ରାଉରକେଲା:ଛେଣ୍ଡସ୍ଥ ମଧୂସୂଦନ ଭବନଠାରେ ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ତେବେ ଏହା  ପ୍ରହସନ ପାଲଟିଛି। ଗତକାଲି ଜନଶୁଣାଣି ସକାଳ ପ୍ରାୟ ସାଢ଼େ ୮ଟାରେ ଆରମ୍ଭ ହୋଇ ପ୍ରାୟ ସାଢ଼େ ୧୦ଟାରେ ବନ୍ଦ ହୋଇଯାଇଥିଲା। ଏଥିରେ କେବଳ ୯ଟି ଅଭିଯୋଗ ଆସିଥିଲା।
ପୂର୍ବ ଚାରି ଜନଶୁଣାଣିଭଳି ଗତକାଲିର ଜନଶୁଣାଣିରେ ଯାବତୀୟ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଚାରପ୍ରସାର ଅଭାବଯୋଗୁଁ ଲୋକେ ଜନଶୁଣାଣି ବିଷୟରେ ଅବଗତ ହୋଇପାରୁନାହାନ୍ତି। ଏମିତିକି ଜନଶୁଣାଣିର ନିର୍ଦ୍ଦିଷ୍ଟ ସମୟସୀମା ରହୁନି। ମନମର୍ଜି ଜନଶୁଣାଣିକୁ ବନ୍ଦ କରିଦିଆଯାଉଥିବାରୁ ଲୋକେ ନିରାଶହୋଇ ଫେରିଯାଉଛନ୍ତି।

Advertisment

ଗତକାଲି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ସାଢ଼େ ୧୦ଟାରେ ଜନଶୁଣାଣି ବନ୍ଦ ହେବାର ପାଖାପାଖି ୫/୧୦ ମିନିଟ ପରେ ନିଜର ସମସ୍ୟାନେଇ ପହଞ୍ଚିଥିଲେ କଳିଙ୍ଗ ବିହାର ଅଞ୍ଚଳର ବିଧବା ଉମାରାଣୀ ସାହୁ(୫୪)। ବିଧବାଭତ୍ତା ମିଳୁନଥିବାରୁ କମିସନରଙ୍କ ପାଖ​​କୁ ଗୁହାରି କରିବାକୁ ଆସିଥିଲେ। କିନ୍ତୁ ଜନଶୁଣାଣି ସ୍ଥଳରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ପାଇନଥିଲେ। ଉମାରାଣୀ ନିଜର ସମସ୍ୟା ବିଷୟରେ ଉପସ୍ଥିତ କନିଷ୍ଠ ଅଧିକାରୀଙ୍କୁ ଅବଗତ କରିଥିଲେ। କିନ୍ତୁ ଉକ୍ତ ଅଧିକାରୀ ଅଫିସ୍‌ ଆସି କମିସନରଙ୍କୁ ଭେଟିବାକୁ କହିଥିଲେ। ଜନଶୁଣାଣିର ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଉନି କାହିଁକି? କନିଷ୍ଠ ଅଧିକାରୀଙ୍କୁ ରଖି ବରିଷ୍ଠଅଧିକାରୀ ଅଧାରୁ ପଳାଇବା କେତେ ଯୁକ୍ତିଯୁକ୍ତ? ଯଦି କମିସନରଙ୍କୁ ଭେଟିବାକୁ ଅଫିସ ଯୁବାକୁ ପଡ଼ିବ, ତା’ହେଲେ ଜନଶୁଣାଣିର ଆବଶ୍ୟକତା କ’ଣ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିଛି।