ବଡ଼କୁଟରୁ ଧାନ ମଣ୍ଡି ପରିଦର୍ଶନ କଲେ ଯୋଗାଣ ଅଧିକାରୀ, ୨ ଦିନ ହେଲା ମଣ୍ଡିରେ ପଡ଼ିଛି ଧାନ; ଶୀତ କାକରରେ ଚାଷୀ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ବଡ଼କୁଟରୁ ଏବଂ ମଣ୍ଡଳ ପ୍ରାଥମିକ ସେବା ସମବାୟ ସମିତି ଅଧୀନରେ ଥିବା ବଡ଼କୁଟରୁ ଓ ମଣ୍ଡଳ ମଣ୍ଡିରେ ଗତ ୧୬ ତାରିଖରୁ ଧାନ ପଡ଼ିରହିଛି। ଖୋଲା ଆକାଶରେ ଶୀତ କାକରରେ ମଣ୍ଡିରେ ଜଗି ରହିଛି ଚାଷୀ। ଟୋକନ୍‌ ପାଇଲା ପରେ ସେହି ଅନୁସାରେ ଧାନକୁ ପ୍ରସ୍ତୁତ କରି ଚାଷୀ ମଣ୍ଡିରେ ରଖିଛି। ହେଲେ ୨ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକ୍ରି ହୋଇପାରିନଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛି। ଏହି ୨ଟି ମଣ୍ଡିରେ ହଜାରେ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଧାନ ପଡ଼ିରହିଥିବା ସୂଚନା ମିଳିଛି।

କଲମପୁର ବ୍ଲକ୍‌ରେ ଚଳିତ ଖରିଫ ଋତୁ ପାଇଁ ୩ଟି ପେକ୍ସ ଅଧୀନରେ ୧୨ଟି ମଣ୍ଡି ଏବଂ ୪ଟି ମଣ୍ଡି ଏସ୍‌ଏଚ୍‌ଜି ଦ୍ୱାରା ପରିଚାଳିତ ହେବ। କିନ୍ତୁ ଚଳିତ ଖରିଫ ଋତୁରେ କେତେ ଧାନ ସଂଗ୍ରହ କରାଯିବ ସେହି ଟାର୍ଗେଟ ବର୍ତ୍ତମାନ ଜଣାପଡୁନଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ସରକାର ନଭେମ୍ବର ୧ ତାରିଖରୁ ମଣ୍ଡି ଖୋଲିବାକୁ ପୂର୍ବରୁ ଧାର୍ଯ୍ୟ କରିଥିଲେ ମଧ୍ୟ ପରବର୍ତୀ ସମୟରେ ଏହା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଚଳିତ ଖରିଫ ଋତୁର ଧାନ ସଂଗ୍ରହ ସରକାରୀ ଘୋଷଣା ମୁତାବକ ବିଳମ୍ବ ହୋଇଛି। ତଥାପି ଆଜି ଯାଏଁ ମଣ୍ଡିରୁ ଧାନ ଉଠାଣ ହୋଇ ପାରୁନାହିଁ। ଆରମ୍ଭରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ଜଣାପଡ଼ିଛି।

ପେକ୍ସ ଗୁଡ଼ିକରେ ଚାଷୀର ଟୋକନ୍‌ ଗୋଟିଏ ଦିନ ପୂର୍ବରୁ ଦେଖାଦେଉଛି। ତେଣୁ ପେକ୍ସ କର୍ମଚାରୀମାନେ ଚାଷୀଙ୍କୁ ଆଗୁଆ ସୂଚନା ଦେଇପାରୁନାହାନ୍ତି। କିନ୍ତୁ ଚାଷୀଙ୍କୁ ପୂର୍ବରୁ ମୋବାଇଲରେ ମେସେଜ୍‌ ଯାଉଥିବା ବ୍ୟବସ୍ଥା ରହିଥିଲେ ମଧ୍ୟ ଅନେକ ଚାଷୀ ଏହି ମେସେଜକୁ ଜାଣିନପାରି ପେକ୍ସ କର୍ମଚାରୀଙ୍କୁ ଯୋଗାଯୋଗ କରି ବୁଝୁଛନ୍ତି। କିନ୍ତୁ ପେକ୍ସ କର୍ମଚାରୀ ମଧ୍ୟ ପୂର୍ବରୁ ସଠିକ୍‌ ସୂଚନା ଦେଇପାରୁ ନଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଦୈନିକ ଟୋକନ୍‌ ବାହାରୁଥିଲେ ମଧ୍ୟ ଧାନ ନିୟମିତ ଉଠାଣ ହେଉନଥିବାରୁ ମଣ୍ଡିରେ ଧାନ ଭିଡ଼ ରହିବା ସମ୍ଭାବନା ଦେଖାଦେଇଛି। ଫଳରେ ଧାନ ଉଠାଣରେ ବିଶୃଙ୍ଖଳାକୁ ଏଡ଼ାଇ ଦିଆଯାଇନପାରେ। ଏହାବାଦ୍‌ ଚଳିଚ ବର୍ଷ ପୂର୍ବବର୍ଷ ଭଳି ଡାଟାବେସ୍‌ ଗୁଡ଼ିକରେ ତ୍ରୁଟି ରହିଥିବା ଅଭିଯୋଗ ଆସୁଛି। ସବୁ ବ୍ୟବସ୍ଥା ରାଜ୍ୟସ୍ତରରୁ ହେଉଥିବାରୁ ପେକ୍ସରୁ କିଛି ସହଯୋଗ ନମିଳିବାରୁ ସମସ୍ୟା ଦେଖାଯାଉଛି। ଏଭଳି ସମସ୍ୟା ଗୁଡ଼ିକର ସମାଧାନ ତୁରନ୍ତ କରାଯିବାକୁ ଚାଷୀ ମହଲରେ ଦାବି ହେଉଛି।

ମଣ୍ଡିରେ ୨ଦିନ ହେଲା ଧାନ ପଡ଼ି ରହିଥିବାରୁ ବୁଧବାର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଏବଂ ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା ପ୍ରମୁଖ ବଡ଼କୁଟରୁ ପେକ୍ସକୁ ପରିଦର୍ଶନରେ ଆସିଥିଲେ। ବଡ଼ କୁଟରୁ ପେକ୍ସ ସମ୍ପାଦକ ସୁରେଶ ଶତପଥୀ ଏବଂ ଚାଷୀମାନଙ୍କ ସମସ୍ୟା ଗୁଡିକ ବୁଝିବାପରେ ମଣ୍ଡିରେ ପଡ଼ିଥିବା ଧାନକୁ ଶୀଘ୍ର ଉଠାଯିବ ବୋଲି କହିଥିଲେ। ଆସନ୍ତା ୨୫ ତାରିଖରୁ ନିୟମିତ ଉଠାଣ କରାଯିବାକୁ କହିଥିବା ବିଭାଗୀୟ ସୂତ୍ରରୁ ଶୁଣିବାକୁ ମିଳିଛି। ମଣ୍ଡଳ ମଣ୍ଡିରୁ ଧାନ ଉଠାଣ ଆସନ୍ତା ଗୁରବାର ଆରମ୍ଭ ହେବବୋଲି ମଣ୍ଡଳ ପେକ୍ସ ସମ୍ପାଦକ ନବୀନ ନାଗ କହିଛନ୍ତି। ଚାଷୀମାନଙ୍କ ସମସ୍ୟାକୁ ଅତି ଶୀଘ୍ର ସମାଧାନ କରି ମଣ୍ଡିରେ ଦ୍ରୁତ ଗତିରେ ଧାନ କ୍ରୟ କରିବାକୁ ଚାଷୀମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର