ରାୟଗଡ଼ା: ଦିନ ଥିଲା ବିଶାଖାପାଟଣା, କୋଲକାତାରୁ ଫୁଲ ନ ଆସିଲେ ଓଡ଼ିଶାରେ ତୋରଣ ବନ୍ଧା ହେଉନଥିଲା। ଏବେ ରାୟଗଡ଼ାରୁ ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ବ୍ରହ୍ମପୁର, ଭୁବନେଶ୍ବରକୁ ଫୁଲ ରପ୍ତାନି ହେଉଛି। ଚଳିତବର୍ଷ ୧୫୦ ଏକରରେ ହୋଇଥିବା ଫୁଲଚାଷରେ ୪ ହଜାର ମହିଳା ନିୟୋଜିତ ହୋଇଛନ୍ତି। ଏକର ପିଛା ଲାଭ ୮୦ ହଜାରରୁ ଦେଢ଼ ଲକ୍ଷ ହେଉଥିବାରୁ ଦାଦନ ରୋକିବାରେ ସହାୟକ ହୋଇଛି ଗେଣ୍ଡୁ ଫୁଲ ଚାଷ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଡେଙ୍ଗାସର୍ଗୀ ଗାଁ। ପୂର୍ବରୁ ଗାଁର ଅଧିକାଂଶ ଲୋକ (ଉଭୟ ପୁରୁଷ ଓ ମହିଳା) ଦାଦନ ଯାଇ ପରିବାର ପ୍ରତିପୋଷଣ କରୁଥିଲେ। ଏବେ କିନ୍ତୁ ଗ୍ରାମବାସୀଙ୍କ ଜୀବିକା ଓ ଆୟର ମାଧ୍ୟମ ବଦଳାଇ ଦେଇଛି ଗେଣ୍ଡୁଫୁଲ ଚାଷ। ୫ ଏକରରୁ ଆରମ୍ଭ ହୋଇଥିବା ଚାଷ ଏବେ ୪୦ ଏକରରେ ପହଞ୍ଚିଛି। କାବେରୀ ସ୍ବଂୟ ସହାୟକ ଗୋଷ୍ଠୀ ପକ୍ଷରୁ ଉତ୍ପାଦନ ହେଉଥିବା ଆଫ୍ରିକାନ୍ ପ୍ରଜାତିର ଗେଣ୍ଡୁ ଫୁଲର ଚାହିଦା ବେଶ ଥିବାରୁ ଏହା ରାୟଗଡ଼ାରେ ବିକ୍ରି ହେବା ସହ ବାହାର ଜିଲ୍ଲା ଓ ରାଜ୍ୟକୁ ମଧ୍ୟ ଯାଉଛି। ଫୁଲ ଉତ୍ପାଦନରେ ଉଲ୍ଲେଖନୀୟତା ପାଇଁ ଗତବର୍ଷ ଭୁବନେଶ୍ବରରେ ଅନୁଷ୍ଠିତ କୃଷି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଂୟ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିଛନ୍ତି। କାବେରୀ ଭଳି ରାୟଗଡ଼ା ଜିଲ୍ଲାର ୪୬ ସ୍ବଂୟ ସହାୟକ ଗୋଷ୍ଠୀ ଏବେ ଗେଣ୍ଡୁ ଫୁଲ ଚାଷକୁ ଆପଣାଇ ନେଇଛନ୍ତି।
ଫୁଲ ଚାଷରେ ନିୟୋଜିତ ଗୋଷ୍ଠୀ ଓ ମହିଳା ପୂର୍ବରୁ ପନିପରିବା ସହ ଅନ୍ୟ ଫସଲ ଚାଷ କରୁଥିଲେ। କିନ୍ତୁ ଅଧିକାଂଶ ସମୟ ଅଳ୍ପ ଲାଭରେ ହିଁ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡୁଥିଲା। ବେଳେବେଳେ କ୍ଷତି ମଧ୍ୟ ସହିବାକୁ ପଡୁଥିଲା। ଗେଣ୍ଡୁ ଫୁଲ ଚାଷ ଆପଣାଇବା ପରେ ମହିଳାଙ୍କୁ ଆଉ କ୍ଷତି ସହିବାକୁ ପଡୁନଥିବା ଓଡ଼ିଶା ଜୀବିକା ମିଶନ୍ ଜିଲ୍ଲା ପରିଚାଳକ ହେମନ୍ତ ବାଘ କହିଛନ୍ତି। ଗତ ୩ ବର୍ଷ ତଳେ ରାୟଗଡ଼ା ଜିଲ୍ଲାରେ ଗେଣ୍ଡୁ ଫୁଲ ଚାଷ ଆଶାତୀତ ଭାବେ ହେଉନଥିଲା। ୫ ଏକରରୁ ଆରମ୍ଭ କରି ସର୍ବାଧିକ ଭାବେ ୨୫ ଏକର ପର୍ଯ୍ୟନ୍ତ ଚାଷ ହେଉଥିଲା। ଉଦ୍ୟାନ୍ ବିଭାଗ-ଓଡ଼ିଶା ଜୀବିକା ମିଶନ୍ ପ୍ରୟାସ ପରେ ଏବେ ଜିଲ୍ଲାର କୋଲନରା, କଲ୍ୟାଣସିଂହପୁର, ମୁନିଗୁଡ଼ା, ବିଷମକଟକ, କାଶୀପୁର, ରାମନାଗୁଡା ବ୍ଲକର ୧୫୦ ଏକରରେ ପହଞ୍ଚିଛି ଗେଣ୍ଡୁ ଫୁଲ ଚାଷ। ଚାଷ ଆରମ୍ଭରେ ଉତ୍ପାଦିତ ହେଉଥିବା ଫୁଲ ୩/୪ ଦିନରେ ନଷ୍ଟ ହୋଇ ଯାଉଥିବାରୁ ଏବେ ଉତ୍କୃଷ୍ଟମାନର ଆଫ୍ରିକାନ୍ ଚାରା କୋଲକାତାରୁ ଆଣି ଚାଷୀଙ୍କୁ ପ୍ରଦାନ କରାଯାଉଛି। ଏବେ ଉତ୍ପାଦିତ ହେଉଥିବା ଫୁଲ ୬ରୁ ୭ ଦିନ ରହୁଥିବାରୁ ତୋଳିବା ପରେ ବିଭିନ୍ନ ଅଞ୍ଚଳକୁ ରପ୍ତାନି କରିବାରେ ଚାଷୀଙ୍କୁ ସୁବିଧା ହେଉଛି। ଧୀରେ ଧୀରେ ଅନ୍ୟ କାମଧନ୍ଧାରେ ନିୟୋଜିତ ମହିଳା ଗେଣ୍ଡୁ ଫୁଲ ଚାଷ ପ୍ରତି ଆକୃଷ୍ଟ ହେଉଥିବାରୁ ଆଗାମୀ ଦିନରେ ଅଧିକ ପରିମାଣରେ ଚାଷ କରିବାକୁ ସରକାର ପ୍ରୟାସ କରୁଥିବା କହିଛନ୍ତି ଉଦ୍ୟାନ୍ କୃଷି ବିଭାଗ ଉପନିର୍ଦେଶକ ପତିତପାବନ ସାମନ୍ତରାୟ।