ଜାତୀୟ ରଗ୍‌ବୀ ଦଳରେ ସ୍ଥାନ ପାଇଲେ ଏସଭିଏସ ଛାତ୍ରୀ, ଜିଲ୍ଲାରୁ ମନୋନୀତ ୪ ଛାତ୍ରୀଙ୍କୁ ଏସଭିଏସରେ ସ୍ୱାଗତ ସମ୍ବର୍ଦ୍ଧନା

ବାରିପଦା : ଆସନ୍ତା ମାସରେ ଉଜବେକିସ୍ତାନ୍‌ରେ ହେବାକୁ ଥିବା ରଗ୍‌ବୀ ଚାମ୍ପିୟାନସିପ୍‌ ପାଇଁ ସମ୍ଭାବ୍ୟ ୫୪ ଜଣିଆ ଭାରତୀୟ ଦଳର ତାଲିକା ପ୍ରକାଶ ପାଇଛି । ଉକ୍ତ ଦଳରେ ମୟୂରଭଞ୍ଜ ଜିଲ୍ଲା ବାରିପଦା  ଶିରିଶବଣିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ(ଏସଭିଏସ)ର ଛାତ୍ରୀ ପୁଲକ ମଞ୍ଜରୀ ମହାନ୍ତ ସ୍ଥାନ ପାଇଛନ୍ତି। ଯାହାକି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛି। ଉଲ୍ଲେଖଯୋଗ୍ୟଯେ ସମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୧୨ ଜଣ ଖେଳାଳୀ ରହିଛନ୍ତି। ତନ୍ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ୪ଜଣ, ବାଲେଶ୍ୱରରୁ ଜଣେ ଓ କିସ ଭୁବନେଶ୍ୱରରୁ ୭ଜଣ ରହିଛନ୍ତି। ଏହି ସଫଳତା ପାଇଁ ଏସଭିଏସ ପକ୍ଷରୁ ଜିଲ୍ଲାରୁ ମନୋନୀତ ହୋଇଥିବା ସମସ୍ତ ୪ ଖେଳାଳୀ ଓ ପ୍ରଶିକ୍ଷକ ଆନ୍ତର୍ଜାତୀୟ ରଗ୍‌ବୀ ରେଫରୀ ଦିବ୍ୟ ରଞ୍ଜନ ଦାସଙ୍କୁ ସମ୍ମାନୀତ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ବୀଣାପାଣି ଦାସ ସମସ୍ତ ଖେଳାଳୀଙ୍କ ମଙ୍ଗଳ କାମନା କରିବାସହ ସେମାନେ ଯେପରି ଭାରତ ପାଇଁ ଖେଳି ଦେଶକୁ ଗୌରବାନ୍ୱିତ କରିବେ ସେଦିଗରେ ସେମାନଙ୍କୁ ଉତ୍ସାହିତ କରିଥିଲେ । ମୟୂରଭଞ୍ଜ ଭଳି ଜିଲ୍ଲାରେ ରଗ୍‌ବୀର ପ୍ରଚାର ପ୍ରସାର ପାଇଁ ଦିବ୍ୟ ରଞ୍ଜନଙ୍କ ପ୍ରଚେଷ୍ଠାକୁ ମଧ୍ୟ ପ୍ରଶଂସା କରିଥିଲେ । ଏସଭିଏସର ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

 

 

ସମ୍ବନ୍ଧିତ ଖବର