ସନ୍ଦେହରେ ମୃତ୍ୟୁ: ବସ୍ତାରୁ ମିଳିଲା ମହିଳାଙ୍କ ଗଳିତ ଶବ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ସଦର ଥାନା ଅନ୍ତର୍ଗତ ଏକାତାଲି ବୁଡ଼ିବନ୍ଧ ନିକଟରୁ ମଙ୍ଗଳବାର ଏକ ବସ୍ତାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ମଧ୍ୟ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା ପରେ କେହି ଆଣି ଉକ୍ତ ସ୍ଥାନରେ ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି। ସୁନ୍ଦରଗଡ଼ ମେଡିକାଲ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ସୋମବାର ସନ୍ଧ୍ୟାରେ ବୁଡ଼ିବନ୍ଧ ଅଞ୍ଚଳକୁ ଶୌଚ ପାଇଁ ଯାଇଥିବା କିଛି ଲୋକ ଏକ ବସ୍ତାରେ ଶବ ଥିବା ଦେଖିଥିଲେ। ଖବର ସହର ସାରା ପ୍ରଚାରିତ ହୋଇଥିଲେ ହେଁ ପୁଲିସ୍‌ ଏଥି ପ୍ରତି ଧ୍ୟାନ ଦେଇନଥିଲା। ଆଜି ସକାଳୁ ପୁଣି ଥରେ ଲୋକେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥ‌ଳରେ ପହଞ୍ଚିଥିଲା। ବସ୍ତାର ଆକାର ଅନୁସାରେ, ଏହା କୌଣସି ଶିଶୁ ବା ନାବାଳିକାଙ୍କର ବୋଲି ଆଶଙ୍କା କରାଯାଉଥିଲା। ମାମଲା ସମ୍ବେଦନଶୀଳ ହୋଇଥିବାରୁ ସୁନ୍ଦରଗଡ଼ରୁ ଡଗ୍‌ ସ୍କ୍ବାଡ୍‌କୁ ଡକାଯାଇଥିଲା। ଡଗ୍‌ ସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ବସ୍ତା ଭିତରୁ ଶବ କଢ଼ା ଯାଇଥିଲା। ଏହି ସମୟରେ ଶବର ୯୦ ପ୍ରତିଶତ ଶରୀର ପଚି ଯାଇଥିବା ବେଳେ ଅଣ୍ଟାରୁ ଉପରକୁ ସମସ୍ତ ହାଡ଼ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଦାନ୍ତ, ଫିମର ହାଡ଼ ଆଧାରରେ ଏହା ଏକ ପ୍ରାପ୍ତ ବୟସ୍କା ମହିଳା ବୋଲି ସ୍ପଷ୍ଟ ହୋଇଥିଲା।

ଜବତ ହୋଇଥିବା ଏହି ଶବର ଖପୁରୀରେ କୌଣସି ଆଘାତ ଚିହ୍ନ ନଥିବାରୁ ବ୍ୟବଚ୍ଛେଦ ପରେ ଯାଇ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି। ଶବଟି ଅତିକମରେ ୧୦ ଦିନ ତଳର ହୋଇଥିବା ନେଇ ଅନୁମାନ କରାଯାଉଥିବା ସଦର ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି। ସେପଟେ, ମୃତକଙ୍କ ପାଦଟି ଆଂଶିକ ସଢ଼ି ଯାଇଥିବା ବେଳେ ସେଥିରେ କିଛି ଟାଟୁ ହୋଇଥିବା ବି ଦେଖିବାକୁ ମିଳିଥିଲା। ସହରର ବ୍ୟସ୍ତବହୁଳ ବିଟିଏମ୍‌ ଛକରୁ ମାତ୍ର ୨ ଶହ ମିଟର ଦୂରରେ ଏହି ଶବ ପକାଯାଇଥିବା ବେଳେ ଏହି ଘଟଣା କିଭଳି କାହା ନଜରକୁ ଆସିଲା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସନ୍ଧାନୀ କୁକୁର ଶବ ଓ ଆଖପାଖ ଅଞ୍ଚଳ ଶୁଙ୍ଘି ସିଧାସଳଖ ଏକାତାଲି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରାସ୍ତା ଦେଇ ବିଟିଏମ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା। ତେବେ, ବିଟିଏମ୍‌ ଛକରୁ ଆଉ ଆଗକୁ ବଢ଼ିନଥିଲା।

ବିଶ୍ବାସ ହରାଉଛି ସଦର ଥାନା ପୁଲିସ୍‌

ଏହି ଶବ ଜବତ ଘଟଣା ପରେ ସଦର ଥାନା ପୁଲିସ୍‌ ଲୋକଙ୍କ ବିଶ୍ବାସ ହରାଉଥିବା ନେଇ ଚର୍ଚ୍ଚା ହେଉଛି। ଲଗାତାର ଭାବେ ସଦର ଥାନାଞ୍ଚଳରେ ଚୋର ଉପଦ୍ରବ, ସିସିଟିଭି ଫୁଟେଜ୍‌ରୁ ନେଇ ତମାମ୍‌ ସହଯୋଗ ଲୋକେ ଯୋଗାଇବା ପରେ ବି ପୁଲିସ୍‌ ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା ନକରିବା ତଥା ଆଇନ୍‌ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବା ଆଦି ପ୍ରସଙ୍ଗକୁ ନେଇ ସାଧାରଣ ଲୋକେ ସଦର ଥାନା ଉପରେ ବେଶ୍‌ ଅସନ୍ତୁଷ୍ଟ। ଯାହାର ପ୍ରତିଫଳନ ଏହି ଶବ ଜବତ ଘଟଣାରେ ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟାରୁ ବୁଡ଼ିବନ୍ଧ ଅଞ୍ଚଳରେ ଶବ ପଡ଼ିଥିବା ଘଟଣା ନେଇ ବିଟିଏମ୍‌ ଛକରୁ ବେହେରାମାଲ୍‌ ଛକ ଯାଏ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଏ ନେଇ ଲୋକେ ପୁଲିସ୍‌କୁ କୌଣସି ସୂଚନା ଦେଇ ନଥିଲେ ବୋଲି ଖୋଦ୍‌ ସଦର ଥାନାଧିକାରୀ ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର