ରାଉରକେଲା: ରାଉରକେଲାର ଅଲ୍‌ଟ୍ରାରନର୍‌ ସୁମିତ ସିଂହ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ୍ସରେ ସ୍ଥାନିତ ହୋଇଛନ୍ତି। ଲଗାତାର ୧୨ ଘଣ୍ଟାଧରି ଟ୍ରେଡ୍‌ମିଲ୍‌ରେ ଦୌଡ଼ି ସୁମିତ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ୧୨ ତାରିଖରେ ସେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ସକାଳ ୮.୧୫ରୁ ରାତି ୮.୨୦ ଘଣ୍ଟା ଯାଏ ସେ ଟ୍ରେଡ୍‌ମିଲ୍‌ରେ ଦୌଡ଼ିଥିଲେ। ଏହି ସମୟ ମଧ୍ୟରେ ସେ ମୋଟ୍‌ ୬୮.୦୪ କିଲୋମିଟର ଅତିକ୍ରମ କରିଥିଲେ। ଏହି ସଫଳତା ପାଇଁ ସୁମିତଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

Advertisment

ଉଲ୍ଲେଖଯୋଗ୍ୟ, ସୁମିତଙ୍କ ନାଁରେ ଏକାଧିକ ରେକର୍ଡ ରହିଛି। ୨୦୨୩ ଏପ୍ରିଲ ୨୫ ତାରିଖରୁ ମେ’ ୨୪ ତାରିଖଯାଏ, ୩୦ ଦିନରେ ୩୩ଟି ଫୁଲ୍‌ ମାରାଥନ ଦୌଡ଼ିଥିଲେ। ସ୍ଥାନୀୟ ଉଦିତନଗର ପଡ଼ିଆରେ ସନ୍ଧ୍ୟା ୬ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ପ୍ରତିଦିନ ୪୨.୨ କିଲୋମିଟର ଲେଖାଏ ଦୌଡ଼ିଥିଲେ। ସୁମିତ ୩୦ ଦିନରେ ୩୩ଟି ମାରାଥନ୍‌, ଅର୍ଥାତ୍‌ ମୋଟ୍‌ ୧୩୯୨.୬ କିଲୋମିଟର ଦୌଡ଼ିଥିଲେ। ଏହି ରେକର୍ଡ ପାଇଁ ତାଙ୍କୁ ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ମିଳିଥିଲା।