କୁଡ଼ୁତାଇରେ ସ୍ବଚ୍ଛ ଯୋଜନା ପାଇଖାନା କାମ ଅଧପନ୍ତରିଆ, ଧରାଦେଉନି ଠିକା ସଂସ୍ଥା

ପ୍ରତାପୁର: ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତରେ ବାଟବଣା ହୋଇଛି ସ୍ବଚ୍ଛ ଯୋଜନା। ସ୍ବଚ୍ଛ ଭାରତ ଯୋଜନା ଅଧୀନରେ ପ୍ରତି ଘରେ ପାଇଖାନା ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ କୁଡ଼ୁତାଇରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି।  ପ୍ରତି ପରିବାରକୁ ସରକାରଙ୍କ ତରଫରୁ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଲେଖାଏଁ ମିଳିଛି। ପାଇଖାନା ନିର୍ମାଣ କରୁଥିବା ଠିକା ସଂସ୍ଥାର ଠିକାଦାର ଲୋକମାନଙ୍କ ଠାରୁ ଟଙ୍କା ହାତେଇଛନ୍ତି। ହେଲେ ପାଇଖାନା ଗୁଡ଼ିକୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ଛାଡ଼ି ପଳାଇବା ପରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ପାଇଖାନା କାମ ସରୁ ନଥିବାରୁ ଗ୍ରାମବାସୀ  ବାଧ୍ୟ ହୋଇ ପଦାରେ ମଳ ତ୍ୟାଗ କରୁଛନ୍ତି। ଏଣେ ପାଇଖାନା କାମ ଶେଷ କରିବା ପାଇଁ ଲୋକମାନେ ଠିକାଦାରକୁ ଖୋଜୁଥିବା ବେଳେ ସେ କିନ୍ତୁ ଧରା ଛୁଆଁ ଦେଉ ନାହାନ୍ତି। ସେହିପରି ନିର୍ମାଣ ହୋଇଥିବା ପାଇଖାନା  କାମ ବି ଅତି ନିମ୍ନମାନର ହୋଇଛି। ବିଶେଷକରି ସ୍ଥାନୀୟ ବଡ଼ଖଣ୍ଡା ଓ କେନ୍ଦୁପଲ୍ଲୀ ଗ୍ରାମର ୬୦ରୁ ଅଧିକ ଲୋକଙ୍କ ପାଇଖାନା ନିର୍ମାଣ ହୋଇଥିଲେ ହେଁ କାହାର ଟାଙ୍କି ନାହିଁ ତ କାହାର ପେନ୍ ବସି ନାହିଁ। ଫଳରେ ପାଇଖାନା ଘରେ ଲୋକେ ଜାଳେଣି କାଠ, ଧାନ ଓ ଘରର ଅନ୍ୟ ଅଦରକାରୀ ସାମଗ୍ରୀ ମାନ ରଖିଥିବା ଦେଖିବାକୁ ମିଳିଛି।

ଗ୍ରାମର ଜୟ ଡାକୁଆ କହିଛନ୍ତି, ପତ୍ନୀ ଅସୁସ୍ଥ ଥିବା ବେଳେ ତାଙ୍କୁ ଶୌଚ ପାଇଁ ନେବା ଆଣିବା କରିବାକୁ ପଡ଼ୁଥିଲା। ପାଇଥିବା ସରକାରୀ ଅନୁଦାନରେ ଶୀଘ୍ର ପାଇଖାନା କାମ କରିବାକୁ ଠିକାଦାରଙ୍କୁ ନିବେଦନ କରିଥିଲେ। ହେଲେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ପାଇଖାନା ନିର୍ମାଣ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଏପରିକି ଗତ ୧୦ ଦିନ ତଳେ ପତ୍ନୀ ମଧ୍ୟ ଆରପାରିକୁ ଚାଲିଗଲେ। ସେହିପରି ଅଞ୍ଚଳର କଂଗ୍ରେସ ଗୌଡ଼, ପଞ୍ଚୁ ଗୌଡ଼, ରଙ୍ଗା ଗୌଡ଼, ଧନୁ ଗୌଡ଼, ସୂର୍ଯ୍ୟ ଗୌଡ଼ ଓ ଲଡ଼ୁ ଗୌଡ଼ଙ୍କ ଭଳି ୬୦ ରୁ ଅଧିକ ହିତାଧିକାରୀଙ୍କ ପାଇଖାନା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। କେତେକ ପାଇଖାନାର ବିଲ୍ ହୋଇ ସାରି ଥିବାରୁ ହିତାଧିକାରୀ ମାନେ ଅର୍ଥ ଅଭାବରୁ ନିଜ ଖର୍ଚ୍ଚ କରି ତାର ପୂର୍ଣ୍ଣ ନିର୍ମାଣ କରିପାରୁ ନାହାନ୍ତି।

ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହାର ତଦନ୍ତ ହେବ। ସେହିପରି ଠିକା ସଂସ୍ଥା କହିବାନୁସାରେ, କରୋନା କଟକଣା ପାଇଁ କାମ କରାଯାଇନି। ପ୍ରଶାସନ ଦୃଷ୍ଟି ଦେବାକୁ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର