ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଲୁଙ୍ଗାଝରରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଜଣେ ସୁପରଭାଇଜରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହୃତ ସୁପରଭାଇଜରଙ୍କ ନାମ ସୁରେଶ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅନ୍ୟ କର୍ମଚାରୀମାନେ କ୍ୟାମ୍ପ ଛାଡ଼ି ପଳାଇଥିବା ବେଳେ କାମ ବନ୍ଦ ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଓମବାଡ୍ସି ଅନୁଦାନରେ ଲୁଙ୍ଗାଝରଠାରୁ ଅନଶିଳା ପର୍ଯ୍ୟନ୍ତ ରାସ୍ତା କାମ ଚାଲୁଛି। ଲୁଙ୍ଗାଝରରେ ରାସ୍ତା କାମ କରୁଥିବା ଠିକାସଂସ୍ଥାର ଏକ କ୍ୟାମ୍ପ ରହିଛି। କ୍ୟାମ୍ପରେ ରହୁଥିବା କର୍ମଚାରୀଙ୍କ କହିବା ଅନୁସାରେ, ୨୮ ତାରିଖରେ କ୍ୟାମ୍ପରେ ସୁପରଭାଇଜର ସୁରେଶଙ୍କ ସହ ୫ଜଣ ଶୋଇଥିଲେ। ବିଳମ୍ୱିତ ରାତିରେ ୧୦ଜଣ ଦୁର୍ବୃତ୍ତ ବନ୍ଧୁକ ଧରି କ୍ୟାମ୍ପରେ ପ୍ରବେଶ କରିଥିଲେ। ସେମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଟି ମୋବାଇଲ ଏବଂ ୫ ହଜାର ଟଙ୍କା ଲୁଟ୍ କରିବା ସହ ସୁପରଭାଇଜର ସୁରେଶଙ୍କୁ ଅପହରଣ କରିନେଇଥିଲେ। ଏଯାଏ ତାଙ୍କର କୌଣସି ଖୋଜ୍ ଖବର ମିଳିନି। ଏନେଇ କାଞ୍ଜିପାଣି ଥାନା ଅଧିକାରୀ ବରେନ୍ଦ୍ର ଶିଅଳଙ୍କୁ ପଚାରିବାରୁ, ସେ କିଛି କହିବାକୁ ମନା କରିଥିଲେ। କେଉଁ କାରଣରୁ ସୁରେଶଙ୍କୁ ଅପହରଣ କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ବ୍ୟକ୍ତିଗତ ଆକ୍ରୋଶ କିମ୍ବା ଅର୍ଥ ଆଦାୟ ପାଇଁ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/33613e7e-e679-450b-b7ab-acf16bae5940.jpg)