ଜିଲ୍ଲାସ୍ତରୀୟ ସ୍ବାଭିମାନ ଦିବସ ପାଳିତ, ସାଲିସ ମଧୁ ବାବୁଙ୍କ ଜାତକରେ ନ ଥିଲା

କୋରାପୁଟ: ମଧୁ ବାବୁ ଥିଲେ ଓଡ଼ିଆ ସ୍ବାଭିମାନର ପ୍ରତୀକ। ଓଡ଼ିଶାର ଅସ୍ମିତାକୁ ନେଇ ନେଇ ସେ ପ୍ରଚଣ୍ତ ସ୍ବାଭିମାନୀ ଥିଲେ। କୌଣସି କଥାରେ ସାଲିସ କରିବା ତାଙ୍କ ଜାତକରେ ନ ଥିଲା। ତେଣୁ ତାଙ୍କ ଜୀବନ ଓ ଦର୍ଶନ ପ୍ରତିଟି ଓଡ଼ିଆର ଧେୟ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି। ‘ସମ୍ବାଦ’ ଓ ଆମ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ବାଭିମାନ ଦିବସରେ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାହିତ୍ୟିକ ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଓଡ଼ିଆ ଅସ୍ମିତା ପାଇଁ ଲଢିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ଆଜିର ଦିନରେ ମଧୁବାବୁଙ୍କ ଆଦର୍ଶ ଆମ ପାଇଁ ବେଶ ପ୍ରାସଙ୍ଗିକତା ରଖୁଛି। ଆମେ ମାନେ ଏହାକୁ କାମରେ ଲଗାଇଲେ ଏକ ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ହୋଇ ପାରିବ। ତାଙ୍କ ପିଲା ଦିନରୁ ଆରମ୍ଭ କରି ଓକିଲାତି ପର୍ଯ୍ୟନ୍ତ ମଧୁବାବୁ କେମିତି ନିଷ୍ଠାର ସହ କରୁଥିଲେ ତାହା ବର୍ଣ୍ଣନା କରାଯାଇଥିଲା। ବହୁ କ୍ଷେତ୍ରରେ ପ୍ରଥମ ଓଡ଼ିଆର ମାନ୍ୟତା ପାଇଥିବା ମଧୁସୂଦନ ଦାସ ସାଲିସ କରିବା ଶିଖି ନ ଥିଲେ। ଅଭିମାନ ନୁହେଁ, ସ୍ବାଭିମାନ ଥିଲା ତାଙ୍କ ବ୍ୟକ୍ତିତ୍ବର ମାପକାଠି। ବାରିଷ୍ଟର ଭାବେ ସେ ଯେଉଁ ଉଦାହରଣ ସବୁ ସୃଷ୍ଟି କରି ଯାଇଛନ୍ତି ତାହା ସମସ୍ତ ଆଇନଜୀବୀଙ୍କ ପାଇଁ ମାର୍ଗଦର୍ଶନ ହେବ ବୋଲି ଉପସ୍ଥିତ ରହିଥିବା ବୁଦ୍ଧିଜୀବୀ ମତ ନିଜ ବକ୍ତବ୍ୟରେ କହିଥିଲେ।

ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁ, ଭବାନୀ ଶଙ୍କର ମିଶ୍ର, ସି.ଏଚ.ଶାନ୍ତାକାର, ଅରୁଣ କୁମାର ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା, ସୌମ୍ୟ ରଞ୍ଜନ ସାହୁ, ତ୍ରିଲୋଚନ ମହାରଣା, ସତ୍ୟଜିତ ମହାନ୍ତି, ସୁସାନ୍ତ କୁମାର ମିଶ୍ର, ଉତ୍ତମ ନାୟକ, ଘନଶ୍ୟାମ ରଥ, ଗୋପାଳକୃଷ୍ଣ ପାଢୀ, ଶଂଶାଙ୍କ ମୋହନ ଗୁରୁ, ଜ୍ୟୋତି ପ୍ରକାଶ ପାଲ, ଅମିତାଭ ବେହେରା ଓ ସାହିତ୍ୟିକ ରବି ଶତପଥୀ ପ୍ରମୁଖ ଯୋଗ ଦେଇ ମଧୁ ବାବୁଙ୍କ ସାଲିସ ବିହୀନ ଜୀବନ ନେଇ ଆଲୋଚନା କରିଥିଲେ। ମଧୁ ବାବୁଙ୍କ ଜୟନ୍ତୀକୁ ସ୍ବାଭିମାନ ଦିବସ ଭାବେ ପାଳନ କରି ‘ସମ୍ବାଦ’ ଏକ ମହାନ ପରମ୍ପରା ଆରମ୍ଭ କରିଛି ବୋଲି ଅତିଥିମାନେ କହିବା ସହ ଏହା ଯୁବପୀଢୀଙ୍କ ଭିତରେ ସ୍ବାଭିମାନର ମଞ୍ଜି ବୁଣିବାରେ ସହାୟକ ହେବ ବୋଲି ସେମାନେ ମତ ରଖିଥିଲେ। କାର୍ଯ୍ୟକ୍ରମସମ୍ବାଦ’ର ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର