ରାଉରକେଲା: ମେ’ ଫେୟାର ହକି ଭିଲେଜ୍‌ ସୁଇମିଂ ପୁଲ୍‌ରେ ବୁଡ଼ି ୪ ବର୍ଷୀୟା ଶିଶୁ ମୃତ୍ୟୁ ଘଟଣାରେ ଛେଣ୍ଡ୍‌ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଆଲୋକ ଡୁଙ୍ଗଡୁଙ୍ଗ ଓ ସୂରଜ ବାଗେ। କାର୍ଯ୍ୟକ୍ଷେତ୍ରରେ ଏମାନେ ଅବହେଳା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।

Advertisment

ପୁଲିସ ସୂଚନାଅନୁସାରେ, ଆଲୋକ ସୁଇମିଂ ପୁଲ୍‌ର ପରିଚାଳନା ଦାୟିତ୍ବରେ ଥିବାବେଳେ ସୂରଜ ହେଉଛନ୍ତି ଟ୍ରେନର। କିନ୍ତୁ ଦିନକପୂର୍ବେ ଛେଣ୍ଡ୍‌ ପୁଲିସ ଆଲୋକଙ୍କୁ ଟ୍ରେନ୍‌ର ଓ ସୂରଜଙ୍କୁ ଲାଇଫ୍‌ ଗାର୍ଡ ଅବିହିତ କରିଥିଲା। ଏଣୁ ସୁଇମିଂ ପୁଲ୍‌ର ଅସଲ ମ୍ୟାନେଜରଙ୍କୁ ସୁରକ୍ଷା ଦେବାକୁ ୨୪ ଘଣ୍ଟା ଭିତରେ ପୁଲିସର ମତ ପରିବର୍ତ୍ତନ, ଭିନ୍ନ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। ଅପରପକ୍ଷରେ ଗତକାଲି ସନ୍ଧ୍ୟାରେ ଦୁଇଅଭିଯୁକ୍ତଙ୍କୁ କୋର୍ଟରେ ଜାମିନ ମିଳିଯାଇଛି। ଫଳରେ ଉଭୟେ ମୁକୁଳି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ମେ’ ଫେୟାର ହକି ଭିଲେଜ୍‌ ସୁଇମିଂ ପୁଲ୍‌ରେ ପ୍ରଶିକ୍ଷଣ ନେଉଥିବାବେଳେ ୪ ବର୍ଷୀୟା ସନେହା ସିଂହ ଓର୍‌ଫ ଈଷା ବୁଡ଼ିଯାଇଥିଲେ। ଅକାଳରେ ତାଙ୍କ ବିୟୋଗ ଘଟିବାରୁ ପରିବାରବର୍ଗଙ୍କ ପକ୍ଷରୁ ଛେଣ୍ଡ୍‌ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା(ବିଏନ୍‌ଏସ୍‌-୧୦୬(୧)/୩(୫) ରୁଜୁକରି ତଦନ୍ତ ଜାରି ରଖିଥିଲା।