ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ବିଜେଡି ନଗର ସଭାପତି ରଞ୍ଜିତ କୁମାର ସାହୁଙ୍କ ଘରେ ସୁରତ ବ୍ୟବସାୟୀ ଗୋହିଲ ହେମନ୍ତ ସିଂଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ପଛରେ ବେଆଇନ ମଦ କାରବାର ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ହତ୍ୟାକାରୀଙ୍କୁ ଠାବ କରିବାରେ ପୁଲିସ ସକ୍ଷମ ହୋଇ ନାହିଁ। ଖୁବଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ପୋଲସରା ଥାନା ଅଧିକାରୀ କୌଶିକ ମାଝୀ କହିଛନ୍ତି।
ସୁରତରେ ହେମନ୍ତଙ୍କ ବେଆଇନ ମଦ କାରବାର ରହିଛି। ପୋଲସରା ଅଞ୍ଚଳର ୩ଜଣ ଯୁବକ ମଧ୍ୟ ସୁରତରେ ବେଆନ ମଦ କାରବାର କରୁଛନ୍ତି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାର କିଛି ଲୋକଙ୍କ ସହିତ ମୃତ ହେମନ୍ତଙ୍କ ଭଲ ସମ୍ପର୍କ ରହିଛି। ସୁରତରେ ରଞ୍ଜିତ ଓ ହେମନ୍ତ ଲୁଗା ବ୍ୟବସାୟ ମଧ୍ୟ ରହିଛି। ଉଭୟଙ୍କ ସମ୍ପର୍କ ଭଲ ରହିଥିବା ବେଳେ ହେମନ୍ତ ବିଭିନ୍ନ ସମୟରେ ପୋଲସରା ଆସିଥାନ୍ତି। ତାଙ୍କ ନାମରେ ଓଡ଼ିଶାରେ ୩ଟି ଅପରାଧ ମାମଲା ମଧ୍ୟ ରହିଛି। ଗତ ପ୍ରାୟ ୧୦ଦିନ ତଳେ ଏକ ମାମଲାର ଶୁଣାଣି ପାଇଁ ସେ ପୋଲସରା ଆସିଥିଲେ। ହେମନ୍ତ ତାଙ୍କର ବନ୍ଧୁ ରଞ୍ଜିତଙ୍କ ପୋଲସରା ବଜାର ସାହି ସ୍ଥିତ ଘରେ ରହିଥିଲେ। ଏହି ଖବର ପାଇ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ବୋଲି ପୁଲିସର ତଦନ୍ତରେ ଜଣାପଡ଼ିଛି।
ତେବେ ଗତ ରବିବାର ରାତିରେ ଅଭିଯୁକ୍ତମାନେ ହେମନ୍ତ ରହୁଥିବା ଘରକୁ ଯାଇ ତାଙ୍କୁ ଅତି ନିକଟକୁ ଗୁଳି କରିବା ସହିତ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ। ସୋମବାର ଦିନ ସକାଳୁ ଶୋଇଥିବା ଅବସ୍ଥାରେ ହେମନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ହତ୍ୟାକାଣ୍ଡ ପଛରେ କୌଣସି ପ୍ରକାର ରାଜନୈତିକ ଶତ୍ରୁତା ନଥିବା ପୁଲିସ ସ୍ପଷ୍ଟ କରିଛି। ବେଆଇନ ମଦ ବ୍ୟବସାୟକୁ କେନ୍ଦ୍ର କରି ସୁରତରେ ସୃଷ୍ଟି ହୋଇଥିବା କନ୍ଦଳ ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୁଲିସର ତଦନ୍ତରେ ଜଣାପଡ଼ିଛି। ଘଟଣା ପରେ ହତ୍ୟାକାରୀମାନେ ସୁରତ ଫେରାର୍ ହୋଇଯାଇଥିବା ପୁଲିସ ଅନୁମାନ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/4609127a-40ec-4b7e-b5a1-3dc749337dd7.jpeg)