ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ସୁପ୍ରଭା ଦାନୀଙ୍କ ସଫଳତା, ନିଜେ ରୋଜଗାର କରି ଚଳାଉଛନ୍ତି ୫ ପରିବାର

ଗାଈ ପାଳି ଦିନକୁ ୧୨୦ ଲିଟର କ୍ଷୀର ସଂଗ୍ରହ, ଘର ସମ୍ମୁଖରେ ଫୁଲ ବଗିଚା, ବାଡ଼ିରେ କିଚେନ ଗାର୍ଡେନ

ବୀରମହାରାଜପୁର(ଯୁଗଳ ମିଶ୍ର): ମହିଳା ଦୁର୍ବଳା ନୁହଁନ୍ତି। ସବୁବେଳେ ମହିଳା ସଶକ୍ତ। ପ୍ରବଳ ଇଚ୍ଛା ଶକ୍ତି ଓ ଦୃଢ଼ ମନୋବଳ ଥିଲେ ଜଣେ ମହିଳା ଅନେକ କିଛି କରିପାରିବେ। ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବେ। ଏମିତି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁପ୍ରଭା ଦାନୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ନିକଟସ୍ଥ ଶୌର୍ଯ୍ୟ ନଗରପଡ଼ାରେ ରୁହନ୍ତି ସୁପ୍ରଭା।

ଜଣେ ଉଚ୍ଚ ଶିକ୍ଷିତା ଗୃହିଣୀ ହୋଇଥିଲେ ମଧ୍ୟ ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ସେ ନିଜସ୍ୱ ଉଦ୍ୟମରେ ୨୦୧୭ ମସିହାରେ ଚାରୋଟି ଗାଈଙ୍କୁ ନେଇ ଆରମ୍ଭ କରିଥିଲେ ତାଙ୍କର ମିଶନ। ପ୍ରଥମ ବର୍ଷ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ପଛକୁ ଚାହିଁ ନଥିଲେ। କିନ୍ତୁ ତାପରେ ବିଭିନ୍ନ ପ୍ରଜାତିର ଗାଈଙ୍କୁ ନେଇ ଡାଏରି ଫାର୍ମାକୁ ମଜବୁତ କରିଥିଲେ। ତାଙ୍କ ଫାର୍ମରେ ଜର୍ସି, ସିବିଜର୍ସି, ଗିର୍‌ ଓ ହଷ୍ଟ୍ରୀୟେନ୍‌ ପ୍ରଜାତିର ଗାଈ ରଖିଛନ୍ତି। ଆଜିର ସୁପ୍ରଭା ଦିନକୁ ୧୧୦ରୁ ୧୨୦ ଲିଟର କ୍ଷୀର ଉତ୍ପାଦନ କରନ୍ତି।

 

ସୁପ୍ରଭା କ୍ଷୀର ବିକ୍ରି କରିବାରେ କିଛିଟା ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଅଧ୍ୟାପକ ସ୍ୱାମୀ ଅନିଲ ଦାନୀଙ୍କ ସହ ଆଲୋଚନା ପରେ ଆରମ୍ଭ କରିଥିଲେ ଦହି, ପନିର, ଛେନାପୋଡ଼, ରାବିଡି ଓ ଘିଅ ପ୍ରସ୍ତୁତି। ଏସବୁ କାର୍ଯ୍ୟ ଆରମ୍ଭ କଲାପରେ ତାଙ୍କର କ୍ଷୀର ବିକ୍ରି କରିବାରେ ଯେଉଁସବୁ ଅସୁବିଧା ହେଉଥିଲା ତାହା ଦୂର ହୋଇଯାଇଛି।

ମୋବାଇଲ୍‌ ଓ ଖବରକାଗଜ ପଢ଼ି କିଛି କରିବାକୁ ମନରେ ସଂକଳ୍ପ ନେଇଥିଲି। ଗୋଟିଏ ଗାଈକୁ ନେଇ ମିଶନ ଆରମ୍ଭ କରିଥିବା ବେଳେ ଏବେ ମୋ ଫାର୍ମରେ ୨୫ଟି ଗାଈ ଅଛନ୍ତି। କିଛି ଗାଈ ଯେତେବେଳେ ଗର୍ଭଧାରଣ କରୁଛନ୍ତି, ସେହି ସମୟରେ କ୍ଷୀର ଉତ୍ପାଦନ କମିଯାଉଛି। ତେଣୁ ଗୋଖାଦ୍ୟ କିଣିବା ଓ ଶ୍ରମିକମାନଙ୍କ ପାରିଶ୍ରମିକ ଦେବା ପାଇଁ ଟଙ୍କା ଅସୁବିଧା ନହେବା ଲାଗି ଛତୁଚାଷକୁ ବିକଳ୍ପ ବାଛିଥିଲି। ୮୦୦ ବର୍ଗ ଫୁଟ ସ୍ଥାନରେ ଏବେ ଦିନକୁ ୧୦ରୁ ୧୨ କିଲୋ ଛତୁ ଉତ୍ପାଦନ ହେଉଛି। ସ୍ଥାନୀୟ ବଜାରରେ ଏବେ ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି।
-ସୁପ୍ରଭା ଦାନୀ

 

କେବଳ ଗୋପାଳନ ନୁହେଁ, ବରଂ ବିଭିନ୍ନ ପ୍ରକାରର ପନିପରିବା, ଫୁଲ ଓ ଛତୁ ଚାଷ କରି ଭଲ ଟଙ୍କା ରୋଜଗାର କରୁଛନ୍ତି ସୁପ୍ରଭା। ସେ ଘର ଆଗରେ ଫୁଲ ବଗିଚା କରିଥିବା ବେଳେ ବାଡ଼ିରେ କିଚେନ ଗାର୍ଡେନ ସୃଷ୍ଟି କରିପାରିଛନ୍ତି। ଫଳରେ ସେ ୫ ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇ ପାରୁଛନ୍ତି। ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସୁପ୍ରଭା କହିଛନ୍ତି, ହ୍ରାଇଡ୍ରୋପନିକ ଗ୍ରାସ (ଘାସ) ବିନା ମାଟିରେ ହୋଇପାରିବ। ଏହାକୁ ମକା ବସ୍ତା ଭିତରେ ଦେଇ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଆଯାଇଥାଏ। ତାକୁ କାଢ଼ି ଆଉ ଏକ ବସ୍ତାରେ ୨ ଦିନ ଖୋଲା ସ୍ଥାନରେ ରଖାଯାଇଥାଏ। ତାପରେ ଗୋଟିଏ ଗୋଟିଏ ଟ୍ରେରେ ଏକ କିଲୋ ଲେଖାଏଁ ମଂଜି ଥୋଇ ଦିଆଯାଇଥାଏ। ଆଠ ଦିନ ମଧ୍ୟରେ ଘାସ ବାହାରି ଯାଇଥାଏ।

ସମ୍ବନ୍ଧିତ ଖବର