ରାଉରକେଲା: ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ନିଲମ୍ବିତ ଯୁବନେତା ରବୀନ୍ଦ୍ର ପ୍ରଧାନ ରାଉର‌କେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପରେ ବର୍ଷିଛନ୍ତି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ। ସଦାସର୍ବଦା ବିଜେଡିର ନୀତି ଓ ଆଦର୍ଶରେ ବିଶ୍ବାସ ରଖନ୍ତି। କିଛି କୁଚକ୍ରୀ ଗୋଷ୍ଠୀ ହାଇକମାଣ୍ଡକୁ ଭୁଲ ତଥ୍ୟ ଦେଇଥିବାରୁ, ତାଙ୍କୁ ଆଜି ଏଭଳି ଦଶା ଭୋଗିବାକୁ ପଡ଼ିଛି। ‘ଦଳର ହାଇକମାଣ୍ଡ ଦେଇଥିବା ନିଲମ୍ବନ ଆଦେଶକୁ ମଥାପାତି ଗ୍ରହଣକରୁଛି। ନିଲମ୍ବିତ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସର୍ବଦା କାମ କରିବି। କୌଣସି ଦଳକୁ ଯିବାର ପ୍ରଶ୍ନ ଉଠୁନାହିଁ। ଦଳ ବିରୋଧୀ ଆଚରଣ କରିବି ନାହିଁ’ ବୋଲି ସେ କହିଥିଲେ। ଉଭୟ ସାରଦା ଏବଂ ପ୍ରୀତିରଞ୍ଜନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସେ କହିଲେ, ରାଜ୍ୟରେ ଆମର ଗୋଟିଏ ନେତା, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ମାସ ହେଲା ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

Advertisment

ନବୀନ ସେନା ପରିବର୍ତ୍ତେ ‘ସାରଦା ସେନା’ କାମ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଜିଲ୍ଲାରେ କ୍ଷୁଣ୍ଣ କରାଯାଉଛି। ଜିଲ୍ଲାରେ ବିଧାୟକ ସାରଦା ନାୟକଙ୍କ ଏଭଳି ନୀତି ଆଦୌ ଚାଲିବ ନାହିଁ। ଜିଲ୍ଲାରେ ସାରଦାଙ୍କ ନେତୃତ୍ବ ଯୋଗୁ ଦଳୀୟ ସଙ୍ଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି। ଜିଲ୍ଲାରେ ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି କେବଳ ରାଉରକେଲା ଓ ରଘୁନାଥପାଲିରେ ସୀମିତ ରହିଛି। ଗତ ୨୦୧୯ରେ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିସାନ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ, ସାଂସଦ ପ୍ରାର୍ଥୀ ସୁନୀତା ବିଶ୍ବାଳଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର କରିବାକୁ ସାରଦା ନାୟକ ତାଙ୍କୁ ପ୍ରବର୍ତ୍ତାଇଥିଲେ। ହେଲେ ସାରଦାଙ୍କ ଏଭଳି ଷଡ଼୍‌ଯନ୍ତ୍ରକୁ ସେ ଆଦୌ ଗ୍ରହଣ କରିନଥିଲେ। କେବଳ ଏତିକି ନୁହେଁ ବିଧାୟକ ସାରଦା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଜିଲ୍ଲାରେ ସଙ୍ଗଠନ କାମ କମ କରୁଛନ୍ତି। ଜିଲ୍ଲା‌ରେ କିଛି ବ୍ୟବସାୟୀଙ୍କ ସହ ମିଶି ଖଣି ଓ କୋଇଲା ବ୍ୟବସାୟକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ବିଜେପିର ସୁନ୍ଦରଗଡ଼ ସାଂସଦଙ୍କ ସହ ଭିତିରି ସମ୍ପର୍କ ରଖି କାମ କରୁଛନ୍ତି। ଜିଲ୍ଲାରେ ଦଳର ସଙ୍ଗଠନକୁ ଅଧିକ ମଜବୁତ କରିବାକୁ ହେଲେ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନଙ୍କୁ ହଟାଇବାର ଆବଶ୍ୟକତା ରହିଛି। ନ ହେଲେ ଆସନ୍ତା ୨୦୨୪ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର ଫଳାଫଳ ନୈରାଶ୍ୟଜନକ ହେବ ବୋଲି ସେ କହିଥିଲେ।