ଜୋର ଧରିଲା ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଅବା କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା ଦାବି

କୋରାପୁଟରେ ତିନି ରାଜ୍ୟର ରାଜନେତା, ଆଦିବାସୀ ବିକାଶ ପାଇଁ ମୂଳଦୂଆ ପଡ଼ିଲା 

କୋରାପୁଟ: ‘ତିନି ରାଜ୍ୟର ସବୁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିକାଶ ନାଁରେ ଆଦିବାସୀ ଖଟିଖିଆକୁ ଲୁଟି ଚାଲିଛନ୍ତି। ଆଦିବାସୀଙ୍କୁ ଭାଗ ଭାଗ କରି ରାକ୍ତପାତ କରାଇବାକୁ ପଛାଉ ନାହାନ୍ତି। ଆଉ ବରଦାସ୍ତ ହେବନି। ଆଉ କାହା କଥାରେ ଆ‌ମେ ନାଚିବୁନି କି, କିଏ ଆମ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବନି। ଆମେ ଆମର ପାଳନକର୍ତ୍ତା ହେବୁ, ନିଜ ନିଜକୁ ଶାସନ କରିବୁ।’

ଆଜି ସ୍ଥାନୀୟ ଟାଉନ ହଲରେ ଦଣ୍ଡକାରଣ୍ୟ ବିକାଶ ପରିଷଦର ଜେନେ‌ରାଲ ବଡି ବୈଠକରେ ଏହି ମତ ଦେଇଛନ୍ତି ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡରୁ ଆସିଥିବା ରାଜନେତା ଓ ପ୍ରଶାସକ। ଆନ୍ଧ୍ର ପ୍ରଦେଶ ଆରକୁ ଭ୍ୟାଲିର କଂଗ୍ରେସର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଗଙ୍ଗାଧର ସ୍ବାମୀସେଟ୍ଟୀ, ଛତିଶଗଡର ବିଜେପିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଆଦିବାସୀ ନେତା ତଥା ସମାଜସେବୀ ଅରବିନ୍ଦ ନେତମ, କୋରାପୁଟର ପୂର୍ବତନ ଏମପି ତଥା ଆଦିବାସୀ ନେତା ଜୟରାମ ପାଙ୍ଗୀ ଓ କୋରାପୁଟର ପୂର୍ବତନ ପ୍ରଶାସକ ଗଦାଧର ପରିଡାଙ୍କ ସହ ବହୁ ନେତା ଏହି ବୈଠକରେ ଉପସ୍ଥିତ ରହି ଆଦିବାସୀଙ୍କ ଉନ୍ନତି ପାଇଁ ଦଣ୍ଡକାରଣ୍ୟ ରାଜ୍ୟ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଛନ୍ତି।

ଦଣ୍ଡାକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବି ୮୦ ଦଶକରୁ ଲାଗି ରହିଛି। ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ଛତିଶଗଡ ରାଜ୍ୟର ପ୍ରରାୟ ୩୦୦ କିମଲୋମିଟର ବ୍ୟାପି ରହିଛି ଏହି ଅଞ୍ଚଳ। ଏଥିରେ ଓଡ଼ିଶାର ଅବିଭକ୍ତ କୋରପୁଟ ଜିଲ୍ଲା, ଆନ୍ଧ୍ରର ବିଶାଖାପାଟଣା ଓ ପାର୍ବତୀପୁରମ ଜିଲ୍ଲା ସହ ଛତିଶଗଡର ତିନିଟି ଜିଲ୍ଲା ରହିଛି। ଏହି ଅଞ୍ଚଳରେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ଆଦିବାସୀ ଅଧ୍ୟୁଷିତ ପରିବାର ରହୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକଳ୍ପ କରି ଆଦିବାସୀଙ୍କୁ ସେମାନଙ୍କ ଜମି ଛାଡିବାକୁ ପଡୁଥିବା ନାହିଁ ନ ଥିବା ହଇରାଣର ଶିକାର ହେଉଛନ୍ତି। ତେଣୁ ସେମାନଙ୍କୁ ସ୍ବତନ୍ତ୍ର ରାଜ୍ୟ ଅବା କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଦାବି ପୁଣି ଥରେ ଉଠିଛି।

ଆଜି ତିନି ରାଜ୍ୟାରୁ ଶତାଧିକ ଆଦିବାସୀଙ୍କସହ ମାଓବାଦୀଙ୍କ ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହୋଇଥିବା ଜଣାପଡିଛି। କୋରାପୁଟର ଏହି ବୈଠକରେ ତିନି ରାଜ୍ୟର ମାଓବାଦୀ ମଧ୍ୟ ସମର୍ଥନ ଦେଇଛନ୍ତି। ପୂର୍ବରୁ ମାଧବାସୀ ଏହି ରାଜ୍ୟ କରିବାକୁ ଦାବି କରୁଥିବାବେଳେ ଆଜିର ବୈଠକ ନିଆଁରେ ଘିଅ ଢାଳିଲା ପରି ହୋଉଛି। ତିନି ରାଜ୍ୟରେ ରହିଥିବା ସରକାର ଆଦିବାସୀଙ୍କୁ ସବୁବେଳେ ବୈମାତୃକ ନୀତି ଅବଲମ୍ବନ କରି ହଇରାଣ କରୁଛନ୍ତି। ଆଦିବାସୀମାନେ ଜଙ୍ଗଲର ହୋଇଥିଲେ ‌ବି ସେମାନଙ୍କୁ ସେମାନଙ୍କ ଅଧିକାର ଦେଉ ନାହାନ୍ତି। ସୀମା ବିବାଦର ମଝିରେ ଠିଆ କରି ହଟହଟା କରାଯାଉଛି। ଆଦିବାସୀମାନେ ଶାନ୍ତି ପ୍ରିୟା ଏହର ଅର୍ଥ ନୁହେଁ ସେମାନଙ୍କ ପେଟରେ ଜାଣିଶୁଣି ପେଟରେ ଲାତ ମରାଯିବ। ସବୁବେଳେ ଖଣି ହେଉ କି ପାଣି ହେଉକି ରେଳବାଇ ହେଉ ଏହି ତିନି ରାଜ୍ୟର ଅଦିବାସୀ ହଇରାଣ ହେଉଛନ୍ତି। ଭିଟାମାଟି ଛାଡୁଛନ୍ତି ବୋଲି ମତ ପ୍ରକାଶ ପାଇଛି।

କେନ୍ଦ୍ରମନ୍ତ୍ରୀ ତଥା ସମାଜସେବୀ ଅରବିନ୍ଦ ନେତମ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ରାଜନୈତିକ ଜୀବନରେ ଦଳ ଲାଗି ଲଢି ଲଢି କିଛି ଲାଭ ମିଳିଲାନି। ଏବେ ଆଦିବାସୀଙ୍କ ଲାଗି ଲଢିବାକୁ ମନ ବଳିଛି। ମୋର ବନ୍ଧୁ ଜୟରାମଙ୍କ ସହ ମିଶି ପୁଣି ଥରେ ଦଣ୍ଡାକାରଣ୍ୟ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ କରିବୁ। ଏଥିରେ ଆଦିବାସୀମାନେ ହିଁ ନିଜ ନିଜ ହାତରେ ଶାସିତ ହେବ। ସେମାନ‌େ ସେମାନଙ୍କ ଦୁଃଖସୁଖର ସାହାରା ହେବେ। ଆଦିବାସୀଙ୍କୁ ସୀମାରେ ଠିଆ କରି ଯେଉଁ ସୀମା ବିବାଦ କରାଯାଉଛି ତାହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ଏନେଇ ଆନ୍ଧ୍ର ପ୍ରଦେଶ ଆରକୁ ଭ୍ୟାଲିର କଂଗ୍ରେସର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଗଙ୍ଗାଧର ସ୍ବାମୀସେଟ୍ଟୀ କହିଛନ୍ତି ଯେ ଏହି ତିନି ରାଜ୍ୟ ଆଦିବାସୀ ବିଭିନ୍ନ ପ୍ରକଳ୍ପ ଯୋଗୁଁ ଯେଉଁ ଜଙ୍ଗଲ ହରାଇଛନ୍ତି ତାହା ଆଉ ହେବନି। ବିକାଶ ନାଁ ଯେଉଁ ଆଦିବାସୀ ମାରଣନୀତି ଚାଲିଛି ତାହା ଆଉ ଚଳିବନି। ଆଦିବାସୀଟିଏ ନିଜ ନିଜକୁ ଶାସନ କରିବ। ସେ ପୈତୃକ ସମ୍ପତ୍ତି ହରାଇବ ନାହିଁ। ଯେତେବେଳେ ଯାଏ ଏହି ରାଜ୍ୟ ଅବା କେନ୍ଦ୍ର ଶାସିତ ଅଞ୍ଚଳ, ପ୍ରତିଷ୍ଠା ହୋଇନି ସେତେବେଳ ଯାଏ ଆମେ ଚୁପ ବସିବୁନି। କୋରାପୁଟରେ ଲାଗିଥିବା ନିଆଁ ତିପନି ରାଜ୍ୟରେ ରହୁଥିବା ଆଦିବାସୀଙ୍କ ହୃଦୟରେ ଜଳିବ। ଦାବି ପୂରଣ ହେଲେ ଯାଇ ଚୁପ ବସିବୁ ବୋଲି ସେ କହିଛନ୍ତି।

ଏନେଇ କୋରାପୁଟର ପୂର୍ବତନ ଏମପି ଜୟରାମ ପାଙ୍ଗୀ କହିଛନ୍ତି ଯେ ବିକାଶ ଆଳରେ ଆଦିବାସୀଙ୍କୁ ଏହି ତିନି ରାଜ୍ୟର ସରକାର ଲୁଟୁଛନ୍ତି। ସୀମା ବିବାଦର ସମାଧାନ କରିବ‌େ କ’ଣ ଏହାକୁ ନେଇ ରାଜନୀତି ବର୍ଷ ବର୍ଷ ଧରି ଚାଲୁଛି। ଏଥିରେ ଲୋକେ ଯେପରି ଭାବେ ହନ୍ତସନ୍ତ ହେଉଛନ୍ତି ତାହା ଭାଷାରେ ବର୍ଣ୍ଣନାକରି ହେବ ନାହିଁ। ଯେତେବେଳେ ଯାଏ ଏହି ରାଜ୍ୟ ଅବା କେନ୍ଦ୍ର ଶାସିତ ଅଞ୍ଚଳ, ପ୍ରତିଷ୍ଠା ହୋଇନି ସେତେବେଳ ଯାଏ ଆମେ ଚୁପ ବସିବୁନି। ବିଜୁବାବୁଙ୍କ ରାଜନୈତିକ ସମୟରୁ ଏହା ଦାବି ଉଠିଥିଲା। ଏବେ ଏହାକୁ ଶାଣିତ କରିବାକୁ ସମୟ ଆସିଛି ବୋଲି ସେ କହିଛନ୍ତି।

ଏନେଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, ସୀମା ବିବାଦର ସମାଧାନ ହେଉ ନ ଥିବାରୁ ଦଣ୍ଡାକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବି ଦୋହରାଯାଇଛି। ଆଦିବାସୀଙ୍କ ମୌଳିକ ଅଧିକାରକୁ ଏହି ତିନି ରାଜ୍ୟ ସରକାର ତୁରନ୍ତ ପୂରଣ କରାଯାଉ। ଯଦି ଏହି ତିନି ରାଜ୍ୟର ସରକାର ଏହା କରିପାରିବେନି ତେବେ ଦଣ୍ଡକାରଣ୍ୟ ରାଜ୍ୟ ଅବା କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରନ୍ତୁ। ଅତି କମ୍‌ରେ ଲୋକେ ଏହି ବାବାଦରୁ ବାହାରି ଶାନ୍ତିରେ ରହିବେ ବୋଲି ସେ କହିଛନ୍ତି।

କୋରାପୁଟ ଜିଲ୍ଲା ସହ ଆନ୍ଧ୍ର ଓ ଛତିଶକଡରୁ ବହୁ ଆଦିବାସୀ ଏହି ଜେନେରାଲ ବଡି ବୈଠକରେ ଯୋଗ ଦେଇ ରାଜ୍ୟ ଅବା କେନ୍ଦ୍ର ଶାସିତ ଅଞ୍ଚଳ ଦାବି ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର