ୍କ ମତାମତ ନିଆଯିବାରୁ ସେ ଏଭଳି ସମ୍ବେଦନଶୀଳ ଘଟଣାର ତୁରନ୍ତ ତଦନ୍ତ କରାଯାଇ ଏହି ଜାଳିଆତିରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାଛଡା ସେ ଆଜି ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିଥିବା ଜଣାପଡିଥିବା ବେଳେ ଘଟଣାରେ ସଂପୂର୍ଣ୍ଣ ଜାଳିଆତି ହୋଇଥିବା ବିଷୟରେ ସେ କୁଆଡେ ରିପୋର୍ଟ ଦେଇଥିବା ବିଶ୍ବସ୍ତ ସୂତ୍ର ରୁ ଜଣାପଡ଼ିଛି।

ତେବେ ବିଡିଓ ଏବେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାର ବାକି ରହିଛି। ଏହି କୂଅ ଯୋଜନା ସରକାରଙ୍କ ୫-ଟି ଅଧିନରେ ଆସୁଥିବାରୁ ଏ ଦିଗରେ ରାଜ୍ୟ ୫-ଟି କମିଶନରଙ୍କ ପଦକ୍ଷେପ ମଧ୍ୟ ଦେଖିବାକୁ ବାକି ରହିଛି। ତେବେ ଏଭଳି କୂଅ ଖନନରେ ବ୍ୟାପକ ଅନିୟମିତତା ଏହି ପଞ୍ଚାୟତର ଛୋଟବଙ୍ଗା ଗ୍ରାମରେ ମଧ୍ୟ କେତେକ କୂଅ କମ୍ ଗଭୀର କରି ସଂପୂର୍ଣ୍ଣ ବିଲ୍ ହଡ଼ପ କରାଯାଇଥିବାର ଜଣାପଡ଼ିଛି।