ସୁନ୍ଦରଗଡ଼: ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୁଲିସ ପଡ଼ିଆଠାରେ ମଙ୍ଗଳବାର ଦିନ କୋଭିଡ୍‌ ସତର୍କତା ଭିତରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ମହାମନିଷୀଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment

‘ଆମ ରାଜ୍ୟ ଆଜି ବିକାଶର ନୂତନ ସୋପାନରେ ଉପନୀତ ହୋଇଛି। ଓଡ଼ିଶାର ଏହି ବିକାଶ ଧାରାରେ ସୁନ୍ଦରଗଡ଼ ଜିଲ୍ଲା ଯୋଡ଼ି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଆଜି ବିଭିନ୍ନ କ୍ଷେତ୍ରରେ ନାଁ କରିଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପରିମଳ, ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରକାଶିତ ସାମଗ୍ରିକ ସୂଚକାଙ୍କ ତାଲିକାରେ ସୁନ୍ଦରଗଡ଼ ୧ ନମ୍ବର ସ୍ଥାନରେ ରହିବା ସମସ୍ତଙ୍କ ପାଇଁ ଖୁସିର କଥା’, କହିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

publive-image

ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜିଲ୍ଲାରେ ଚାଲିଥିବା ‘ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଏବଂ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଓ ଭିନ୍ନକ୍ଷମଙ୍କ ପୁନର୍ବାସ ଲାଗି ସୁନ୍ଦରଗଡ଼ରେ ଖୋଲିଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ପ୍ରଶଂସା କରିଥିଲେ ମନ୍ତ୍ରୀ। ଏହି ଅବସରରେ ମନ୍ତ୍ରୀ ସୁନ୍ଦରଗଡ଼ ମାଟିରୁ ତିଆରି ହୋଇଥିବା ହକି ତାରକାମାନଙ୍କୁ ମନେପକାଇଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ପାଇଁ ସରକାର ପ୍ରୟାସ ଜାରି ରଖିଥିବା କହିଥିଲେ। ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆଗଧାଡ଼ିର ୧୮ ଜଣ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିଥିଲେ। ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ, ପୁଲିସ କର୍ମଚାରୀ ଏବଂ ସରପଞ୍ଚମାନେ ସମ୍ମାନ ଗ୍ରହଣ କରିଥିଲେ।

publive-image

ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ ଅଫିସ୍‌, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କାର୍ଯ୍ୟାଳୟ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଡିଏମଏଫ ସିଇଓ ରସାଇ ଲାଗୁରୀଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଡିଏମଏଫର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଏସପି ସାଗରିକା ନାଥ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପ-ଜିଲ୍ଲାପାଳ ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।