ଏସ୍‌ଭିଏମ୍‌କୁ ପଙ୍ଗୁ କରିଦେଲେ (୨), ବିପଦ ମୁହଁରେ କଲେଜ ମୁଖ୍ୟ କୋଠା

ଜଗତସିଂହପୁର ଟାଉନ୍: ପ୍ରାୟ ୫୦ ବର୍ଷ ତଳେ ନିର୍ମିତ ଆଖି ନ ପାଇବା ବିଶାଳ କୋଠା ବିପଦସଂକୁଳ ହେବାକୁ ବସିଛି। ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାର ଗର୍ବ, ରାଜ୍ୟରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ବୟଂଶାସିତ ମହାବିଦ୍ୟାଳୟର ଏହି ମୁଖ୍ୟ କୋଠା ଆଜି ଜରାଜୀର୍ଣ୍ଣ । କଳା ଓ ପ୍ରାଶାସନିକ କାର୍ଯ୍ୟାଳୟ ଚାଲୁଥିବା କୋଠା ଭାଙ୍ଗିରୁଜି ଗଲାଣି। ଛାତରୁ କଂକ୍ରିଟ୍ ଖସି ଗଲାଣି, କବାଟ, ଝରକା ଓ କ୍ଲାସ୍‌ରୁମ୍‌ରେ ଥିବା ଟେବୁଲ୍‌, ବେଞ୍ଚ୍‌ ଭାଙ୍ଗି ଗଲାଣି। କେତେକ କ୍ଲାସ୍‌ରୁମ୍ ପରିତ୍ୟକ୍ତ, ଚଟାଣ ଖଣ୍ଡିଆଖାବରା ହୋଇଗଲାଣି। କେତେକ ସ୍ଥାନରେ ପାଣି ଗଳୁଛି। ମରାମତି ପାଇଁ ଟଙ୍କା ନାହିଁ। କୋଠାର ବୟଜ୍ କମନ୍ ରୁମ୍, ଷ୍ଟୁଡେଣ୍ଟ ୟୁନିଅନ୍ ରୁମ୍ ମଧ୍ୟ ଭାଙ୍ଗିରୁଜି ଗଲାଣି। କୋଠାର ଦୟନୀୟ ଅବସ୍ଥା ନେଇ କଲେଜ କର୍ତ୍ତୃପକ୍ଷ ଏକାଧିକ ଥର ୟୁଜିସି(ୟୁନିଭରସିଟି ଗ୍ରାଣ୍ଟ କମିସନ୍‌)କୁ ଚିଠି ଲେଖି ସାରିଲେଣି। କିନ୍ତୁ ସବୁ ପ୍ରସ୍ତାବକୁ ଖାରଜ କରି ଦେଉଛି ୟୁଜିସି। ୨୦୧୧-୧୨ରେ ୟୁଜିସି ଅନୁଦାନରେ ବେଆଇନ ନିର୍ମାଣ କାର୍ଯ୍ୟ ଏଥିରେ କଣ୍ଟା ସାଜିଛି। ପୂରା କୋଠାର ମରାମତି ଆବଶ୍ୟକ ପଡ଼ୁଥିବା ବେଳେ ଆଉ ହୋଇପାରିବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ଏହି କାମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ଅନୁଦାନ ମିଳି ନାହିଁ। ପ୍ରାୟ ୫ ବର୍ଷ ତଳେ ଛାତ୍ରୀନିବାସର ନୂତନ କୋଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷଥର ଅନୁଦାନ ଆସିଥିଲା। ଉଲ୍ଲେଖଯୋଗ୍ୟ, ରୁସା(ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ) ତରଫରୁ ଆସିଥିବା ଅନୁଦାନରେ ମୁଖ୍ୟ କୋଠାକୁ ଲାଗି ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ସେହିପରି ବିଶ୍ବ ବ୍ୟାଙ୍କ ପକ୍ଷରୁ ଆସିଥିବା ଅନୁଦାନରେ ଲାଇବ୍ରେରି ନିକଟରେ ଉଚ୍ଚମାନର କ୍ଲାସରୁମ୍ ନିର୍ମାଣ କରାଯାଉଛି।

 

ଜରୁରୀ ବ୍ୟବହାର, କିନ୍ତୁ ହତାଦର

ଏହି କଲେଜର ମୁଖ୍ୟ କୋଠାରେ ଖାଲି ଯେ, ପାଠ ପଢ଼ା କିମ୍ବା ପରୀକ୍ଷା କରାଯାଏ, ତା’ ନୁହେଁ। ସାଧାରଣ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନର ଷ୍ଟ୍ରଙ୍ଗ୍‌ ରୁମ୍ ଏବଂ ଭୋଟ୍‌ ଗଣତି ବେଳେ ସୁରକ୍ଷା ଦୃଷ୍ଟିରୁ କୋଠାକୁ ବ୍ୟବହାର କରାଯାଏ। ସେହିପରି ଯୁକ୍ତ ୨ ହେଉ କିମ୍ବା ଯୁକ୍ତ ୩; ପରୀକ୍ଷା ଖାତା ଦେଖା ପାଇଁ ଏଠାରେ କେନ୍ଦ୍ର ହୋଇଥାଏ। ବନ୍ୟା, ବାତ୍ୟା, କ‌ୋଭିଡ୍‌ ଭଳି ବିପର୍ଯ୍ୟୟ ସମୟରେ ଏହି କଲେଜ କୋଠାକୁ ବ୍ୟବହାର କରାଯାଇଛି। ୧୯୯୯ ମହାବାତ୍ୟାରେ ହଜାର ହଜାର ଲୋକ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଉଦ୍ଧାରକାରୀ ଦଳକୁ ଆଶ୍ରୟ ଦେଇଥିବା ଏହି କୋଠା ଏବେ ହତାଦର।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ବାସ୍କେଟ୍‌ବଲ୍ ଗ୍ରାଉଣ୍ଡ ପରିତ୍ୟକ୍ତ

ଏସଭିଏମ୍ କଲେଜ ପରିସରରେ ୨୦୦୩ରେ ବାସ୍କେଟ୍ ବଲ୍ ଗ୍ରାଉଣ୍ଡର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଡ଼ିଆ ଚାରିପଟେ ପାଚେରି ବୁଲାଗଲା ନାହିଁ। ଯାହାଫଳରେ ମନଇଚ୍ଛା ଗ୍ରାଉଣ୍ଡ ଭିତରକୁ ଗାଡ଼ି ପଶିଲା। ବାସ୍କେଟ୍ ବଲ ପାଇଁ ଲଗାଯାଇଥିବା ବାସ୍କେଟ୍ ଭାଙ୍ଗିରୁଜି ଗଲାଣି। ତା’ ସହିତ ଚଟାଣ ମଧ୍ୟ ଫାଟିଗଲାଣି। ପରିତ୍ୟକ୍ତ ଅବସ୍ଥାରେ ଗ୍ରାଉଣ୍ଡ ପଡ଼ି ରହିଛି।

ସମ୍ବନ୍ଧିତ ଖବର