ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ମିଳିଲା ଦୁଇଟି ପ୍ରମାଣ, ପଟ୍ଟାଙ୍ଗୀରେ ବି ଖୋଳତାଡ଼

ଜୟପୁର: ସୁପ୍ରିମକୋର୍ଟରେ ଓଡ଼ିଶା ଆନ୍ଧ୍ର ବିବାଦୀୟ କୋଟିଆ ପ୍ରସଙ୍ଗ ବିଚାରାଧୀନ ରହିଛି। ଓଡିଶା ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ ପାଇଁ ରାଜ୍ୟ ସରକାର ୪ସପ୍ତାହର ମହଲତ ମାଗିଥିଲେ। ଏଥି ପାଇଁ ଜୟପୁର ସବରେଜିଷ୍ଟ୍ରୀ ଅଫିସରେ କାଗଜପତ୍ରର ଖୋଳତାଡ଼ କରାଯାଇଥିଲା। ଏଠାରୁ ଦୁଇଟି ପ୍ରମାଣମିଳିଛି। ଦୁଇଟି ଜମି ପଂଜୀକରଣ ହୋଇଛି। ପ୍ରକାଶ ଯୋଗ୍ୟ, ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଂଜର ତିନୋଟି ଗାଁରେ ଗାଁ ନାଁକୁ ପରିବର୍ତ୍ତନ କରି ଏହାରି ମଧ୍ୟରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରିଛି। ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆନ୍ଧ୍ର ଏହି ତିନୋଟି ଗାଁ ସେମାନଙ୍କର ବୋଲି ଏକ ସତ୍ୟପାଠ ଦାଖଲ କରିଥିଲେ। ଗତ ୧୯ତାରିଖ ଦିନ ଓଡିଶା ଏହି ମାମଲାର କାଉଣ୍ଟର ଦାଖଲ କରିବା ପାଇଁ ୪ସପ୍ତାହ ସମୟ ମାଗିଥିଲେ। ଜିଲ୍ଲାପ୍ରଶାସନ ଏବେ ଏଥି ପାଇଁ କାଗଜପତ୍ର ପ୍ରସ୍ତୁତି କାମ ଆରମ୍ଭ କରିଥିଲେ। ଏହି କ୍ରମରେ ଦୁଇଟି ପ୍ରମାଣପତ୍ର ମିଳିବା ପରେ ଆନ୍ଧ୍ରର ଚାଳ ଧରାପଡ଼ିଛି। ଆନ୍ଧ୍ର ଗଂଜେଇପଦରକୁ ଗଂଜେଇ ବାଦରା ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ବି ଦାଖଲ କରିଛି।

୧୯୫୦ ମସିହା ପେବୃଆରୀ ୬ତାରିଖ ଦିନ ଜୟପୁର ସବରେଜିଷ୍ଟ୍ରୀ କାର୍ଯ୍ୟାଳୟରେ ପଂଜିକରଣ କରାଯାଇଛି। ଗଂଜେଇପଦର ଗାଁର ଅର୍ଜୁନ ଡମ୍ବଙ୍କ ପୁଅ କମୁଳୁ ଡମ୍ବ ସେହି ଗାଁର ଚନ୍ଦ୍ର ଜାନୀଙ୍କ ପୁଅ ଦୁର୍ଲ୍ଲଭ ଜାନିଙ୍କୁ ଏକ ଜମି ଦେଇଥିବା ପଂଜିକରଣ କରାଯାଇଛି। ଡକୁମେଣ୍ଟ ନଂ ୮/୧୯୫୦ ଭଲ୍ୟୁମ୍ ନଂ ୪, ପେଜନଂ ୧୯୯, ୧୯୫୦ମସିହା ପେବୃଆରୀ ୭ତାରିଖ ଦିନ କରାଯାଇଥିବା ଖାତା ମିଳିଛି ବୋଲି କହିଛନ୍ତି ଜୟପୁର ସବରେଜିଷ୍ଟ୍ରୀ ଅଧିକାରୀ ଏମ୍.ନୀଳକଣ୍ଠ ନାଇଡୁ। ସେଭଳି ସେହି ଗଂଜେଇ ପଦର ଗାଁର ହିଁ ମଦନ ଡମ୍ବଙ୍କ ପୁଅ ଗୋପିନାଥ ଡମ୍ବ ସେହି ଗାଁର ପଡ଼ା ଜାନୀଙ୍କ ପୁଅ ଦୁର୍ଲ୍ଲଭ ଜାନୀଙ୍କୁ ଜମି ବିକ୍ରୀ କରି ଜୟପୁର ସବରେଜିଷ୍ଟ୍ରୀରେ ପଂଜିକରଣ କରିଛନ୍ତି। ୧୦୦ଟଙ୍କାରେ ଏହି ପଂଜିକରଣ ହୋଇଛି।

ଡକୁମେଣ୍ଟ ନଂ ୯୦/୧୯୫୪ ଭଲ୍ୟୁମ୍ ନଂ ୮, ପେଜନଂ ୨୦୯ରୁ ୨୧୦, ୧୯୫୪ମସିହା ନଭେମ୍ବର ୧୫ତାରିଖ ଦିନ କରାଯାଇଥିବା ଦ୍ବିତୀୟ ଖାତା ମିଳିଛି ବୋଲି କହିଛନ୍ତି ଜୟପୁର ସବରେଜିଷ୍ଟ୍ରୀ ଅଧିକାରୀ ଶ୍ରୀ ନାଇଡୁ। ଉଭୟ ଜମିର ନାଁ କୁସୁମ ଗଛ ବେଢ଼ା ଏବଂ ଗାଁ ନାଁ ଗଂଜେଇପଦର ଏବଂ ଥାନା ନନ୍ଦପୁର , ଜୟପୁର ବୋଲି ଲେଖାଯାଇଛି । ଏହି ଦୁଇଟି ପ୍ରମାଣ ସହ ପଟାଙ୍ଗୀ ତହସିଲ ଓ ସବରେଜିଷ୍ଟ୍ରୀରେ ବି କାଗଜପତ୍ର ଖୋଳତାଡ଼ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର