ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ନେଇ ବିବାଦ ଥମୁନି। ପ୍ଲାଣ୍ଟସାଇଟ୍‌ ପୁଲିସ ଆଜି ସୁସ୍ମିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ରିପୋର୍ଟରୁ ସୁସ୍ମିତା ପାଣିରେ ବୁଡ଼ି ଆତ୍ମହତ୍ୟା କରିଥିବା ଉଲ୍ଲେଖ କରାଯାଇଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟର ସତ୍ୟତାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଭଉଣୀଙ୍କର ମୃତ୍ୟୁ ଘଟଣାକୁ ଚାପି ଦେବାକୁ ପୁଲିସ ଓ ଡାକ୍ତର ମିଳିମିଶି ଏମିତି ରିପୋର୍ଟ ପ୍ରସ୍ତୁତ କରିଥିବା ଭାଇ ସନ୍ଦୀପ ମିଞ୍ଜ ଅଭିଯୋଗ କରିଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି କାମ ସାରିଦେଇଛନ୍ତି। ତାଙ୍କ ଲିଖିତ ଏତଲା ଅନୁଯାୟୀ ପୁଲିସ କାହିଁକି ହତ୍ୟା ମାମଲା ରୁଜୁ କରୁନାହାନ୍ତି ବୋଲି ସନ୍ଦୀପ ପ୍ରଶ୍ନ କରିଛନ୍ତି। ସିବିଆଇ ତଦନ୍ତ ହେଲେ ଭଉଣୀ ମୃତ୍ୟୁର ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରିବ। ନ ହେଲେ ନ୍ୟାୟାଳୟର ଆଶ୍ରୟ ନେବାକୁ ବାଧ୍ୟ ହେବ ବୋଲି ଭାଇ ସନ୍ଦୀପ କହିଛନ୍ତି। ପ୍ଲାଣ୍ଟସାଇଟ୍‌ ଅଧିକାରୀ କହିଛନ୍ତି ଶବ ବ୍ୟଚ୍ଛେଦ ରିପୋର୍ଟରୁ ସୁସ୍ମିତା ପାଣିରେ ବୁଡ଼ି ମରିଥିବା ସ୍ପଷ୍ଟ ହୋଇଛି। ସିସି ଟିଭି କାମ କରୁ ନଥିବାରୁ ସୁସ୍ମିତା କେତେବେଳ ପାର୍କ ଭିତରକୁ ପଶିଲେ ଜଣାପଡିନି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ସନ୍ଦୀପ ଅଭିଯୋଗ ଆଣିଥିବା ଜିଲ୍ଲାପାଳ, ଅତିରକ୍ତ ଜିଲ୍ଲାପାଳ, ଅନ୍ୟ ଅଧିକାରୀ ଓ ପାର୍କର ସିକ୍ୟୁରିଟି ଗାର୍ଡଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ତେବେ ଆଗାମୀ ଦିନରେ ସୁସ୍ମିତା ମୃତ୍ୟୁ ଘଟଣା କେଉଁ ମୋଡ଼ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ।

Advertisment

ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍‌ ଅଫିସକୁ ଆସୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ହେଲେ ୧୬ ତାରିଖରେ ଏଡିଏମ୍‌ ଅଫିସ୍‌ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଖୋଜାଖୋଜି କରି ରାତିରେ ସୁସ୍ମିତାଙ୍କୁ ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଠାବ କରିଥିଲା। ପରେ ଭାଇ ସନ୍ଦୀପଙ୍କୁ ସୁସ୍ମିତାଙ୍କ ସମ୍ପର୍କରେ ଜଣାଇଥିଲା। ପୁଲିସଠାରୁ ସୂଚନା ପାଇ ସନ୍ଦୀପ ତାଙ୍କ ମା’ଙ୍କୁ ନେଇ ଉକ୍ତ ହୋଟେଲରେ ପହଞ୍ଚିଥିଲେ। ସୁସ୍ମିତାଙ୍କୁ ଘରକୁ ନେବାକୁ ଚାହିଁଥିଲେ। ହେଲେ ସୁସ୍ମିତା ଘରକୁ ଯିବାକୁ ମନା କରି ଦେଇଥିଲେ। ସେହିଦିନ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓ ସନ୍ଦୀପଙ୍କ ଘରେ ପହଞ୍ଚି ସୁସ୍ମିତା ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ବୋଲି କହିବା ପରେ ପରିବାର ଲୋକଙ୍କ ସନ୍ଦେହ ଆହୁରି ବଢ଼ିଥିଲା। ଗୋଟିଏ ଦିନ ପରେ ଅର୍ଥାତ୍‌ ୧୯ ତାରିଖ ସଂଧ୍ୟାରେ ସେନ୍‌ସରି ପାର୍କ ପରିସରସ୍ଥ ପୋଖରୀରୁ ସୁସ୍ମିତାଙ୍କ ଶବ ମିଳିଥିଲା।