ଖୋର୍ଦ୍ଧାରେ ମାତିଛନ୍ତି ମଣିଷ ଦଲାଲ: ଚାକିରି ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ନେଇ ମାରିଦେଲେ !

ଖୋର୍ଦ୍ଧା: ଗାଁରେ ମଜୁରୀ ମିଳୁନି, ଘରର ୪ ପ୍ରାଣୀଙ୍କୁ ଦୁଇବେଳା ମୁଠାଏ ଭଲ ଖାଇବାକୁ ଦେଇପାରୁନାହୁଁ। ଏଣୁ ରାଜ୍ୟ ବାହାରକୁ ଗଲେ ଭଲ ମଜୁରୀ ମିଳିବ, ଘରକୁ ଟଙ୍କା ପଠାଇବୁ, ସ୍ତ୍ରୀ-ପିଲା ଭଲ ଖାଇବେ, ପିନ୍ଧିବେ।  ଏହି ଲୋଭ ଦେଖାଇ ଜୟ ନାୟକଙ୍କୁ ସାଥିରେ ଚେନ୍ନାଇ ନେଇଗଲା ଶ୍ରମିକ ଦଲାଲ ଅଭି ନାୟକ। ମାସେ ନ ପୂରୁଣୁ ଟଙ୍କା ପଠାଇବା ତ ଦୂରରେ ଥାଉ ଓଲଟି ଜୟ ନାୟକଙ୍କ ଦେହ ଗୁରୁତର ଓ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ପଠାଅ ବୋଲି ଜୟଙ୍କ ସ୍ତ୍ରୀ ତୁଳସୀଙ୍କୁ କହିଛନ୍ତି। ଘରେ ଖାଇବାକୁ ନାହିଁ ଟଙ୍କା ଏତେ ପଠାଇବ କେଉଁ ଠାରୁ? ତଥାପି ଘରେ କଂସାବାସନ ଯାହାଥିଲା ବିକାବିକି କରି ୫ହଜାର ଟଙ୍କା ଯୋଗାଡ଼ କରିବା ମଧ୍ୟରେ ପୁଣି ଫୋନ୍ ଆସିଲା ଯେ ଜୟ ନାୟକଙ୍କ ମୃତ୍ୟୁ ଘଟିଛି।

ଏହା ମଧ୍ୟରେ ୧୦ ଦିନ ବିତିଯାଇଛି, ନା’ ଜୟ ନାୟକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଛି ନା’ ଜୟର ମୃତଦେହ ଘରକୁ ଫେରିଛି। ଏ ନେଇ ଥାନା, ଶ୍ରମ ବିଭାଗ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି ତୁଳସୀ। ଏହା କୌଣସି ନାଟକ କିମ୍ବା ବୃତ୍ତ ଚଳଚ୍ଚିତ୍ରର କାହାଣୀ ନୁହେଁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ବାଣପୁର ଅଂଚଳର ଘଟଣା। ଆଜି ତୁଳସୀ ନିଜର ୨ ବର୍ଷ ଓ ୪ ବର୍ଷର ଦୁଇ ଝିଅଙ୍କୁ ନେଇ ଗୁହାରି କରିବାକୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ତା’ର ଦୁଃଖରେ ସମଭାଗୀ ହୋଇ ଗାଁର କିଛି ମହିଳା ଓ ସମ୍ପର୍କୀୟ ମଧ୍ୟ ଆସିଥିଲେ। କାର୍ଯ୍ୟାଳୟ ଫାଟକ ପାଖରେ ପହଞ୍ଚୁ ପହଞ୍ଚୁ ତୁଳସୀ ନିଜର ଦୁଇ ଝିଅଙ୍କୁ ଧରି ଭୋଭୋ ହୋଇ କାନ୍ଦି ଉଠିଲେ। ଜିଲ୍ଲାପାଳଙ୍କ ନିକଟକୁ ସାହସ କରି ଯିବା ପୂର୍ବରୁ ଜିଲ୍ଲାପାଳ ଏକ ଜରୁରୀ ବୈଠକରେ ଯୋଗ ଦେବା ପାଇଁ ଚାଲି ଯାଇଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମ୍ପର୍କରେ ଜଣାଇଥିଲେ।

ତୁଳସୀଙ୍କ କହିବା ଅନୁସାରେ, ଅଗଷ୍ଟ ୨୧ ତାରିଖରେ ଗଂଜାମ ଜିଲ୍ଲା କୋଦଳା ଷଣ୍ଢମୂଳ ଗାଁର ଅଭି ନାୟକ ଜଣେ ଠିକାଦାର। ସେ ତାଙ୍କ ସ୍ବାମୀ ଜୟକୁ ଭେଟି ଚେନାଇରେ ନିର୍ମାଣ କାର୍ଯ୍ୟରେ ମିସ୍ତ୍ରୀ ଭାବେ ଚାକିରି ଯୋଗାଇଦେବେ ବୋଲି କହି ସାଥୀରେ ନେଇଥିଲେ । ୨୨ ତାରିଖରେ ଅଭି ଘରେ ରହିଥିଲେ ଓ ତା’ ପରଦିନ ସେମାନେ ଟ୍ରେନ୍‌ରେ ଚେନ୍ନାଇ ଯାଇଥିଲେ। ଏହା ମଧ୍ୟରେ ସେ ୫-୬ଥର ତାଙ୍କ ସ୍ୱାମୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥିଲେ। କିନ୍ତୁ ସେପ୍ଟେମ୍ବର ୨୩ ତାରିଖରେ ଅଭି ନାୟକ ଫୋନ୍ କରି ତାଙ୍କୁ ଜୟଙ୍କ ଦେହ ଗୁରୁତର ଅସୁସ୍ଥ ହୋଇଥିବାରୁ ଚିକିତ୍ସା ପାଇଁ ୩୦ହଜାର ଟଙ୍କା ପଠାଇବାକୁ କହିଥିଲେ।

Sambad

ଏହାଶୁଣି ତାଙ୍କର ହୋସ ଉଡ଼ିଯାଇଥିଲା। ବହୁ କଷ୍ଟରେ ସେ ୫ ହଜାର ଟଙ୍କା ଯୋଗାଡ଼ କରି ତା’ ପରଦିନ ପଠାଇବାକୁ ଫୋନ୍ କରିଥିଲେ, କିନ୍ତୁ ଜୟ ଫୋନ୍ ଉଠାଇଲେ ନାହିଁ। ଶେଷରେ ୨୫ ତାରିଖରେ ତାଙ୍କ ସହ କାମ କରିବାକୁ ଯାଇଥିବା ଅନ୍ୟଜଣେ ବୃନ୍ଦାବନ ନାୟକ ଓରଫ ଅଜୁକୁ ଫୋନ୍ କରିବାରୁ ସେ ମଧ୍ୟ ଗୁରୁତର ଥିବା କଥା କହି ଟଙ୍କା ପଠାଇବାକୁ କହିଥିଲେ। ଏହାର ପ୍ରାୟ ୧ ଘଂଟା ପରେ ଅଜୁ ପୁଣି ଫୋନ୍ କରି କାମ କରିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ। ଏହାପରେ ଅଭି, କିମ୍ବା ଅଜୁ କେହି ଫୋନ୍ ଉଠାଇନଥିଲେ। ଏନେଇ ସେମାନେ ବାଣପୁର ଥାନାକୁ ଏତଲା ଦେବାକୁ ଯାଇଥିଲେ, କିନ୍ତୁ ବାଣପୁର ଥାନା ସେମାନଙ୍କ ଅଭିଯୋଗ ଗ୍ରହଣ କରିନଥିଲେ। ଏହା ଶ୍ରମ ଅଧିକାରୀଙ୍କ କାମ ବୋଲି କହି ଫେରାଇ ଦେଲେ। ସ୍ଥାନୀୟ ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ ମଧ୍ୟ ଅଭି ଓ ଅନ୍ୟମାନଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ଶେଷରେ ସେ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି। ତାଙ୍କର ସ୍ବାମୀ ଜୀବିତ କି ମୃତ ଜାଣନ୍ତି ନାହିଁ। ତାଙ୍କ ମୋବାଇଲ୍ ସୁଇଚ ଅଫ ରହିଛି। ସେ ଚାହାଁନ୍ତି ଯଦି ତାଙ୍କ ସ୍ୱାମୀ ବଂଚିଛନ୍ତି ତେବେ ସୁରକ୍ଷିତ ଫେରାଇ ଆଣିବା ପାଇଁ ଓ ମୃତ୍ୟୁ ହୋଇଥିଲେ ମୃତଦେହ ଫେରାଇ ଆଣିବାରେ ପ୍ରଶାସନ ସହଯୋଗ କରୁ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ବାଣପୁର, ଚିଲିକା, ବୋଲଗଡ଼ ଆଦି ଅନେକ ସ୍ଥାନରୁ ଦୈନିକ ଏଭଳି ଶହଶହ ଗରିବ କାମଧନ୍ଦାର ପ୍ରଲୋଭନର ଶିକାର ହେଉଛନ୍ତି। ଯେଉଁମାନେ ସାମାନ୍ୟ ଶିକ୍ଷିତ କିମ୍ବା ସଚେତନ ସେମାନେ କୌଣସି ମତେ ବାହାର ରାଜ୍ୟର ପରିସ୍ଥିତି ସମ୍ମୁଖୀନ ହେବାରେ ସଫଳ ହେଉଛନ୍ତି, କିନ୍ତୁ ଯେଉଁମାନେ ଜୟ ଭଳି ନିରୀହ, ଅଶିକ୍ଷିତ ସେମାନେ ଏଭଳି ଦଲାଲାଙ୍କ ଚକ୍ରବ୍ୟୁହରେ ପଡ଼ି ନିଜର ସର୍ବସ୍ବ ସହ ଜୀବନ ମଧ୍ୟ ହାରୁଛନ୍ତି। ଏଭଳି ‘ମଣିଷ ଦଲାଲ’ କାମ ଖୋଲାଖୋଲି ଚାଲୁଥିଲେ ମଧ୍ୟ ପୁଲିସ, ପ୍ରଶାସନ କିମ୍ବା ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଉନାହିଁ।

ସମ୍ବନ୍ଧିତ ଖବର