ଏସ୍‌ଭିଏମ୍ କଲେଜକୁ ପଙ୍ଗୁ କରିଦେଲେ! ୮ ବର୍ଷ ହେଲା ୟୁଜିସି ଅନୁଦାନ ବନ୍ଦ

ଜଗତସିଂହପୁର ଟାଉନ୍ : ଜିଲ୍ଲାର ସର୍ବପୁରାତନ, ବୃହତ୍‌ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ବା ଏସଭିଏମ୍ ଅଟୋନମସ୍ କଲେଜ। ପ୍ରତିବର୍ଷ ଶହ ଶହ ମେଧାବୀ ଛାତ୍ରଛାତ୍ରୀ ଏଠାରୁ ଡିଗ୍ରି ହାସଲ କରନ୍ତି। ପ୍ରାୟ ସାଢ଼େ ୫ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଏହି ପ୍ରକାର ପଙ୍ଗୁ ଅବସ୍ଥାକୁ ଚାଲି ଆସିଛି। ପୂର୍ବ ପରିଚାଳନା କମିଟିର ଭୁଲ୍ ପାଇଁ ସବୁଠୁ ବଡ଼ ସହାୟତା ଦେଉଥିବା ୟୁନିଭରସିଟି ଗ୍ରାଣ୍ଟ୍‌ କମିସନ୍(ୟୁଜିସି) ଅନୁଦାନ ବନ୍ଦ କରି ଦେଇଛି। ଫଳରେ କଲେଜ ଉନ୍ନତିରେ ବାଧା ସୃଷ୍ଟି ହୋଇଛି। ଆଇନକୁ ମାଡ଼ି ମକଚି ନିଜ ଇଚ୍ଛାନୁସାରେ ପରିଚାଳନା କମିଟି ଦ୍ବାରା ନିଆ ଯାଇଥିବା ନିଷ୍ପତ୍ତିର ଫଳ ଭୋଗୁଛି କଲେଜ। ୮ ବର୍ଷ ହେଲା କୌଣସି ଉନ୍ନୟନମୂଳକ କାମ ପାଇଁ ଅନୁଦାନ ବନ୍ଦ କରି ଦିଆଯାଇଛି। ଏପରିକି ଅଧାଗଢ଼ା ଅବସ୍ଥାରେ କଲେଜର ପଡ଼ିଆ ଗ୍ୟାଲେରି ଓ ଛାତ୍ରୀ ନିବାସର ସମ୍ପ୍ରସାରଣ କୋଠା ରହିଛି। ପଡ଼ିଆର ବାହାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଇଛି। ୨୦୧୧-୧୨ରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁସାରେ ୟୁଜିସିରୁ ପଡ଼ିଆ ଗ୍ୟାଲେରି ନିର୍ମାଣ ପାଇଁ ୪୦ ଲକ୍ଷ ଓ ଛାତ୍ରୀ ନିବାସର ସମ୍ପ୍ରସାରିତ କୋଠା ପାଇଁ ପ୍ରାୟ ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବ୍ୟୟ ମଞ୍ଜୁରିର ଅଧା ଟଙ୍କା କଲେଜ ଆକାଉଣ୍ଟକୁ ଆସିଥିଲା। ଏହା ପରେ ପରିଚାଳନା କମିଟିର ସେତେବେଳର ସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁଚରଣ ଦାସ, ସମ୍ପାଦକ ତଥା ତତ୍କାଳୀନ ଅଧ୍ୟକ୍ଷ ମନୀନ୍ଦ୍ର ନାଥ ମହାନ୍ତିଙ୍କ ନିଷ୍ପତ୍ତିକ୍ରମେ ଠିକାଦାରଙ୍କ ଜରିଆରେ ଏହି କାର୍ଯ୍ୟ କରାଯାଇଥିଲା। ପଡ଼ିଆ ଗ୍ୟାଲେରି ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କାରେ ମୂଳୁଦୁଆ ଓ ପିଲାର୍ ଉଠିଥିବା ବେଳେ ଛାତ୍ରୀନିବାସ ସମ୍ପ୍ରସାରିତ କୋଠାର ପ୍ରଥମ ମହଲା କାମ ଶେଷ ହୋଇ ଦ୍ବିତୀୟ ମହଲାର ପିଲାର୍ ଉଠିଥିଲା। ବାକି ଟଙ୍କା ପାଇଁ କାମର ଅଗ୍ରଗତି ସଂକ୍ରାନ୍ତ କାଗଜପତ୍ର ପଠା ଯାଇଥିଲା। କିନ୍ତୁ ନିୟମ ଅନୁସାରେ, ୟୁଜିସିରୁ ମିଳିଥିବା ଅନୁଦାନକୁ ସିଧାସଳଖ ପରିଚାଳନା କମିଟି ମନ ଇଚ୍ଛା କାମରେ ଲଗାଇ ପାରିବେ ନାହିଁ। ଜିଲ୍ଲା ପ୍ରଶାସନ ଜରିଆରେ ଏହି କାମକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବା କଥା। ପୂର୍ତ୍ତ ବିଭାଗ ଏହି କାମ ପାଇଁ ଟେଣ୍ଡର ଡାକିବ। ଆସିଥିବା ଟଙ୍କାକୁ ପୂର୍ତ୍ତ ବିଭାଗ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବା ନିୟମ ରହିଛି।

କଲେଜ କର୍ତ୍ତୃପକ୍ଷ କେବଳ ଯୋଜନା, ପ୍ଲାନ୍ ଦେବା ସହ କାମର ତଦାରଖ କରିବା ଓ ଅଗ୍ରଗତି ଯାଞ୍ଚ କରି ୟୁଜିସିକୁ ଅବଗତ କରାଇବାର ନିୟମ ରହିଛି। କିନ୍ତୁ ଏହି ନିୟମକୁ ପାଳନ କରାଯାଇ ନ ଥିବାରୁ ସେହି ଦୁଇଟି କାମର ବାକି ଟଙ୍କା ଦେବାକୁ ୟୁଜିସି ମନା କରି ଦେଇଥିଲା। ଫଳରେ କଲେଜକୁ ଏକ ଶକ୍ତ ଧକ୍କା ଲାଗିଥିଲା। ପଡ଼ିଆ ନିକଟରେ ବର୍ଷ ବର୍ଷ ଧରି ଅଧାଗଢ଼ା ଅବସ୍ଥାରେ ରହିଥିବା ପିଲାର୍ ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଲାଣି। ଛାତ୍ରୀ ନିବାସ ସମ୍ପ୍ରସାରିତ କୋଠାର ଦ୍ବିତୀୟ ମହଲା ମଧ୍ୟ ଅଧା ହୋଇ ରହିଛି। ଏହି ଭୁଲ୍ ପାଇଁ ୨୦୧୪ ପରଠାରୁ ଏଯାବତ୍ ଯେତେ ଉନ୍ନୟନମୂଳକ କାମ ପାଇଁ କର୍ତ୍ତୃପକ୍ଷ ପ୍ରସ୍ତାବ ପଠାଉଛନ୍ତି ୟୁଜିସି ତାହାକୁ ଖାରଜ କରି ଦେଉଛି। ଖାଲି ସେତିକି ନୁହେଁ ପରୀକ୍ଷା ପରିଚାଳନା ପାଇଁ ଆସୁଥିବା ଅନୁଦାନ ମଧ୍ୟ ବନ୍ଦ କରାଯାଇଛି। ଏସ୍‌ଭିଏମ୍ କଲେଜକୁ ଏକପ୍ରକାର କଳାତାଲିକାଭୁକ୍ତ କରାଯାଇଥିବା କୁହାଯାଉଛି। ଫଳରେ ଉନ୍ନୟନ କାମରେ ବାଧା ସୃଷ୍ଟି ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ପୁରୁଣା କୋଠା ଭାଙ୍ଗିରୁଜି ଯାଇଥିବା ବେଳେ ମରାମତି ହୋଇପାରୁ ନାହିଁ। କାରଣ କଲେଜ ପାଖରେ ଅର୍ଥର ଅଭାବ ଥିବା ବେଳେ ୟୁଜିସି ବନ୍ଦ କରି ଦେଇଛି। ସେହିପରି ନୂଆ ପ୍ରକଳ୍ପ ପାଇଁ ପ୍ରାୟ ୫ ବର୍ଷ ତଳେ ରାଜ୍ୟ ସରକାରଙ୍କ ଅନୁଦାନ ଆସିଥିଲା। ୟୁଜିସି ଅନୁଦାନ ବନ୍ଦ ହୋଇଥିବାରୁ କଲେଜର ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। କଲେଜର ଭବିଷ୍ୟତକୁ ନ ଦେଖି କାହିଁକି ନିୟମକାନୁନକୁ ମାଡ଼ି ମକଚି ସେତେବେଳର ପରିଚାଳନା କମିଟି ଏଭଳି ନିଷ୍ପତ୍ତି ନେଇଥିଲେ ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ପରିଚାଳନା କମିଟିର ଗୋଟିଏ ଭୁଲ୍ ପାଇଁ କଲେଜର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଆଗକୁ ଆହୁରି ସାଂଘାତିକ ଅବସ୍ଥା ହେବ ବୋଲି ଆଲୋଚନା ହେଉଛି। ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରା ଯାଇଥିବାରୁ ୟୁଜିସି ପକ୍ଷରୁ ଆସିଥିବା ଅନୁଦାନ ସୁଧମୂଳ ସହ ଆଦାୟ ହୋଇପାରେ ବୋଲି କୁହାଯାଉଛି। ଯଦି ଏପରି ହେଲା କଲେଜର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇ ପଡ଼ିବ। ଏହି ଘଟଣା ହଜାର ହଜାର ସଂଖ୍ୟାରେ ପୂର୍ବତନ ଛାତ୍ରଛାତ୍ରୀ, ଶତାଧିକ ଛାତ୍ରନେତାଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଉଠିଛି।

ସମ୍ବନ୍ଧିତ ଖବର