ଅଙ୍ଗଦାନ କରି ୬ ଜଣଙ୍କୁ ଜୀବନ ଦେଇଥିଲେ ସୂରଜ ସେଠୀ, ବାପା-ମା’ଙ୍କୁ ଏବେ ମିଳିଲା ୫ ଲକ୍ଷ ଟଙ୍କାର ସହାୟତା ରାଶି

ବ୍ରହ୍ମପୁର: ଅଙ୍ଗଦାନ କରି ଗୁଜୁରାଟ୍‌ର ସୁରଟ୍‌ରେ ୬ଜଣ ଲୋକଙ୍କୁ ନୂତନ ଜୀବନ ଦେଇଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ସୂରଜ ସେଠୀଙ୍କ ବାପା ବାବୁଲି ଓ ମା’ ଗୀତାଞ୍ଜଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂରଜ ସେଠୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି।

ସୂରଜଙ୍କ ବାପା-ମା’ଙ୍କ ଉପସ୍ଥିତିରେ ତାଙ୍କ ଭାଇ ରାଜୀବ ସେଠୀ ଜିଲ୍ଲାପାଳଙ୍କ ଠାରୁ ଚେକ୍‌ ଗ୍ରହଣ କରିଥିଲେ। ଜିଲ୍ଲାପାଳ ସୂରଜଙ୍କ ବାପା ମା’ଙ୍କୁ ପ୍ରଶଂସା କରିବା ସହ ଖୁବ୍‌ ଶୀଘ୍ର ବିଜୁ ପକ୍କା ଘର ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ଚେକ୍‌ ପାଇବା ପରେ ଉଭୟ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଅଙ୍ଗଦାନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍‌ ହେବା ପାଇଁ ଆହ୍ଵାନ ଦେଇଥିଲେ। ଚେକ୍‌ ପ୍ରଦାନ ସମୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ଲାଲ୍‌ ସିଂ ଅଞ୍ଚଳର ସୂରଜ ସେଠୀ ସୁରଟ୍‌ରେ ରହୁଥିଲେ। ସେ ଗତ ଅକ୍ଟୋବର ୨୯ରେ ସେଠାରେ ଏକ ସଡ଼କ ଦୂର୍ଘଟଣାରେ ଗୁରୁତର ଆହତ ହୋଇ ଏକ ଘରୋଇ ଡ଼ାକ୍ତରଖାନାରେ ୪ଦିନ ପଡ଼ି ରହିବା ପରେ ଗତ ନଭେମ୍ବର ୨ ତାରିଖରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ଗତ ନଭେମ୍ବର ୧୯ତାରିଖରେ ସୂରଜଙ୍କ ବାପା-ମା’ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ କରିଥିଲେ। ଏଣିକି ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଏହି କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସୂରଜଙ୍କ ନାମରେ ଉକ୍ତ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣ କରିଥିଲେ। ଏଥିସହ ମୃତ ସୂରଜଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ତେବେ ସୂରଜ ଆଖି ବୁଜିବା ପୂର୍ବରୁ ସୁରଟ୍‌ର ଏକ ସେ୍‌ୱଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ପିତା ମାତାଙ୍କୁ ଅଙ୍ଗଦାନ କରିବା ପାଇଁ ବୁଝାଇ ଥିଲେ। ପିତା ବାବୁଲି ଓ ମାଆ ଗୀତାଞ୍ଜଳି ନିଜ ପୁଅର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ଲାଗି ସମ୍ମତି ଦେଇଥିଲେ। ସୂରଜଙ୍କ ହୃତପିଣ୍ଡ, ଦୁଇ ବୃକକ୍‌, ଯକୃତ ଏବଂ ଦୁଇଟି ଚକ୍ଷୁ ପ୍ରତିରୋପଣ କରାଯାଇ ୬ଜଣ ବ୍ୟକ୍ତି ନୂତନ ଜୀବନ ପାଇଥିଲେ। ଏହି ମହତ୍‌ କାର୍ଯ୍ୟ ଲାଗି ସୂରଜଙ୍କ ପରିବାରକୁ ପ୍ରଶଂସାର ସୁଅ ଛୁଟିଥିଲା।

 

ସମ୍ବନ୍ଧିତ ଖବର