ବାଙ୍କୀ-ବଡ଼ମ୍ବାର ବରପୁତ୍ର ନୀଳମଣି ବିଦ୍ୟାରତ୍ନ, ଟି-ସେତୁ ନାମକରଣରେ ଦ୍ବିଧା କାହିଁକି?

ବାଙ୍କୀ: ବଡ଼ମ୍ବାରେ ଶିକ୍ଷକତା, ସମ୍ବଲପୁରରେ ସାମ୍ବାଦିକତା ସହ ଓଡ଼ିଆ ଭାଷାର ପୁନରୁଦ୍ଧାର ଓ ବିଚ୍ଛିନ୍ନା‌ଞ୍ଚଳ ଏକତ୍ରୀକରଣ ପାଇଁ ଉଦ୍ୟମ, ଗଞ୍ଜାମରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରଥମ ପ୍ରୟାସ, ପୁରୀରେ ସମାଜ ସଂସ୍କାର ପାଇଁ ପ୍ରୟାସ ସହ ଲେଖନୀ ମାଧ୍ୟମରେ ସମାଜରୁ କୁସଂସ୍କାର ଦୂର କରିବା ଲାଗି ନିର୍ଭୀକ ସ୍ବର ଉତ୍ତୋଳନ କରିଥିଲେ ଓଡ଼ିଶାର ପ୍ରଖ୍ୟାତ ଶିକ୍ଷାବିତ୍‌, ସାମ୍ବାଦିକ, ସାହିତ୍ୟିକ ଓ ସମାଜ ସଂସ୍କାରକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ। ବାଙ୍କୀରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ଏହି ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ରାଜ୍ୟସ୍ତରରେ ପାଳନ କରାଯାଉଛି। ଭୁବନେଶ୍ବରରେ ଏହି ଯୋଗଜନ୍ମାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ହେଲେ, ଜନ୍ମସ୍ଥାନ ବାଙ୍କୀରୁ ପ୍ରଥମ କର୍ମସ୍ଥଳୀ ବଡ଼ମ୍ବାକୁ ସଂ‌ଯୋଗ କରୁଥିବା ଟି-ସେତୁର ନାମକରଣ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ କରିବାକୁ ସରକାରଙ୍କ ଦ୍ବିଧା କାହିଁକି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ସେତୁ ମହାପୁରୁଷମାନଙ୍କ ନାମରେ ନାମିତ କରାଯାଉଛି। ଏପରିସ୍ଥଳେ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ପଣ୍ଡିତ ନୀଳମଣିଙ୍କ ନାମରେ ସେତୁର ନାମକରଣ କରାଯାଉ ନ ଥିବାରୁ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ବାଙ୍କୀ ଉପଖଣ୍ଡ ଅଧୀନ ବୈଦେଶ୍ବର ବ୍ରଜବିହାରୀପୁରଶାସନ (ବର୍ତ୍ତମାନର ମାଳବିହାରପୁରଶାସନ)ରେ ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ ‌ସୌରୀଚରଣ ଓ ରୋହିଣୀ ଦେବୀଙ୍କ କୂଳ ମଣ୍ଡନ କରିଥିଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ (ମିଶ୍ର)। ମାତ୍ର ୧୬ ବର୍ଷ ବୟସରେ ପଡ଼ୋଶୀ ବଡ଼ମ୍ବାର ଗୋପୀନାଥପୁରରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ କବି ପ୍ରତିଭାର ପରିପ୍ରକାଶ ହୋଇଥିଲା। ନୀଳମଣିଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ୧୮୮୫ ମସିହାରେ ବଡ଼ମ୍ବା ରାଜା ଦାଶରଥି ମଙ୍ଗରାଜ ବୀରବର ମହାପାତ୍ରଙ୍କ ପକ୍ଷରୁ ରାଣୀସାହେବା କୁସୁମବତି ତାଙ୍କୁ ବିଦ୍ୟାରତ୍ନ ଉପାଧୀରେ ଭୂଷିତ କରିଥିଲେ। ପରେ ବାମଣ୍ଡା ରାଜା ସୁଢ଼ଳଦେବଙ୍କ ନିମନ୍ତ୍ରଣକ୍ରମେ ସେ ଶିକ୍ଷକତା ସହ ସାପ୍ତାହିକ ପତ୍ରିକା ‘ସମ୍ବଲପୁର ହିତୈଷିଣୀ’ର ସମ୍ପାଦନା ଦାୟିତ୍ବ ନେଇ ଓଡ଼ିଆ ଭାଷାର ପୁନରୁଦ୍ଧାର, ବିଚ୍ଛିନ୍ନା‌ଞ୍ଚଳ ଓଡ଼ିଆ ଭାଷାଭାଷୀ ‌ଅଞ୍ଚଳର ଏକତ୍ରୀକରଣ, ନୂତନ ପ୍ରତିଭାଙ୍କୁ ପତ୍ରିକାରେ ସ୍ବୀକୃତି ପ୍ରଦାନକୁ ପ୍ରାଥମିକତା ଦେଇଥିଲେ।

ଏଥିସହ ଶିକ୍ଷାର ସଂସ୍କାର, କୁସଂସ୍କାର ବିରୋଧୀ ପ୍ରବନ୍ଧ, ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷାର ପୁନଃପ୍ରଚଳନ ପାଇଁ ‘ମାତୃଭାଷା ବିଲୋପ’ ଶୀର୍ଷକ ଅଗ୍ରଲେଖା, ସଚେତନଧର୍ମୀ ସମ୍ପାଦକୀୟ ଦ୍ବାରା ନୀଳମଣି ଅଗଣିତ ଓଡ଼ିଆଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ସମ୍ବଲପୁର ହିତୈଷିଣୀ ମାଧ୍ୟମରେ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶା ଡିଭିଜନ୍‌ ସହ ମିଶ୍ରଣ ଏବଂ ପ୍ରଜାବନ୍ଧୁ ମାଧ୍ୟମରେ ଗଞ୍ଜାମକୁ ଓଡ଼ିଶା ଶାସନରେ ଅନ୍ତର୍ଭୁକ୍ତ କରି ତେଲୁଗୁ ଭାଷା କବଳରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ସେ ଜନମତ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନୀଳମଣିଙ୍କ ଆବାହକତ୍ବରେ ରମ୍ଭା ସମ୍ମିଳନୀ ଓ ୧୯୦୩ରେ ଗଞ୍ଜାମ ସମ୍ମିଳନୀର ଆୟୋଜନ କରାଯିବା ଉତ୍କଳ ସମ୍ମିଳନୀର ମୂଳଦୁଆ ଭାବେ ପରିଗଣିତ ହୋଇଥାଏ। ବିଶିଷ୍ଟ ସମାଜ ସଂସ୍କାରକ ଭାବେ ପୁରୀରେ ପ୍ରଥମ ବିଧବାଶ୍ରମ ପ୍ରତିଷ୍ଠା, ବାଲ୍ୟ ବିବାହ ଓ ଅନ୍ଧ ବିଶ୍ବାସ ବିରୋଧରେ ଲେଖନୀ ମାଧ୍ୟମରେ ସ୍ବର ଉତ୍ତୋଳନ, ଶିକ୍ଷା, ସମସ୍ୟା, ଜ୍ଞାନ ସଂଗ୍ରହ, କୃଷି, ଗୋ-ଚିକିତ୍ସା, ରୋଗ ଓ ପ୍ରତିକାର, ସମାଜ ସଂସ୍କାର, ରାଜନୀତି, ଜୀବନଚର୍ଯ୍ୟା ସହ ଭାଷାଭିତ୍ତିକ ବହୁ ପୁସ୍ତକ ଓ ଗ୍ରନ୍ଥ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ ନୀଳମଣି। ତାଙ୍କ ସ୍ମୃତିରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଜୟନ୍ତୀ ପାଳନ କରାଯାଉଛି। ନୀଳମଣିଙ୍କ ଜନ୍ମମାଟି ଓ କର୍ମକ୍ଷେତ୍ରରେ ନିର୍ମାଣ କରାଯାଇଥିବା ରାଜ୍ୟର ଦୀର୍ଘତମ ବୈଦେଶ୍ବର-ଗୋପୀନାଥପୁର ମହାନଦୀ ସେତୁର ନାମ ତାଙ୍କ ନାମରେ କରାଯାଇପାରିଲେ ଏହି ଯୋଗଜନ୍ମାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହୋଇପାରିବ ବୋଲି ବହୁ ଭାଷାବିତ୍‌ ଓ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ଏ ନେଇ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ମଧ୍ୟ ଉପସ୍ଥାପନ କରାଯାଇଛି। ପ୍ରାୟ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏ ନେଇ ସହମତି ପ୍ରକାଶ କରଯାଇଛି। ହେଲେ, ସେତୁ ପ୍ରତିଷ୍ଠାକୁ ଏକବର୍ଷ ଅତିକ୍ରାନ୍ତ ‌ହୋଇଥିଲେ ମଧ୍ୟ ପଣ୍ଡି ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ ହୋଇ ନ ପାରିବା କ୍ଷୋଭର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର