କଟକ: କ୍ୟାନସର ପରି ମାରାତ୍ମକ ରୋଗକୁ ହରାଇଛନ୍ତି କଟକ ଝିଅ ସ୍ୱାଗତିକା ଆଚାର୍ଯ୍ୟ। ମୃତ୍ୟୁ ଅତି ନିକଟରେ ଥିଲେ ବି ଏହା ତାଙ୍କୁ ଛୁଇଁ ପାରିନଥିଲା। ତାଙ୍କ ଦୃୃଢ଼ ମନୋବଳ ଆଗରେ ଆଣ୍ଠେଇଲା ମୃତ୍ୟୁ ରୂପୀ କ୍ୟାନସର। କେବଳ ଯେ କ୍ୟାନସର ରୋଗକୁ ହରାଇଲେ ତା’ନୁହେଁ ଯନ୍ତ୍ରଣା ଜର୍ଜରିତ ଜୀବନରୁ ବାହାରି କ୍ୟାନସର ପୀଡ଼ିତଙ୍କୁ ପାଇଁ ସେ ଏବେ ଆଶାର ଆଲୋକ ପାଲଟିଛନ୍ତି। କ୍ୟାନସର ସହ ଲଢ଼ି ନୂଆ ଜୀବନ ପାଇବା ପରେ ସ୍ୱାଗତିକା ସଚେନତାର ବାର୍ତ୍ତା ବାଣ୍ଟୁଛନ୍ତି।
କଟକ ବିଡ଼ାନାସୀର ଝିଅ ସ୍ୱାଗତିକାଙ୍କ ବୟସ ୨୨ ବର୍ଷ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆଇନ୍ ଛାତ୍ରୀ। ଜଣେ ମେଧାବୀ ଛାତ୍ରୀ ହେବା ସହ ଖେଳକୁଦରେ ବି ପାରଙ୍ଗମ। ବେଶ୍ ହସଖୁସି ମସ୍ତିରେ ଜୀବନ ବିତୁଥିଲା। ହେଲେ ୨୦୧୭ରେ ହଠାତ୍ ତାଙ୍କ ବେକ ପାଖ ଫୁଲିବାରେ ଲାଗିଥିଲା। ଆଉ ପରୀକ୍ଷା ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇଛି। ତେବେ କ୍ୟାନସର ପରି ମାରାତ୍ମକ ରୋଗ କଥା ଶୁଣି ବି ସ୍ୱାଗତିକା ହାରିଯାଇ ନଥିଲେ। ସେ ଭାଙ୍ଗିନପଡ଼ି ଘର ଲୋକଙ୍କ ମନୋବଳ ବଢାଇଥିଲେ। ଜିଇଁବାର ଆଶା ଏତେ ପ୍ରବଳ ଥିଲା ମୃତ୍ୟୁ ରୂପୀ କ୍ୟାନସର ହାରମାନିଥିଲା। ୩୫ ଡୋଜ୍ ଯନ୍ତ୍ରଣା ଜର୍ଜରିତ ରେଡ଼ିଏସନ ଡ଼ୋଜକୁ ହସି ହସି ସହି ନେଇଥିଲେ। ଏତେ କଷ୍ଟରେ ଥିଲେ ବି ଆଖିରୁ କେବେ ଲୁହ ଠୋପାଏ ଝରାଇ ନାହାନ୍ତି ସ୍ୱାଗତିକା। ତେବେ ସବୁଠାରୁ ଖୁସିର କଥା ହେଲେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସ୍ୱାଗତିକା।
କ୍ୟାନସର ପରେ ନିଜ ସୁନ୍ଦରତା ହରାଇଥିଲେ ବି ସ୍ୱାଗତିକାଙ୍କ ମନୋବଳ ଭାଙ୍ଗିନି । ଏବେ ନିଜକୁ ଅଧିକ ସୁନ୍ଦର ମନେକରନ୍ତି ସ୍ୱାଗତିକା। ଆଗକୁ ଅଛି ଅନେକ ସ୍ୱପ୍ନ। କ୍ୟାନସରକୁ ନେଇ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ସେୟାର କରି ଲୋକଙ୍କୁ ସଚେତନ କରୁଛନ୍ତି। କ୍ୟାନସର ରୋଗୀଙ୍କୁ ରୋଗ ସହ ଲିଢିବାର କୌଶଳ ଶିଖାଉଛନ୍ତି। କ୍ୟାନସରକୁ ଜିତି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଝିଅର ଧୈର୍ଯ୍ୟ ଓ ସହନଶୀଳତା ଯୋଗୁଁ ଏତେ କଷ୍ଟଦାୟୀ ଚିକିତ୍ସା ସହଜ ହେଲା ବୋଲି ସ୍ୱାଗତିକାଙ୍କ ବାପାମା’ କହନ୍ତି। ନିଜ ଉପରେ ଭରସା ତଥା ଆତ୍ମବିଶ୍ୱାସ ଥିଲେ କ୍ୟାନସରକୁ ହରାଇବା ଖୁବ ସହଜ ବୋଲି କହନ୍ତି ସ୍ୱାଗତିକା।