ସୁନ୍ଦରଗଡ଼: ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଓକିଲମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ସହ ଏହାର ଅବମାନନା କରୁଥିବା ଓକିଲମାନଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ ବୋଲି କଡ଼ା ଚେତାବନୀ ଦେଇଥିଲେ। ଏହାର କୌଣସି ପ୍ରଭାବ ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଉପରେ ପଡ଼ିନାହିଁ। କମିଟି ପୂର୍ବପରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି। ଆଜି ସୁନ୍ଦରଗଡ଼ ପ୍ରଗତି ମଣ୍ଡପରେ ଅନୁଷ୍ଠିତ କେନ୍ଦ୍ରୀୟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେବା ଯାଏ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କମିଟିର ଆବାହକ ଅଶୋକ କୁମାର ଦାଶ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତେବେ ଏଥିରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କଲା ଭଳି କୌଣସି କାର୍ଯ୍ୟ ହୋଇନାହିଁ। ପ୍ରକୃତରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୁହଙ୍କ ଆନ୍ଦୋଳନ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟକୁ ଭୁଲ ରିପୋର୍ଟ ଦିଆଯାଇ ବିଭ୍ରାନ୍ତ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରକୃତ ତଥ୍ୟ ଦାଖଲ କରିବ। ଓକିଲମାନଙ୍କ ଆନ୍ଦୋଳନ ସତ୍ତ୍ବେ ପଶ୍ଚିମ ଓଡ଼ିଶାର କୌଣସି ଅଦାଲତ କାର୍ଯ୍ୟ ବନ୍ଦ ହୋଇ ନାହିଁ ବୋଲି ଶ୍ରୀ ଦାଶ କହିଥିଲେ। ଅତୀତରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ନୋଟିସ ଦେଇଥିଲେ। ଆମେ ଆମ ପକ୍ଷ ରଖିଥିଲୁ। ତେଣୁ ତାକୁ ନେଇ ଆନ୍ଦୋଳନ ପ୍ରତ୍ୟାହାର କରିବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଥିଲେ।

Advertisment

ଆଜି ସ୍ଥାନୀୟ ପ୍ରଗତି ମଣ୍ଡପରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହ ଆବାହକ ପ୍ରମୋଦ କୁମାର ଦାଶ, ସମ୍ବଲପୁର ଓକିଲ ସଂଘର ପ୍ରଦୀପ କୁମାର ବହିଦାର, ସହ ଆବାହାକ ରଘୁମଣି ପଟେଲ, ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ବିଜେତେନ୍ଦ୍ରୀୟ ପ୍ରଧାନ, ସଂଯୋଜକ ସନ୍ଦୀପ କୁମାର ଅଗସ୍ତି, ସୁନ୍ଦରଗଡ଼ ଓକିଲ ସଂଘ ସଭାପତି ଦୁଷ୍ମନ୍ତ ନାଏକ, ପଦମପୁର ଓକିଲ ସଂଘ ସଭାପତି କିଶୋର ମେହେର, ଅତାବିରା ସଂଘ ସଭାପତି ରାକେଶ ପାଢ଼ୀ, ରାଜଗାଙ୍ଗପୁର ସଭାପତି ରବୀନ୍ଦ୍ର ବେହେରା, ସହ ସଂଯୋଜକ ନିରଞ୍ଜନ ତ୍ରିପାଠୀ, କୋର୍ କମିଟି ସଭ୍ୟ ଶଲ୍ୟ ନାରାୟଣ, ସୁରେଶ୍ବର ମିଶ୍ର, ପ୍ରମୋଦ ଛୁରିଆ, କୁଚିଣ୍ଡା, ଝାରସୁଗୁଡ଼ା, ସୋହେଲା ଓକିଲ ସଂଘ ସଭାପତି ପ୍ରମୁଖ ଯୋଗ ଦେଇ ଆନ୍ଦୋଳନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ଆଇନଜୀବୀମାନଙ୍କ ବହୁ ସମୟ ବ୍ୟାପି ଆନ୍ଦୋଳନ ଯୋଗୁଁ ମାମଲାଗୁଡ଼ିକ ପଡ଼ି ରହିଥିବା ରିପୋର୍ଟକ୍ରମେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ପ୍ରକାଶ କରି ଆନ୍ଦୋଳନ ବନ୍ଦ ନକଲେ ସମ୍ପୃକ୍ତ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ।