ଖୋର୍ଦ୍ଧା: ଚଳିତ ମାସ ୧୧ ତାରିଖରେ ଏକ ଜମିଜମା କାରବାର କରୁଥିବା ସଂସ୍ଥାର ପରିଚାଳକଙ୍କୁ ଅପହରଣ ଓ ୫ ଲକ୍ଷ ଟଙ୍କା ମୁଣ୍ଡଜାମିନ ରଖିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚନାର ବିଷୟ ଥିଲା। ଏହି ଘଟଣାରେ ଅପହୃତ ଓ ଅପହରଣକାରୀ ଗ୍ୟାଙ୍ଗର ୩ ଅଭିଯୁକ୍ତ ଧରାପଡ଼ିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ହାତଖଣ୍ଡି ଫେରାର୍ ହୋଇ ଯାଇଥିଲା। ଆଜି ପ୍ରାୟ ୧୨ ଦିନ ପରେ ସୂର୍ଯ୍ୟ ହାତଖଣ୍ଡି ଖୋର୍ଦ୍ଧା ପୁଲିସ ହାତରେ ଧରାପଡ଼ିଛି। ଜଙ୍କିଆ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ସୂଚନାନୁସାରେ, ୧୨ ତାରିଖରେ ଜଟଣୀ ହରିରାଜପୁର ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଏଥିରେ ଅପହୃତ ପରିଚାଳକ ସତ୍ୟନାରାୟଣ ବେହେରାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଅପହରଣରେ ବ୍ୟବହୃତ କାର୍ ସହ ୩ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଅପହରଣ କରିଥିବା ଗ୍ୟାଙ୍ଗ୍ ମୁଖ୍ୟ ସୁନୀଲ ପ୍ରଧାନ ଓରଫ ସୂର୍ଯ୍ୟ ହାତଖଣ୍ଡି ଓ ଅନ୍ୟ କିଛି ସାଥୀ ଫେରାର୍ ହୋଇ ଯାଇଥିଲେ। ଏହି ଘଟଣାରେ ଖୋର୍ଦ୍ଧା ଏସ୍ଡ଼ିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ସଦର ଥାନା, ଖୋର୍ଦ୍ଧା ଓ ଜଙ୍କିଆ ଥାନା ଆଇଆଇସିଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଗତକାଲି ଗୁଇନ୍ଦା ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସରଦାପୁର ଠାରେ ଚଢ଼ାଉ କରାଯାଇଥିଲା।
ସେଠାରୁ ସୂର୍ଯ୍ୟ ହାତଖଣ୍ଡିକୁ ଗିରଫ କରାଯାଇଛି। ଏସ୍ଡ଼ିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ ସୂର୍ଯ୍ୟ ଖଣ୍ଡି ଜଣେ ପେଷାଦାର ଅପରାଧୀ। ଏକ ମାମଲାରେ ଜେଲ୍ ଯାଇଥିଲା। ସେଠାରୁ ମୁକୁଳି ପୁଣି ଏଭଳି ଅପରାଧ କରିଛି। କେବଳ ଏହାନୁହେଁ, ସୁନୀଲ ବିରୋଧରେ ସଦର ଥାନା, ଜଙ୍କିଆ, ଟାଉନ୍ ଓ ଜଟଣୀ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଆଜି ସୁନୀଲର ଡାକ୍ତର ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ। ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିଥିବାରୁ ଅନ୍ୟ ଫେରାର୍ ଥିବା ଅଭିଯୁକ୍ତ ମଧ୍ୟ ଖୁବ୍ ଶୀଘ୍ର ଧରାପଡ଼ିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/APaharana-Mamalar-Mukhya-Surjya-giraf-Khordha-1.jpeg)