ଖୋର୍ଦ୍ଧା: ଦୀପାବଳି ପରେ ସ୍କୁଲ ଓ କଲେଜ ଗୁଡ଼ିକରେ ପରବର୍ତୀ ଶ୍ରେଣୀ ଗୁଡ଼ିକ ଖୋଲିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ଆଦି ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ଉପରେ ନିୟନ୍ତ୍ରଣ ପାଇଁ ଧରପଗଡ଼ ଅଭିଯାନ ଆରମ୍ଭ ହେବ। ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକର ବିବରଣୀରୁ ଜଣାଯାଇଛି। ବୈଠକରୁ ମିଳିଥିବା ସୂଚନାନୁସାରେ, ସମନ୍ୱୟ କମିଟି ବୈଠକର ଅଧ୍ୟକ୍ଷତା ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର କରିଥିଲେ। ତମାଖୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଚଢ଼ାଉ ଉପରେ ସେ ଗୁରୁତ୍ୱ ଦେଇଥିଲେ। ସ୍ୱାସ୍ଥ୍ୟାଧିକାରୀ ଡଃ. ପ୍ରଶାନ୍ତ କୁମାର ଦାଶ ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ ଉପରେ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲ୍ଲାସ୍ତରରେ ସମନ୍ୱୟ କମିଟି ଓ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ର ଗଠନ ହୋଇଛି। ଏହାସହ ଜିଲ୍ଲାର ୪୪ଟି ହାଇସ୍କୁଲ ଓ ୨ଟି କଲେଜରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଆଗକୁ ମଧ୍ୟ ଅନ୍ୟ ସ୍କୁଲ ଓ କଲେଜରେ ଏନେଇ ସଚେତନତା କରାଯିବ ବୋଲି ସେ କହିଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ୍ ତମାଖୁ ନିୟନ୍ତ୍ରଣ ପାଇଁ ଚଢ଼ାଉ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍ସିଡି ଯୋଜନାର ସହକାରୀ ପରିଚାଳକ ସୁଦୀପ୍ତ ସେନାପତି ତମାଖୁ ନିୟନ୍ତ୍ରଣ ସମ୍ପର୍କରେ ବୁଝାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପୁଲିସ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ।