ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡକେଡି ଗ୍ରାମରୁ ସ୍ବାମୀକୁ ହତ୍ୟା ଅଭିଯୋଗରେ ସ୍ତ୍ରୀ ସବିତା ନାୟକ(୪୬)କୁ ଜି. ଉଦୟଗିରି ପୁଲିସ ସହାୟତାରେ ଗୁଜରାଟର ସୁରଟ (ସଦର) କୋସାମ୍ବା ଥାନା ପୁଲିସ ଝିଅ ସୁନୀତା ନାୟକ(୧୯) ଓ ନାବାଳିକା ଝିଅକୁ ଘରୁ ଉଠେଇ ଆଣିଛି।
ସୂଚନା ଅନୁସାରେ, ମୃତ ନରେଶ ନାୟକ ନିଜ ଘର ରଟିଙ୍ଗିଆ ପଞ୍ଚାୟତର, ଡକେଡି ଗ୍ରାମ ଏବଂ ସ୍ତ୍ରୀ ସବିତା ନାୟକ ଗ୍ରାମ ବଡ଼ ଡାକପଲା, ପଞ୍ଚାୟତ ରାଇକଲାର ଦମ୍ପତି ଗୋଟିଏ ୧୯ ବର୍ଷ ଓ ଅନ୍ୟଟି ନାବାଳିକା ଝିଅଙ୍କ ସହ ବିଗତ ପ୍ରାୟ ୨୫/୩୦ ବର୍ଷ ହେବ ସୁରଟର ପିପଦରା ଅଞ୍ଚଳର ଉମଙ୍ଗ ରେସିଡେନ୍ସି ଘର ନମ୍ବର ୨୧୦ ରହି ଦାଦନ ଖଟି ଚଳୁଥିଲେ। କିନ୍ତୁ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଅଶାନ୍ତି କାରଣରୁ ପାଟିଦୁଣ୍ଡ ହେଉଥିଲା। ଚଳିତ ମାସ ୨ ତାରିଖ ପରେ ନରେଶ ଓ ତାଙ୍କ ପରିବାରକୁ ସାହି ପଡ଼ିଶା ଲୋକେ ସେମାନେ ରହିଥିବା ଘରେ ଦେଖି ପାରି ନଥିଲେ। କିନ୍ତୁ ଘର ଠାରୁ କିଛି ଦୂରରେ ଅଖାରେ ବନ୍ଧା ହୋଇ ପଡ଼ିଥିବା ନରେଶର ମୃତ ଶରୀର ସାହି ପଡିଶା ଲୋକେ ଦେଖିବା ପରେ ହତ୍ୟା ସନ୍ଦେହ କରି ତାଙ୍କ ଭାଇ ମୁନା, ଏବଂ ସାହିର ଏମଡି ୟାକୁବ୍, ଏମଡି ୟାଜିସ ସ୍ଥାନୀୟ ପୁଲିସକୁ ଲିଖିତ ଅଭିଯୋଗ ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରିବା ସହ ବ୍ୟବଛେଦ କରି ତଦନ୍ତ କରିବା ସହ କୋସାମା ଥାନାରେ ଧାରା ୩୦୨, ୨୦୧ ଓ ୧୧୪ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରେ ସ୍ତ୍ରୀ ଝିଅ ଅନୁପସ୍ଥିତ ଥିବା ପୁଲିସର ସନ୍ଦେହ ବଢିବା ପରେ କୋସାମା ଥାନା ପୁଲିସ ଦୁଇ ମହିଳା ଏବଂ ଦୁଇ ପୁରୁଷ ପୁଲିସ ଗତକାଲି ଜି. ଉଦୟଗିରିରେ ପହଞ୍ଚି ସ୍ଥାନୀୟ ଥାନାର ସହଯୋଗରେ ସ୍ତ୍ରୀ ସବିତା ନାୟକ, ଝିଅ ସୁନିତା ନାୟକ ଓ ନାବାଳିକା ସାନ ଝିଅକୁ ଜି. ଉଦୟଗିରି ପୁଲିସ ସହାୟତାରେ ନିଜ ଡକେଡି ଘରୁ ଥାନାକୁ ଉଠେଇ ଆଣିଥିଲେ।ଅଭିଯୁକ୍ତ ମାନଙ୍କୁ ସ୍ଥାନୀୟ କୋର୍ଟ ଚାଲାଣ ପରେ ସୁରଟ ପୁଲିସ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/WhatsApp-Image-2023-06-18-at-7.55.56-PM.jpeg)