ଏସଭିଏମ୍ କଲେଜକୁ ସରକାରୀ ମାନ୍ୟତା କେବେ? ଗୁଣାତ୍ମକ ମାନ ବଢ଼ିବ, ଛାତ୍ରଛାତ୍ରୀଙ୍କ ମୁଣ୍ଡରୁ ଫି ବୋଝ କମିବ

ବିଧାନସଭାରେ ଦାବି ଉଠୁନି କି ସରକାରଙ୍କ ନିକଟରେ ପ୍ରସ୍ତାବ ନାହିଁ, ଜିଲ୍ଲାରେ ଗୋଟିଏ ବି ନାହିଁ ସରକାରୀ ମହାବିଦ୍ୟାଳୟ

ଜଗତସିଂହପୁର ଟାଉନ୍: ଖୋର୍ଦ୍ଧା ଭୁବନେଶ୍ବର ପରେ ରାଜ୍ୟର ଦ୍ବିତୀୟ ସର୍ବାଧିକ ସାକ୍ଷର ଜିଲ୍ଲାଭାବେ ପରିଗଣିତ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବି ସରକାରୀ କଲେଜ ନାହିଁ। କିମ୍ବା ସରକାରୀ କଲେଜ ପାଇଁ ଉଦ୍ୟମ ମଧ୍ୟ କରାଯାଉ ନାହିଁ। ଜିଲ୍ଲା ସଦର ମହକୁମାରେ ୧୯୬୩ରେ ଅଳକା ନଦୀ ଅବବାହିକାରେ ୩୭ ଏକର ଜମିରେ ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାର ଆଲୋକବର୍ତ୍ତିକା ସାଜିଥିବା ଏହି ଶିକ୍ଷାନୁଷ୍ଠାନ କ୍ରମେ ଅଟୋନମସ୍ ମାନ୍ୟତା ହାସଲ କଲା। ବହୁ ସୁନାମ ପାଇଲା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସ, ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲି, କନ୍ଧମାଳ ଏମପି ତଥା କିସ୍-କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଫକିରମୋହନ ବିଶ୍ବବିଦ୍ୟାଳୟ କୁଳପତି ଡ. ସନ୍ତୋଷ ତ୍ରିପାଠୀ, ପ୍ରଥମ ଓଡ଼ିଆ ଭାବେ କେମିକାଲ୍ ସାଇନ୍ସରେ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ହାସଲ କରିଥିବା ଜ୍ୟୋତିର୍ମୟୀ ଦାଶ, ବିଜ୍ଞାନ, ମେଡିକାଲ, ଶିକ୍ଷା କ୍ଷେତ୍ରରେ ଦେଶ ବିଦେଶରେ ନାଁ ତଥା ପ୍ରତିଷ୍ଠା ଲାଭ କରିଥିବା ଅନେକ ଗୁଣିଜ୍ଞାନୀ ଏହି ଶିକ୍ଷାନୁ‌ଷ୍ଠାନରେ ପାଠ ପଢ଼ିଥିଲେ। କଲେଜର କଳେବର ଧୀରେ ଧୀରେ ବଢ଼ିବା ସହ ଏବେ ପ୍ରାୟ ୭ ଏକରରୁ ଅଧିକ ଜମିରେ ଭିତ୍ତିଭୂମି ନିର୍ମାଣ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟର ସ୍ବତନ୍ତ୍ର କୋଠା ମଧ୍ୟ ରହିଛି। କେତେକ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ସେହିପରି ବିବିଏ, ବିସିଏ ସେଲଫ୍ ଫାଇନାନ୍ସିଂ କୋର୍ସ ଉପଲବ୍ଧ ଅଛି। କିନ୍ତୁ କଲେଜ ଏଯାଁଏ ସରକାରୀ ମାନ୍ୟତା ପାଇପାରି ନାହିଁ।

ଜଣେ ଶିକ୍ଷାବିତଙ୍କ ସୂଚନା ଅନୁସାରେ, ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କ ଆଡମିସନ୍ ଫି ଅନୁଦାନପ୍ରାପ୍ତ କଲେଜ ତୁଳନାରେ ବହୁତ କମ୍ ହୋଇଥାଏ। ସରକାରୀ କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ଆଡମିସନ ବାବଦରେ ୧୫୦୦ରୁ ୨ ହଜାର ଟଙ୍କା ଥିବା ବେଳେ ଏସ୍‌ଭିଏମ୍ କଲେଜରେ ଆଡ୍‌ମିସନ ଫି ପ୍ରାୟ ସାଢ଼େ ୫ ହଜାରରୁ ସାଢ଼େ ୬ ହଜାର ଟଙ୍କା । ସରକାରୀ କଲେଜ ଠାରୁ ପ୍ରାୟ ଅଢ଼େଇରୁ ତିନି ଗୁଣା ଅଧିକ ଫି ବୋଝ ପିଲାଙ୍କ ଉପରେ ପଡ଼ିଥାଏ। ଏଠାରେ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଏହି ଫି ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉଛି। ସରକାରୀ କଲେଜର ମାନ୍ୟତା ପାଇଲେ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ। ଶିକ୍ଷାର ଗୁଣାତ୍ମକ ମାନ ବଢ଼ି ପାରନ୍ତା। ତେବେ ପରିଚାଳନା କମିଟିର ଭୁଲ୍ ନିଷ୍ପତ୍ତି ଯୋଗୁଁ ପ୍ରାୟ ୮ ବର୍ଷ ହେଲା ୟୁଜିସି ଅନୁଦାନ ବନ୍ଦ ରହିଛି। କଲେଜର କେତେକ ଉନ୍ନୟନ କାମ, ରକ୍ଷଣାବେକ୍ଷଣ ଛାତ୍ରଛାତ୍ରୀଙ୍କ ଫି’ରୁ ଭରଣା କରାଯାଉଛି।  କିନ୍ତୁ ସରକାରୀ କଲେଜ ମାନ୍ୟତା ପାଇଁ ନା ସରକାରଙ୍କ ସ୍ତରରେ ଉଦ୍ୟମ ହେଉଛି ନା ଜନପ୍ରତିନିଧି ସ୍ତରରୁ ହେଉଛି। ଏପରିକି ଏନେଇ ବିଧାନସଭାରେ କେବେ ବି ଦାବି ଉପସ୍ଥାପନ କରାଯାଉ ନାହିଁ। କେବଳ ୧୯୯୨ରେ ସରକାରୀ କଲେଜ ପାଇଁ ଜୋରଦାର ଦାବି ଓ ଆନ୍ଦୋଳନ ହୋଇଥିଲା। ଏହା ପରେ ଥରୁଟିଏ ମଧ୍ୟ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୧ ଡିସେମ୍ବର ୮ ତାରିଖରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ଉତ୍ତର ରଖି କହିଥିଲେ ଜଗତସିଂହପୁର, ଝାରୁସୁଗୁଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ସରକାରୀ କଲେଜ ନାହିଁ।

ସମ୍ବନ୍ଧିତ ଖବର