ନାଁକୁ ଚାଲିଛି ଇଏନ୍‌ଆଇ ଡିସ୍‌ପେନ୍‌ସାରୀ: ଶ୍ରମିକଙ୍କୁ ମିଳୁନି ଚିକିତ୍ସା ସେବା, ଔଷଧ

ରାଉରକେଲା/ସାରନଗରୀ : କଳକାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରତିଷ୍ଠା ହୋଇଛି ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଇଏସ୍ଆଇ ମଡେଲ ହସ୍ପିଟାଲ, ଡିସ୍‌ପେନ୍‌ସାରୀ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଜିଲ୍ଲାରେ ଚାଲିଥିବା ଏସବୁ ଡିସ୍‌ପେନ୍‌ସନାରୀ ଦେଇ ପାରୁନି ଉତ୍ତମ ଚିକିତ୍ସା ସେବା। ମିଳୁନି ଆବଶ୍ୟକ ଔଷଧ। ଗୋଟିଏ କି ଦୁଇଟି ନୁହେଁ ଜିଳ୍ଲାରେ ପ୍ରାୟ ସମସ୍ତ ଇଏସ୍‌ଆଇ ଡିସ୍‌ପେନ୍‌ସାରୀରେ ସେହି ସମାନ ସ୍ଥିତି। ଏହାର ନଗ୍ନ ଉଦାହରଣ ହେଉଛି ସାରନଗରୀ ଡିସ୍‌ପେନ୍‌ସାରୀ। ବାଲିଝୁଡି ନିକଟରେ ଥିବା ପୁରାତନ ରାଜ୍ୟବୀମା ଚିକିତ୍ସାଳୟ ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛି। ସ୍ଥାନୀୟ କଳକାରଖାନାରେ କାର୍ଯ୍ୟରତ ଶ୍ରମିକ ଓ ସେମାନଙ୍କ ପରିବାର ନିର୍ଭରଶୀଳ ଏହି ହସ୍ପିଟାଲ ନାଁକୁ ମାତ୍ର ଚାଲିଛି।

ସମସ୍ୟାର ସମାଧାନ ପାଇଁ ଥରେ କି ଦୁଇ ଥର ନୁହେଁ ସ୍ଥାନୀୟ ଲୋକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ୍‌। ଡିସ୍‌ପେନ୍‌ସାରୀ ଉପରେ ସାରନଗରୀ, ବାଲିଝୁଡି, ଟାଙ୍ଗରପାଲି, ଆଇଡିଏଲ୍‌, ମଡର୍ଣ୍ଣ ଇଣ୍ଡିଆ, ଅଟୋ କଲୋନି, ଲାଲଟାଙ୍କି, ଜଲଦା ଆଦି ଅଞ୍ଚଳର ୨୦ ହଜାରୁ ଅଧିକ ବୀମାଭୁକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ନିର୍ଭରଶୀଳ। ତିନିଜଣ ଡାକ୍ତର, ତିନି ଫାର୍ମାସିଷ୍ଟ, ଦୁଇ ଷ୍ଟାଫନର୍ସ, ଜଣେ ଏଏନ୍‌ଏମ୍‌, ଜଣେ ଡ୍ରେସ୍‌ର, ଦୁଇ ଝାଡୁଦାର, ୫ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆବଶ୍ୟକତା ରହିଛି। ଅଛନ୍ତି ଜଣେ ମାତ୍ର ଚୁକ୍ତିଭତ୍ତିକ ଡାକ୍ତର, ଜଣେ ନର୍ସ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ଫାର୍ମାସିଷ୍ଟ ନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରୋଗୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଔଷଧ ମିଳୁ ନି। ଚିକିତ୍ସାଳୟରେ କୌଣସି ରୋଗୀ ପାଣି ଟୋପେ ପାଇଁ କିଛି ଦୂରରେ ଥିବା ନଳକୂପକୁ ଯିବାକୁ ବାଧ୍ୟ ହେଉଛନ୍ତି। କରୋନା ମହାମାରି ବେଳେ ସରକାର ସମସ୍ତ ଚିକିତ୍ସାଳୟ ସଫା ସୁତୁରା ରଖିବାକୁ ଅନୁମତି ଦେବାବେଳେ ବିନା ଝାଡୁଦାରରେ ଏହି ଚିକିତ୍ସାଳୟର ପରିସର ଦୁର୍ଗନ୍ଧ ମୟ ହୋଇପଡିଛି।

ଏଥି ସହ ଚିକିତ୍ସାଳୟଟି ଦିନରେ ଦୁଇ ଥର ପରିବର୍ତ୍ତେ ଥରେ ମାତ୍ର ଖୋଲା ହେଉଛି। ଯାହାଫଳରେ ଏ ସିଫ୍ଟରେ ଯାଉଥିବା କାର୍ଡ ଧାରୀ ଏହି ଚିକିତ୍ସାଳୟରୁ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଫର୍ଟିଲାଇଜର ପରି ବିର୍ସା ଛକ, କଲୁଙ୍ଗା ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ଡିସ୍‌ପେନ୍‌ସାରୀଗୁଡ଼ିକରେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ସେପଟେ ଶ୍ରମିକଙ୍କ ପାଇଁ ଲଢ଼େଇ କରୁଥିବା ବିଭିନ୍ନ ଶ୍ରମିକ ସଙ୍ଗଠଗୁଡ଼ିକ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ଶ୍ରମିକଙ୍କୁ ବୃହତ ସ୍ବାର୍ଥ ଦୃଷ୍ଟିରୁ ଡିସ୍‌ପେନ୍‌ସାରୀଗୁଡ଼ିକର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଶ୍ରମିକମାନଙ୍କୁ ପକ୍ଷରୁ ଦାବି ‌ହେଉଛି।

ସମ୍ବନ୍ଧିତ ଖବର