ବଲାଙ୍ଗୀର: ସମାଜରେ ଉପଯୁକ୍ତ ସମ୍ମାନ, ମର୍ଯ୍ୟାଦା ଦାବି କରି ସୋମବାର ବଲାଙ୍ଗୀରରେ କିନ୍ନରମାନେ ପଦଯାତ୍ରା କରିଛନ୍ତି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ କିନ୍ନର ସାମିଲ ହୋଇଥିଲେ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏମାନେ ଯାତ୍ରା ଆରମ୍ଭ କରି ଶାନ୍ତିପଡ଼ା ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସେହିପରି ପରେ ଏମାନେ ସ୍ଥାନୀୟ ସାମ୍ବାଦିକ ଭବନରେ ବୈଠକ କରି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। କିନ୍ନର ନେତା ଧନେଶ୍ୱର ତାଣ୍ଡି କହିଥିଲେ ଯେ, ପୂର୍ବରୁ ଏମାନେ ଏଠି ସେଠି ଭିକ୍ଷାବୃତ୍ତି କରି ଚଳୁଥିଲେ। ସେହିପରି ବିଭିନ୍ନ ବିବାହ କିମ୍ବା ଅନ୍ୟ ଉତ୍ସବରେ ଏମାନେ କାମ କରି ପେଟପାଟଣା କରି ଆସୁଥିଲେ। ହେଲେ ଏମାନଙ୍କୁ ସମାଜରେ ସ୍ୱୀକୃତି ମିଳୁ ନଥିଲା।

Advertisment

ତେବେ ପରବର୍ତ୍ତୀ ସମୟରେ ସରକାର ତାଙ୍କୁ ସ୍ୱୀକୃତି ଦେଇଥିଲେ। ହେଲେ ସମାଜରେ ଆଜି ବି ଏମାନେ ନିଷ୍ପେସିତ ଥିବାର ସେ କହିଥିଲେ।
ତେଣୁ ସାରା ବିଶ୍ୱରେ ସବୁ କିନ୍ନର ତାଙ୍କ ଅସ୍ତିତ୍ବର ଲଢ଼େଇ କରୁଥିବା ବେଳେ ଜୁନ ମାସକୁ ସେମାନେ ସ୍ୱାଭିମାନ ମାସ ଭାବରେ ପାଳନ କରୁଛନ୍ତି। ଆଜି ଏମାନେ ବଲାଙ୍ଗୀରରେ ମଧ୍ୟ ସ୍ୱାଭିମାନ ପଦଯାତ୍ରା କରିଛନ୍ତି। ଏମାନଙ୍କୁ ସମାଜରେ ସମ୍ମାନ ମର୍ଯ୍ୟାଦା ସହ ସବୁ ସରକାରୀ ଯୋଜନାରେ ସାମିଲ କରିବା, ଆଇନଗତ ଅଧିକାର ଯୋଗାଇଦେବା ଭଳି ବିଭିନ୍ନ ଦାବି ଏମାନେ ଉପସ୍ଥାପନ କରିଥିବା କହିଛନ୍ତି।