କଟକ/ଆଠଗଡ଼: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କଟକର ସରକାରୀ ଓଡ଼ିଆ ସ୍କୁଲରେ ଆରମ୍ଭ ହୋଇଛି ‘ସୁପର ୩୦’ କାର୍ଯ୍ୟକ୍ରମ। ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ଵନାଥ ବିଦ୍ୟାପୀଠରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ ୫-ଟି ସଂସ୍କାର ମାଧ୍ୟମରେ ଶିକ୍ଷାୟତନର ଗୁଣାତ୍ମକ ମାନ ଓ ଭିତ୍ତିଭୂମି ବିକାଶ ନିମନ୍ତେ ସରକାର ବଦ୍ଧପରିକର ବୋଲି କହିଛନ୍ତି। ଏହା ଫଳରେ ଆଗାମୀ ୬ ରୁ ୭ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ୩୦ଜଣ ତାରକା ସୃଷ୍ଟି ହୋଇପାରିବେ ଓ ଅଞ୍ଚଳର ସାମୂହିକ ବିକାଶ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଅନ୍ୟପଟେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ପିଲାଙ୍କର ପ୍ରଥମ କ୍ଲାସ୍ ନେବା ସହିତ ‘ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗାନ୍ଧୀ ଯୁଗ’ ସଂପର୍କରେ ପଢ଼ାଇଛନ୍ତି। ଇତିହାସର ବିଭିନ୍ନ ଘଟଣାକୁ ପିଲାମାନେ କିପରି ସହଜରେ ମନେ ରଖିବେ ସେ ସଂପର୍କରେ ଜିଲ୍ଲାପାଳ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ୬୯ ପ୍ରତିଶତରୁ ଅଧିକ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନଙ୍କୁ ସୁପର୍ ୩୦ ତାଲିକାରେ ସ୍ଥାନିତ କରାଯାଇଛି। କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ସରକାରୀ ସ୍କୁଲରେ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ତଥା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ଡକ୍ଟର ଭବାନୀ ଶଙ୍କର ଚୟନୀ କହିଛନ୍ତି। ଜିଲ୍ଲାପାଳ ଡକ୍ଟର ଚୟନୀ ବିଶ୍ଵନାଥ ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର। ଏହି ବିଦ୍ୟାଳୟକୁ ସେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଶିକ୍ଷାୟତନର ଆନୁସଙ୍ଗିକ ଭିତ୍ତିଭୂମିକୁ ମଜଭୁତ କରିବା ନିମନ୍ତେ ଆରତୀ ଷ୍ଟିଲ୍ର ସଭାପତି ଏ୍ଲ.ଟି.ପି ନାରାୟଣ ବିଶ୍ଵନାଥ ବିଦ୍ୟାପୀଠକୁ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହ ଆଠଗଡ ଅଞ୍ଚଳର ଯୋଗ୍ୟ ଯୁବକ/ଯୁବତୀଙ୍କୁ ଆରତୀ ଷ୍ଟିଲ୍ରେ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ ବୋଲି ଘୋଷଣା କରିଥିଲେ। ଏତଦ୍ବ୍ୟତୀତ ସୌରଭ ପ୍ରକାଶନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସୁରେଶ ଉରାଲୱାଲା ମେଧାବୀ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ପାଠ୍ୟ ଓ ଅନ୍ୟାନ୍ୟ ଉପାଦେୟ ପୁସ୍ତକ ପ୍ରଦାନ କରିବା ସହ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ପାଇଁ ବିନା ମୂଲ୍ୟରେ ପୁସ୍ତକ ପ୍ରଦାନ କରିବେ ବୋଲି କହିଥିଲେ। ଓରିକ୍ଲିନ୍ର ପରିଚାଳନା ନିର୍ଦେଶକ ବି.ସି ମହାନ୍ତି ଯୋଗଦେଇ ସୁପର୍-୩୦ ଅନ୍ତର୍ଗତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ହର୍ଲିକ୍ସ ପ୍ରଦାନ କରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍ଟିପିସିର ସାଧାରଣ ପରିଚାଳକ ରଜନୀଶ ରସ୍ତୋଗି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଆଠଗଡ଼ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖଚନ୍ଦ୍ର ଦାଶ, ଭାରପ୍ରାପ୍ତ ସହକାରୀ ସୂଚନା ଅଧିକାରୀ ଅଭିରାମ ଦାସ, ବ୍ଲକ ଶିକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ସାମଲ, ବିଶ୍ଵନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମର କୁମାର ମହାରଣା, ମିସନ୍ ଜିରୋ-ଏଫ୍ର କେନ୍ଦ୍ର ମୁଖ୍ୟ ରଶ୍ମିତା ମିଶ୍ର, ସଂଯୋଜିକା ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ସ୍ଵାଇଁ ଓ ଜିଲ୍ଲାପାଳ ସୁପର୍-୩୦ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ସହ ବସ୍ତାନି ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/SUPER-1080048.jpg)