ରାୟଗଡ଼ା: ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ରହିଛନ୍ତି ରାୟଗଡ଼ା ପୌରସଂସ୍ଥାର ସଫେଇ କର୍ମଚାରୀ। ଫଳରେ ପୌରାଂଚଳର ବିଭିନ୍ନ ୱାର୍ଡରେ କୁଢ଼କୁଢ଼ ଅଳିଆ ଆର୍ବଜନା ମଧ୍ୟରେ ଦିନ କାଟିବାକୁ ପଡୁଛି ୱାର୍ଡବାସୀଙ୍କୁ। ଚଳିତ ବର୍ଷ ପ୍ରାରମ୍ଭରେ ହିଁ ସଫେଇ କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିଛନ୍ତି। ଜାନୁଆରି ୧ତାରିଖରେ ପୈାର ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମଙ୍ଗଳବାର ୨ତାରିଖରେ ପୈାରସଂସ୍ଥା କାର୍ଯ୍ୟାଳୟରୁ ବାହାରି ଜିଲ୍ଳା ଶ୍ରମ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ସରକାରଙ୍କ ନିର୍ଦ୍ଧାରିତ ଦୈନିକ ମଜୁରୀ ସର୍ବନିମ୍ନ ୩୫୨ଟଙ୍କା ପ୍ରଦାନରେ ସେମାନଙ୍କ ପରିବାର ଭରଣପୋଷଣ କରିବା ଏକପ୍ରକାର କଷ୍ଟକର ହୋଇ ପଡ଼ୁଛି। ଏହି ମଜୁରୀ ୪୦୦ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଠିକା ସଂସ୍ଥା ଅଧିନରେ ସଫେଇ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ ଠିକା ସଂସ୍ଥା ଦ୍ୱାରା ସେମାନଙ୍କୁ ବିଭିନ୍ନ ଆଳରେ ଶୋଷଣ କରାଯାଉଥିବା ଅଭିଯୋଗ କରାଯାଇଛି। ନିୟମିତ ଭାବେ ଦରମା ପ୍ରଦାନ ନ କରିବା, ଛୋଟ ଛୋଟ ଭୁଲରେ କାର୍ଯ୍ୟରୁ ଛଟେଇ ଦେବା, ସ୍ୱାସ୍ଥ୍ୟ ସେବା ବିଷୟରେ ନ ବୁଝିବା, କାମ କରିବା ବେଳେ ସୁରକ୍ଷା ସାମଗ୍ରୀ ପ୍ରଦାନ ନ କରୁଥିବାରୁ ଠିକା ସଂସ୍ଥାରେ ସଫେଇ କର୍ମଚାରୀଙ୍କୁ ନିୟୋଜିତ ନ କରାଯାଇ ସିଧାସଳଖ ପୈାର ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବା ଭଳି ଦାବି କରାଯାଇଛି। ଆସନ୍ତା ଜାନୁଆରି ୫ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତେବେ ଝାଡୁ ଛାଡ ଆନ୍ଦୋଳନ କରାଯିବ ବୋଲି ଭାରତୀୟ ମଜୁଦର ସଂଘ ସାଂଗଠନିକ ସଂପାଦକ ଖଗେଶ୍ୱର ସିଂ ପ୍ରକାଶ କରିଛନ୍ତି।
ଅପରପକ୍ଷେ ଦୈନିକ ମଜୁରୀ ବୃଦ୍ଧି କରିବା ତଥା ସ୍ଥାୟୀ ନିଯୁକ୍ତ ଦେବା ନଗର ଉନ୍ନୟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପୌର ପରିଷଦ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ରାୟଗଡ଼ା ପୌର ପରିଷଦ ଅଧିନସ୍ଥ ୨୪ଟି ୱାର୍ଡକୁ ୬ଟି ଜୋନରେ ଭାଗ କରାଯାଇ ୨୪୦ ଜଣ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟ କରାଯାଉଛି। ସଫେଇ କର୍ମଚାରୀଙ୍କ ଦୁଇଟି ଦିନର ଆନ୍ଦୋଳନରେ କୁଢ଼କୁଢ଼ ଅଳିଆ ଆର୍ବଜନା ଉପରେ ରାୟଗଡା ସହରର ଏବେ ପଡ଼ି ରହିଛି। ଫଳରେ ସହରରେ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାରେ ଲାଗିଛି। ନବବର୍ଷ ପାଳନ ଦ୍ୱାରା ସହରର ସମସ୍ତ ଗଳିକନ୍ଦିରେ ଭୋଜିଭାତ ଆସର ସହ ଆତସବାଜୀ କରାଯାଇଥିବାରୁ ଏବେ ସେହି ଅଳିଆଗୁଡିକ ରାସ୍ତାଘାଟରେ ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କଲାଣି। ତୁରନ୍ତ ସଫେଇ କର୍ମଚାରୀଙ୍କ ଦାବି ପୂରଣ କରିବା ନଚେତ ସେମାନଙ୍କ ସହ ଆଲୋଚନା କରାନଗଲେ ଆଗାମୀ ଦିନରେ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ଏଥିରେ ସଂଦେହ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-Municipalty-worker-strike-3.jpg)