ସ୍ବୟଂ ସହାୟକ ଗୋଷ୍ଠୀର ଭିନ୍ନ ଏକ ପ୍ରୟାସ; ସୂର୍ଯ୍ୟମୁଖୀ ଚାଷ କରି ଦେଖା‌ଇଲେ ସାହସିକତା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗ୍ରୀଷ୍ମାଞ୍ଚଳ ହୋଇଥିବା ବେଳେ ଏଠାରେ ଧାନ, ମାଣ୍ଡି, ସୁଆଁ, ଚିନାବାଦାମ ଭଳି ଖାଦ୍ୟଶସ୍ୟ ଉତ୍ପନ କରାଯାଉଛି। ତେବେ ସୂର୍ଯ୍ୟମୁଖୀ ଚାଷ କରିବା ଜିଲ୍ଲାରେ ପ୍ରାୟତଃ ଚାଷୀମାନେ କରିବାକୁ ସାହସ କରିନଥାନ୍ତି। କାରଣ ପ୍ରଥମତଃ ଏହା କେତେ ସଫଳ ହେବ ଏବଂ ଏହାକୁ ବିକ୍ରି କରିବା ପାଇଁ ବଜାର ମଧ୍ୟ ନାହିଁ। ତେଣୁ ଏହି ଚାଷକୁ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିନଥାନ୍ତି।

ତେବେ ମାଲକାନଗିରି ବ୍ଲକର ମାର୍କାପାଲୀ ପଞ୍ଚାୟତର ତୋକନାବାଟା ଗ୍ରାମର ଦନ୍ତେଶ୍ବରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଉଦ୍ୟମରେ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ସାହସିକତା ଦେଖାଇଛନ୍ତି। ସ୍ବଳ୍ପ ଜମିରେ ସେମାନେ ସୂର୍ଯ୍ୟମୁଖୀ ଫୁଲର ଚାଷ କରିଛନ୍ତି। ତେବେ ସେମାନଙ୍କର ମୁଖ୍ୟ ଉଦେଶ୍ୟ ହେଲା ଏହି ମଞ୍ଜିରୁ ସେମାନେ ତେଲ ବାହାର କରି ବଜାରରେ ବିକ୍ରି କରିବେ। ସେଥିପାଇଁ ସେମାନଙ୍କ ପାଖରେ ତେଲ ପେଡିବା ଯନ୍ତ୍ର ମଧ୍ୟ ରହିଛି। ତେବେ ଏହି ଚାଷକୁ କରିବା ପାଇଁ ଓଡିଶା ଜୀବିକା ମିଶନର ଏମବିକେ ସମାରୁ ମାଡକାମୀ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଚାଷ କରିବା ଦ୍ବାରା ଭଲ ଲାଭ ହେବାର ସମ୍ଭାବନା ରହିଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏହି ଚାଷ କରିବାକୁ ସେ ପ୍ରବର୍ତ୍ତାଇଥିଲେ।

ଦନ୍ତେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀରେ ରହିଥିବା ସଦସ୍ୟାମାନେ ହେଲେ ପଦ୍ମିନୀ ମାଡକାମୀ, ପଦ୍ମା ମାଡକାମୀ, ମୁନି ମାଡକାମୀ, ମୋତି ମାଡକାମୀ, ପଦ୍ମା ମାଡକାମୀ, ସୀତା ସିନ୍ଦେ, ପାର୍ବତୀ କୁରାମୀ, କନକଦେଇ ମାଡକାମୀ, ମୁକ୍ତା ମାଡକାମୀ, କାନମଦେଇ ମାଡକାମୀ ଏବଂ କୌଶଲ୍ୟ ମାଡକାମୀ। ଏମାନେ ଦିନରାତି ଏକ କରି ଏହି ଚାଷକୁ ସଫଳ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏଥିରେ ସେମାନେ ନିଶ୍ଚିତ ସଫଳ ହେବେ ବୋଲି ପ୍ରକାଶ କରିଛନ୍ତି।

ସେହିପରି ଓଏଲଏମର ପ୍ରାଣୀ ମିତ୍ର ସମାରୁ ମାଡକାମୀ ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ସେମାନେ ଏହି ଚାଷ କରି ସାହସିକତା ଦେଖାଇଥିବା ବେଳେ ଜିଲ୍ଲାରେ ଉଦାହରଣ ହେବେ ବୋଲି କହିଛନ୍ତି। ଏହି ଅଂଚଳ ଆଦିବାସୀ ନିରକ୍ଷର ଅଂଚଳ ହୋଇଥିଲେ ମଧ୍ୟ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ପ୍ରଶାସନର ସହଯୋଗ ବହୁତ ସହଯୋଗ କରୁଥିବା ଏମାନେ କୁହନ୍ତି। ବଜାରରେ ନିମ୍ନମାନର ସୂର୍ଯ୍ୟମୁଖୀ ଦେଲ ବିକ୍ରି ହେଉଥିବା ବେଳେ ଲୋକେ ସ୍ବଚ୍ଛ ଏବଂ ଭଲ ସୂର୍ଯ୍ୟମୁଖୀ ତେଲ ମିଳିବା ଦ୍ବାରା ଅଧିକା ଦାମ ଦେଇ ମଧ୍ୟ ଖରିଦ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ତେବେ ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଫଳତା ନେଇ ସମସ୍ତେ ଆଶାବାଦୀ ବୋଲି ପ୍ରଶାସନ ଏବଂ ସ୍ଥାନୀୟ ଅଂଚଳବାସୀ କହିଛନ୍ତି।

ସମ୍ବନ୍ଧିତ ଖବର