ନିଆଳି: ବନ୍ୟା ନିୟନ୍ତ୍ରଣ, ଚାଷ ଜମିରୁ ଜଳ ନିଷ୍କାସନ, ପତିତ ଜମି ଉଦ୍ଧାର ଆଦି ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ, ଅନେକ କ୍ଷେତ୍ରରେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ବିଶେଷ କରି, ବର୍ଷାଜଳ ନିଷ୍କାସନ ନ ହେବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଲାଗି ରହୁଛି। ଏହି କାରଣରୁ ବିଗତ ଦିନରେ ନିଆଳି ବ୍ଲକ୍ର ବିଭିନ୍ନ ସ୍ଥାନରେ ଶହଶହ ହେକ୍ଟର ଚାଷଜମିରେ ଧାନ ଫସଲ ଉଜୁଡ଼ି ଯିବାର ନଜିର ରହିଛି। ସ୍ଲୁଇସ୍ ଗେଟ୍ ମରାମତି ନ ହେବାରୁ ପ୍ରତିବର୍ଷ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହାସତ୍ତ୍ବେ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ନିଆଳି ବ୍ଲକ୍ ଅନ୍ତର୍ଗତ ୨୦ଟି ପଞ୍ଚାୟତର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ବର୍ଷାଜଳ ନିଷ୍କାସନ ପାଇଁ ଦେବୀ-କନ୍ଦଳ ଓ ଶାଖା ତଅଁଳା ନଦୀରେ ସ୍ଲଇସ୍ ଗେଟ୍ ନିର୍ମାଣ କରାଯାଇଛି। ହେଲେ, ସ୍ଲୁଇସ୍ ଗେଟ୍ଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ଉଦ୍ବୃତ୍ତ ଜଳ ନିଷ୍କାସିତ ହୋଇପାରୁ ନାହିଁ। କାଳିଆଘାଇରୁ ବାହାରିଥିବା ଡେଙ୍ଗଯୋର ଅଁଳୋ, ଅଲଣା, ନୂଆଗାଁ, ନିଆଳି ଓ ଜଲ୍ଲାରପୁର ପଞ୍ଚାୟତ ଦେଇ ୨୦ କିମି ପରେ କୂଳଜଲ୍ଲାରପୁର ସ୍ଲୁଇସ୍ ଗେଟ୍ ଦେଇ ତଅଁଳା ନଦୀରେ ପଡ଼ିଛି। ବର୍ଷାଦିନେ ଉକ୍ତ ଯୋରରୁ ବର୍ଷାଜଳ ନିଷ୍କାସନ ଓ ବନ୍ୟାଜଳ ନିୟନ୍ତ୍ରଣ ନିମନ୍ତେ କୂଳଜଲ୍ଲାରପୁରରେ ୪୫ବର୍ଷ ତଳେ ୫ଟି ଫୁକାର୍ ସହ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇଥିଲା। କିନ୍ତୁ, ରକ୍ଷଣାବେକ୍ଷଣ ଅଭାବରୁ ତାହା ନଷ୍ଟ ହୋଇଗଲାଣି। ଏହାର ମରାମତି କରାଯାଉ ନାହିଁ।
ଏ ସମ୍ପର୍କରେ ଚାଷୀମାନେ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା ପ୍ରକାଶ କରିଛନ୍ତି। ସେହିପରି ଦେବୀ ନଦୀର ସାତକାଳିଆରେ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସ୍ଲୁଇସ୍ ଗେଟ୍ ଓ ୫ଟି ଫୁକାର୍ ମଧ୍ୟରୁ ୩ଟି ଫୁକାର୍ ନଷ୍ଟ ହୋଇଯାଇଛି। ଡେଙ୍ଗଯୋର ଭୂଇଁଚୁଆଁ ଯୋର ଦେଇ ପ୍ରବାହିତ ବର୍ଷାଜଳ ଶିଖରଘାଟ ନିକଟ ସ୍ଲୁଇସ୍ ଗେଟ୍ ଦେଇ ତଅଁଳା ନଦୀରେ ପଡ଼ିଛି। ଉକ୍ତ ସ୍ଲୁଇସ୍ ଗେଟ୍ କାର୍ଯ୍ୟ ନିମ୍ନମାନର ଥିବାରୁ ଜଳନିଷ୍କାସନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ୨୨ମୌଜା ଅଞ୍ଚଳ ପ୍ରତି ଉକ୍ତ ସ୍ଲୁଇସ୍ ଗେଟ୍ ଦୁଃଖର କାରଣ ପାଲଟିଛି। ଅନୁରୂପ ଭାବେ ଦେବୀ-କନ୍ଦଳ ଦ୍ବୀପାଞ୍ଚଳ ପାଇଁ ସୁଆଁଲୋ ସ୍ଲୁଇସ୍ ଗେଟ୍ କାଳ ସାଜିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏ ନେଇ ୩୨ ବର୍ଷ ଧରି ଦ୍ବୀପାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। କଣ୍ଟାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ସ୍ଲୁଇସ୍ ଗେଟ୍ ୧୯୮୭ ମସିହାରେ ସୁଆଁଲୋ ନଦୀବନ୍ଧରେ ନିର୍ମାଣ କରାଯାଇଥିଲା। ମରାମତି ଅଭାବରୁ ଗେଟ୍ଟି ନଷ୍ଟ ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଦ୍ବୀପାଞ୍ଚଳର ନାଟୀ-କାଳଖ ଓ ଶଗଡ଼ାଇଲୋରେ ଥିବା ଅନ୍ୟ ୨ଟି ସ୍ଲୁଇସ୍ ଗେଟ୍ ମଧ୍ୟ ନଷ୍ଟ ହୋଇଯାଇଛି। ଏହି ଗେଟ୍ର କବାଟ ଖୋଲୁ ନ ଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ କଙ୍ଗଳ, ସୁଆଁଲୋ, ଶଗଡ଼ାଇଲୋ, ରାଣୀଓଳା, ପଦାତିରା, ପଣ୍ଡାକୂଳ, ଦୀଘି, ଅଳତଳଙ୍ଗ, ପୁଇଚନ୍ଦା, ଅମରପଡ଼ା, ବଛସାଇଲୋ, ନାଟି, ଏକବେରୁଆଁ, ସୁଦାନଗର, ପଳସା, ସିଠାଳୋ ଆଦି ମୌଜାରେ ଥିବା ଶହଶହ ହେକ୍ଟର ଧାନଜମି ମାସମାସ ଧରି ପାଣିରେ ବୁଡ଼ି ରହିବାରୁ ଫସଲ ନଷ୍ଟ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସ୍ଲୁଇସ୍ ଗେଟ୍ଗୁଡ଼ିକୁ ମରାମତି କରିବା ସହ ଚାଷଜମିରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।