ରାଉରକେଲା: ଅପରାଧ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ ନିୟନ୍ତ୍ରଣ ସହ ସହରବାସୀଙ୍କ ସୁରକ୍ଷାକୁ କଡାକଡ଼ି କରିବାକୁ ଲାଗିଛି ସିସି କ୍ୟାମେରା। ୧୦ଟି ୨୦ଟି ସ୍ଥାନରେ ନୁହେଁ ସହରର ପ୍ରମୁଖ ଛକ ସମେତ ମୋଟ ୧୧୦ଟି ସ୍ଥାନରେ ୬୭୫ରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। ଠିକା ସଂସ୍ଥା ‘ ଭାରତ ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍ (ଭେଲ୍)’ ପକ୍ଷରୁ ଏହି କାମ କରାଯାଇଛି। ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ସରିବାର ଥିଲା, ତାହା ମଧ୍ୟ ହେଲାନି। ପୁଣି କୁହାଗଲା ଗତ ମାର୍ଚ୍ଚ ଶେଷ ସୁଦ୍ଧା ସରିବ। ହେଲେ ସେହି ସମାନ ସମସ୍ୟା ଉପୁଜିଲା। ଆଗକୁ ଆସୁଛି ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା। ଏବେ ଯେମିତି କଚ୍ଛପ ଗତିରେ ଅନ୍ୟାନ୍ୟ କାମ ଚାଲିଛି, ତାହା ମଧ୍ୟ ୨୦୨୩ ଶେଷ ସୁଦ୍ଧା ସରିବ କି ନାହିଁ, କହିବା ମୁସ୍କିଲ। କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ସ୍ମାର୍ଟସିଟି ଅଧିକାରୀ ମଧ୍ୟ ସଠିକ୍ ଭାବେ କିଛି ଉତ୍ତର ଦେଇ ପାରୁନାହାନ୍ତି। ସେପଟେ ସିସି କ୍ୟାମେରା ପରିଚାଳନା ପାଇଁ ରାଉରକେଲା ପୁଲିସ ମୁଖ୍ୟାଳୟ ଓ ହକି ଛକସ୍ଥ ନିର୍ମାଣଧୀନ ସ୍ମାର୍ଟସିଟି ପ୍ରଶାସନିକ କୋଠାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) ରହିବ ବୋଲି କୁହାଯାଇଥିଲା। ଏଯାଏଁ ସେହି କାମ ମଧ୍ୟ ହୋଇନାହିଁ।
ସ୍ମାର୍ଟସିଟି ପ୍ରଶାସନିକ ବିଲ୍ଡିଂରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରୁମ୍ କାମ ନ ସରିବା ପର୍ଯ୍ୟନ୍ତ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟରେ ସିସି ଟିଭି ନିୟନ୍ତ୍ରଣ କରାଯିବ ବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଥିଲା, ତାହା ମଧ୍ୟ ହେଲାନି। ୧୧୦ଟି ସ୍ଥାନରେ ଲାଗିଥିବା ସିସି ଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଟିଏମ୍ଏସ୍) ମଧ୍ୟରୁ କିଛି ସ୍ଥାନରେ ଏଯାଏଁ ହୋଇନାହିଁ। ତେଣୁ ସ୍ମାର୍ଟସିଟିର ସିସି କ୍ୟାମେରା ବ୍ୟବସ୍ଥା ସତରେ ଚାଲୁ ହେବ ତ ? ଏମିତି ପ୍ରଶ୍ନ ସହରବାସୀଙ୍କ ମଧ୍ୟରେ ଉଠିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ସିସି କ୍ୟାମେରା ଲଗାଇବାକୁ ସହରର ପାଖାପାଖି ୨୪୦ କି.ମି. ପରିଧି ମଧ୍ୟରେ କେବୁଲ ବିଛା ଯାଇଛି। ଛେଣ୍ଡ କଲୋନି କନକ୍ମଞ୍ଜରି ଛକ, ହକି ଷ୍ଟାଡିୟମ ଛକ, ପ୍ରଧାନପାଲୀ ଛକ, ବିଏସ୍ଏନ୍ଏଲ୍ ଛକ, ବିଜୁ ପଟ୍ଟନାୟକ ଛକ, ରିଂ ରୋଡ ସ୍ପେସ୍ ଛକ, ରାଉରକେଲା ବିମାନବନ୍ଦର ନିକଟସ୍ଥ ପୋଲ୍ରେ ସିସି କ୍ୟାମେରା ଲଗାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଛକ, ପାନପୋଷ ଗାନ୍ଧିଛକ, ହକି ଛକ, ଉଦିତନଗର, ଏସ୍ଟିଆଇ, ଆଇଟିଆଇ, ଡେଲିମାର୍କେଟ, ବାସନ୍ତୀକଲୋନି, ବନ୍ଧମୁଣ୍ଡାରୋଡ, ସାରନଗରୀ, ରେଲୱେ କଲୋନି ଇସ୍ପାତ ସହରାଞ୍ଚଳର ପ୍ରମୁଖ ଛକରେ ସିସି କ୍ୟାମେରା ମଧ୍ୟ ଲଗାଯାଇଛି। ସିସି କ୍ୟାମେରା ସୁରକ୍ଷା, ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ। ଏଥିସହ ଟ୍ରାଫିକ୍ ନିୟନ୍ତ୍ରଣରେ ମଧ୍ୟ ସେତିକି କାର୍ଯ୍ୟ କରିବ।
ରେଡ୍ ଲାଇଟ୍ ଭାଇଓଲେସନ୍ ଡିଟେକ୍ସନ (ଆର୍ଏଲ୍ଭିଡି), ସ୍ପିଡ୍ ଭାଇଓଲେସନ୍ ଡିଟେକ୍ସନ ସିଷ୍ଟମ (ଏସ୍ଭିଡିଏସ୍), ଅଟୋମେଟିକ୍ ନମ୍ବର ପ୍ଲେଟ ରେକଗ୍ନାଇଜେସନ୍ ସିଷ୍ଟମ (ଏଏନ୍ପିଆର୍), ଫେସ୍ ରେକଗ୍ନାଇଜେସନ୍ ସିଷ୍ଟମ (ଏଫ୍ଆର୍ଏସ୍) ଓ ନିୟମଭଙ୍ଗକାରୀ ପାଇଁ ଇ-ଚାଲାଣ ସିଷ୍ଟମ କାର୍ଯ୍ୟ କରିବ। ସୂଚନାଯୋଗ୍ୟ, ଗତ ୨୦୧୮ରେ ସହରରେ ୧୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ସ୍ମାର୍ଟସିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗତ ୨୦୧୯ ଜାନୁଆରି ଆମେରିକା ବେସ୍ଡ କମ୍ପାନୀ ‘ହନି ୱେଲ୍’ ସମେତ ଅନ୍ୟ ଦୁଇଟି ଠିକା ସଂସ୍ଥାକୁ ପରୀକ୍ଷାମୂଳକ ଭାବେ ସିସି କ୍ୟାମେରା ଲଗାଇବା କାମ ଦିଆଯାଇଥିଲା। ଦୁଇଟି ସଂସ୍ଥା ହନୁମାନବାଟିକା ଛକ ଓ ସାରନା ଛକରେ ସିସି କ୍ୟାମେରା ପରୀକ୍ଷାମୂଳକ ଭାବେ ଲଗାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତିନିଟି ସଂସ୍ଥାର କାମ ସନ୍ତୋଷଜନକ ନଥିବାରୁ ସିସି କ୍ୟାମେରା ପ୍ରକଳ୍ପ ବାତିଲ ହୋଇଥିଲା।