ଦିନରେ ଶିକ୍ଷକତା, ରାତିରେ କାଠ ଚାଲାଣ

ସୁନ୍ଦରଗଡ଼ : ବୃତ୍ତିରେ ସ୍କୁଲ ଶିକ୍ଷକ। ଦିନବେଳା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି, ସଂଧ୍ୟା ହେବା ମାତ୍ରେ ମାତନ୍ତି କାଠ ଚୋରାଚାଲାଣରେ। ଏଭଳି ଜଣେ ବ୍ୟକ୍ତି ରାଏଲା ସୁନୀଲଙ୍କୁ ବନ ବିଭାଗ କର୍ମଚାରୀମାନେ ଚୋରା କାଠ ସହ କାବୁ କରିଛନ୍ତି। ଅଭିଯୁକ୍ତ ଛତିଶଗଡ଼ରୁ ସୁନ୍ଦରଗଡ଼କୁ କାଠ ଚାଲାଣ କରୁଥିବାବେଳେ କାଲି ରାତିରେ ଧରାପଡ଼ିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସ୍ଥାନୀୟ ସୁନାରୀପଡ଼ାରେ ରହୁଥିବା ରାଏଲା ବାଲିଶଙ୍କରା ବ୍ଲକ ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ୨୦୦୬ ମସିହାରୁ କାର୍ଯ୍ୟରତ। ବୁଧବାର ରାତି ପ୍ରାୟ ୧୦ଟା ୨୫ରେ ରାଏଲା ନିଜ ସହଯୋଗୀ ଗାଡ଼ି ଚାଳକ ରିଜେଣ୍ଟ୍‌ ମାର୍କେଟ୍‌ର ମହମ୍ମଦ କୟୁମ ଅଲ୍ଲୀଙ୍କ ସହ ଏକ ବଲେରୋରେ ଶୁଗାଆନ କାଠ ଧରି ସୁନ୍ଦରଗଡ଼କୁ ଆସୁଥିଲେ। ଗୁପ୍ତ ଖବର ପାଇଥିବା ସୁନ୍ଦରଗଡ଼ ବନ ଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ ନିର୍ଦ୍ଦେଶରେ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଟଙ୍କଧର ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀଙ୍କ ଦଳ କିଞ୍ଜିରିକେଲା ଫରେଷ୍ଟ୍‍ର କାର୍ଯ୍ୟାଳୟ ସମ୍ମୁଖରେ ଜଗି ରହିଥିଲେ। ରାଏଲ୍‌ଙ୍କ ଗାଡ଼ି ସେହି ରାସ୍ତା ଦେଇ ଅତିକ୍ରମ କରିବା ବେଳେ ବନ କର୍ମଚାରୀମାନେ ଗାଡ଼ିକୁ ଅଟକାଇ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ତଦନ୍ତ ବେଳେ ଗାଡ଼ିରେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୪୩ଟି ଶାଗୁଆନ ପଟା ଜବତ ହୋଇଥିଲା। ଜେରା ପରେ ଅଭିଯୁକ୍ତ ଛତିଶଗଡ଼ରୁ କାଠ ଚୋରାଚାଲାଣ କରୁଥିବା ମାନି ନେଇଥିଲେ।

ସମ୍ବନ୍ଧିତ ଖବର