ନିର୍ବାଚନ ପ୍ରଚାରର ଯୋଗାଣ ସହାୟକ, ଜିଲ୍ଲାପାଳଙ୍କୁ ଫେରାଦ ହେଲା ବିଜେପି

ସୁନ୍ଦରଗଡ଼ : ଭୋଟ୍ ମାଗୁଛନ୍ତି ପଞ୍ଚାୟତ ଯୋଗାଣ ସହାୟକ।  ପ୍ରଚାର ସଭାରେ ଦଳୀୟ ପ୍ରାର୍ଥୀଙ୍କ ସହ ବସି ଖୋଲାଖୋଲି ନିର୍ବାଚନ ପ୍ରଚାର କରୁଛନ୍ତି ।  ନିଜ ପଦବିର ଏପରି ଅପବ୍ୟବହାର କରିଛନ୍ତି କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅମିତ ପଟେଲ।

ଶ୍ରୀ ପଟେଲ ସଦର ବ୍ଲକ୍ ସରକାରୀ ଦଳର ପ୍ରାର୍ଥୀଙ୍କ ବିଭିନ୍ନ ସଭାରେ ଅତିଥି ଭାବେ ଯୋଗ ଦେଇଥିବା  ନଜରକୁ ଆସିଛନ୍ତି । ଏହାର  ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ କଡା ମାର୍ଗଦର୍ଶିକା ଜାରି କରିଛନ୍ତି ।  ଏଥିରେ ପ୍ରଶାସନର  ଅଧିକାରୀ ବା କର୍ମଚାରୀ କୌଣସି ପ୍ରାର୍ଥୀଙ୍କ ସପକ୍ଷ କି ବିପକ୍ଷରେ ପ୍ରଚାର କରିବା ଉପରେ ବାରଣ ରହିଛି । ଏହାର ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଆଇନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନ ସତର୍କ କରାଇଛନ୍ତି । ଏହା ସତ୍ତ୍ବେ  ଜଣେ ଯୋଗାଣ ସହାୟକ କିପରି  ନିର୍ବାଚନୀ ସଭାରେ ବସି ପ୍ରଚାର କରୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ ।

ସମ୍ବନ୍ଧିତ ଖବର