ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବ୍ଲକପଡ଼ାଠାରେ ରବିବାର ପୂର୍ବାହ୍ନରେ ଜଣେ ନବ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି। ଯୌତୁକ ପାଇଁ ଶାଶୂଘର ଲୋକ ତାଙ୍କୁ ମାରି ଦେଇଥିବା ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୋମବାର ମ୍ୟାଜିଷ୍ଟ୍ରେଟ୍‌ ଉପସ୍ଥିତିରେ ସାଇଣ୍ଟିଫକ୍‌ ଟିମ୍‌ ଦ୍ବାରା ଶବର ପଞ୍ଚନାମା ହେବ। ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯିବ।

ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟାରେ ବ୍ଲକପଡ଼ାର କାହ୍ନୁ ଚରଣ ଦାସ ତାଙ୍କ ପତ୍ନୀ ମନୀଷା ଦାସ(୨୪)ଙ୍କୁ ବେକରେ ଓଢ଼ଣି ଲାଗିଥିବା ଅବସ୍ଥାରେ ରେଙ୍ଗାଲି ଡାକ୍ତରଖାନାକୁ ଆଣିଥିଲେ। ବେକରେ ଓଢଣୀ ଦେଇ ଘର ଝରକାରେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛି ବୋଲି ଡାକ୍ତରଖାନାରେ କହିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ପୁଲସକୁ ଖବର ଦେଇଥିଲେ।

ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତ ମହିଳାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲା। ମନୀଷାଙ୍କ ବାପା ସମ୍ବଲପୁର ଫାଟକ ଅଞ୍ଚଳର ସୁରେଶ ବଗର୍ତ୍ତି ରେଙ୍ଗାଲିରେ ପହଞ୍ଚି ତାଙ୍କ ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ ୨୦୧୯ ମସିହା ନଭେମ୍ବର ମାସରେ ସେ ତାଙ୍କ ଝିଅକୁ ବିବାହ ଦେଇଥିଲେ। ବିବାହ ପରେ ଜ୍ବାଇଁ କାହ୍ନଚରଣ ଯୌତୁକ ଦାବି କରି ଝିଅକୁ ମାରପିଟ୍‌ ଓ ନିର୍ଯାତନା ଦେଉଥିଲେ। ରବିବାର ପୂର୍ବାହ୍ନରେ ସେ ତାଙ୍କ ଝିଅକୁ ପିଟିପିଟି ମାରି ଆତ୍ମହତ୍ୟାର ରୂପ ଦେଇଥିବା ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରେଙ୍ଗାଲି ପୁଲିସ କେସ୍‌ ନମ୍ବର ୨/୨୦୨୧ରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ସ୍ୱାମୀ କାହ୍ନୁଚରଣଙ୍କୁ ଅଟକ ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର