ପୁରୀରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ର ସମୀକ୍ଷା

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରି ବିିଭନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିବା ସହ ଅଗ୍ରଗତି ସମୀକ୍ଷା କରିଛନ୍ତି। କରେନା କଟକଣା କୋହଳ ହେବାପରେ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ନିଆଯାଇଥିବା ଆବଶ୍ୟକ ପଦକ୍ଷେପ, ଶ୍ରୀମନ୍ଦିର ଭିତରେ ଥିବା ଜୟ ବିଜୟ ଦ୍ବାର, ବେହେରଣ ଦ୍ବାର, ଭୋଗ ମଣ୍ତପ ପଶ୍ଚିମଦ୍ବାର ଏବଂ ସାତପାହାଚ ଠ‌ା‌ରେ ନୂତନ ଭାବେ ଲାଗିଥିବା ରୂପା କବାଟ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆଦିର କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଥିଲେ। ଏଥିସହ ଜଗନ୍ନାଥ ବଲ୍ଳଭ ତୀର୍ଥଯାତ୍ରୀ ସ୍ଥଳ ଓ ପୁରୁଣା ଜେଲ ରୋଡ଼ରେ ବହୁତଳ ପାର୍କିଂ ନିର୍ମାଣ ଅଗ୍ରଗତିର ସମୀକ୍ଷା କରି ଏହାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନି‌ର୍ଦେଶ ଦେଇଥିଲେ।

ଗସ୍ତ ସମୟରେ ଶ୍ରୀ ମହାପାତ୍ର ସ୍ବର୍ଗଦ୍ବାର ପରିଦର୍ଶନ କରି ଶବଦାହ ପିଣ୍ତି, ପ୍ରଶାସନିକ ବ୍ଲକ, ପ୍ରତୀକ୍ଷାଳୟ ଓ ପଥଶ୍ରାଦ୍ଧ ଗୃହ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥି‌ଲେ। ସ୍ବର୍ଗଦ୍ବାର ସୌନ୍ଦର୍ଯ୍ୟକରଣ ସହ ଶବ ସତ୍କାର ନି‌ମନ୍ତେ ଅନୁଷାଙ୍ଗିକ ବ୍ୟବସ୍ଥା ପାଇଁ ପେ‌ଷାଦାର ସେବା ପ୍ରଦାନ ଏବଂ ଅନ୍ତୋଷ୍ଟି କ୍ରିୟାରେ ସାମିଲ ବନ୍ଧୁ ପରିଜନ ଯେପରି ଉତ୍ତମ ଅନୁଭୂତ୍ତି ନେଇ ଫେରିବେ ସେ ବିଷୟରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟର ବିିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପାଇଁ ମଧ୍ୟ ସେ ସମୟ ନିର୍ଘଣ୍ଟ କରିଥିଲେ। ପରେ ପରେ ମୁଖ୍ୟ ଶାସନ ସଚିବ ନୂତନ ଭାବେ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଓଡ଼ିଶା ସେତୁ ନିର୍ମାଣ ନିଗମର ମୁଖ୍ୟ ପରିଚାଳନା ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର