ସିନ୍ଥେଟିକ୍‌ ପନୀର୍‌ ଜବତ ଘଟଣାରେ ଜଣଙ୍କୁ ଗିରଫ କଲା କଟକ ଚାଉଳିଆଗଞ୍ଜ ଥାନା ପୁଲିସ

କଟକ: କଟକରେ ସିନ୍ଥେଟିକ୍‌ ପନୀର୍‌ ମିଳିବା ଘଟଣାରେ ଜ‌ଣଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ। ଗତକାଲି ଚାଉଳିଆଗଞ୍ଜ ପୁଲିସ ନକଲି ପନୀର‌ ବ୍ୟବସାୟୀଙ୍କୁ ଠାବ କରିଥିଲା । ବହୁ ପରିମାଣର ନକଲି ବା ଅପମିଶ୍ରିତ ପନୀର୍‌ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଆଜି ଏହି ନକଲି ବା ସିନ୍ଥେଟିକ୍‌ ପନୀର୍‌ ବିଷୟରେ ସମସ୍ତ ତଥ୍ୟ ହାସଲ କରିବା ପରେ ଅଟକ ରଖିଥିବା ବ୍ୟବସାୟୀଜଣଙ୍କୁ ଗିରଫ କରିଛି ପୁଲିସ।

ସୂୂଚନାଅନୁଯାୟୀ, କଟକ ଏବେ ବିଷାକ୍ତ ଖାଦ୍ୟସାମଗ୍ରୀ କାରବାରର ପେଣ୍ଠସ୍ଥଳ ପାଲଟିଛି। ଯେଉଁ ନକଲି ପନୀର୍‌‌ କଲିକତାରୁ କଟକ ସହରକୁ ଚାଲାଣ ହେଉଛି, ସେଥିରେ ମିଶୁଛି ପାଇଖାନା ସଫାରେ ବ୍ୟବହୃତ ସଲ୍‌ଫୁରିକ୍‌ ଏସିଡ୍‌। ବଣିଆ ବି ସୁନା ଅଳଙ୍କାର ସଫା କରିବାକୁ ଏ ପ୍ରକାର ଏସିଡ୍‌ ବ୍ୟବହାର କରିଥାନ୍ତି। ଏସିଡ୍‌ ସହିତ ୟୁରିଆ ସାର ବି ମିଶାଯାଇଥାଏ। ଏସବୁ ମିଶ୍ରଣ ଦ୍ବାର ପନୀର ଶୀଘ୍ର ଫୁଲିବା ସହିତ ନରମ ହେଉଥିବା କୁହାଯାଉଛି। କଲିକତା ବଜାରରୁ କଟକର ଏଜେଣ୍ଟ ଖରିଦ୍‌ କରୁଥିବା ପନୀର‌୍‌ର କେଜି ପିଛା ମୂଲ୍ୟ ମାତ୍ର ୬୦ ଟଙ୍କା ବୋଲି ଜଣାପଡ଼ିଛି। ଏତେ କମ୍‌ ମୂଲ୍ୟରେ କିଣାଯାଉଥିବା ପନୀର‌୍‌ କଟକରେ ୧୫୦ ଟଙ୍କାରେ ବିକ୍ରି କରାଯାଉଛି। ଗ୍ରାହକଙ୍କୁ ଯେଭଳି ସନ୍ଦେହ ନହୁଏ, ସେଥିପାଇଁ କିଛି ଦୋକାନୀ ବି ଏହି ପନୀରକୁ କିଲୋ ପିଛା ୨୨୦ରୁ ୨୪୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର