ନୂଆବର୍ଷ ଭୋଜିକୁ ବିରୋଧ କରିବାରୁ ଗ୍ରାମରକ୍ଷୀଙ୍କୁ ମାଡ଼ମାରି ଘର ଜାଳିଦେଲେ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗୋଠସାବାଳିଆ ଗ୍ରାମରେ ନୂଆବର୍ଷ ଭୋଜିକୁ ବିରୋଧ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ଗ୍ରାମରକ୍ଷୀଙ୍କୁ ମାଡ଼ ମାରିବା ସହ ତାଙ୍କ ଘର ଜାଳି ଦେଇଛନ୍ତି । ଅଭିଯୁକ୍ତ ଯୁବକମାନଙ୍କ ଆକ୍ରମଣରେ ଭାଗବତ ଗୁରୁତର ଭାବେ ଆହତ ହୋଇଛନ୍ତି । ଭାଗବତଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ପରିବାର ଲୋକ ଭାଗବତଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଖାଲି ସେତିକି ନୁହେଁ ତାଙ୍କ ଘର ଉପରକୁ ମେଣ୍ଟାଲ ଓ ଟେକା ମାଡ଼ କରିଥିଲେ । ଏତିକିରେ ସେମାନଙ୍କ ରାଗ ଥମି ନଥିଲା । ତାଙ୍କର ବଖରାଏ ଝୁମ୍ପୁଡ଼ି ଘର ନିଆଁ ଲଗାଇ ଜାଳି ଦେଇଛନ୍ତି ।

ଏନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ବାଲିଅନ୍ତା ଅଗ୍ନିଶମ ବିଭାଗ ସେବା କର୍ମଚାରୀ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ସେହି ରାତିରେ  ପିସିଆର ଭ୍ୟାନ ପହଞ୍ଚି ତଦନ୍ତ କରିଥିଲା । ଏସଂପର୍କରେ ଭାଗବତ ଆଜି ସକାଳେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ଆଜି ପୂର୍ବାହ୍ନରେ ଫାଣ୍ଡି ଅଧିକାରୀ ଗ୍ରାମରେ ପହଞ୍ଚି ଘଟଣାର ସତ୍ୟତା ନେଇ ଅନୁସନ୍ଧାନ କରିଥିଲେ । ପ୍ରାପ୍ତ ସୂଚନାନୁଯାୟୀ ଗ୍ରାମରକ୍ଷୀ ଓ ସଂପୃକ୍ତ ଯୁବକଙ୍କ ମଧ୍ୟରେ ପୁରୁଣା ବିବାଦ ଲାଗି ରହିଛି । ନୂଆବର୍ଷ ଅବସରରେ ଗତକାଲି ଗ୍ରାମର ୧୦ ଜଣ ଯୁବକ ଭୋଜି କରୁଥିଲେ ।

କମିସନରେଟ ପୁଲିସ ପକ୍ଷରୁ କରଫ୍ୟୁ ବଳବତ୍ତର ଥିବାରୁ ଭାଗବତ ସେମାନଙ୍କୁ ଭୋଜି ନକରିବାକୁ ବିରୋଧ କରିଥିଲେ । ହେଲେ ମଦ ନିଶାରେ ଚୁର ଯୁବକମାନେ ଭୋଜି ବନ୍ଦ କରିବା ପରିବର୍ତ୍ତେ ଗାମରକ୍ଷୀଙ୍କୁ ମିଳିତ ଆକ୍ରମଣ କରିବାରୁ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏହାର କିଛି ସମୟ ପରେ ଯୁବକମାନେ ତାଙ୍କ ଘର ଉପରକୁ ମେଣ୍ଟାଲ ମାଡ଼ କରିଥିଲେ । ଗ୍ରାମରକ୍ଷୀଙ୍କ ପରିବାର ଲୋକ ମଧ୍ୟ ଆହାତ ହୋଇଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳ ପରେ ପରେ  ନିଆଁ ଲଗାଇ ତାଙ୍କର ବଖରାଏ ଚାଳଘର ପୋଡ଼ି ଦେଇଥିଲେ । ଫଳରେ ଘରେ ଥିବା ଧାନ , ଚାଉଳ ଓ ଅନ୍ୟାନ୍ୟ ମୂଲ୍ୟବାନ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ୫୦ ହଜାର ଟଙ୍କାରୁ ଅଧିକ ହେବ । ବଡ଼ କଥା ହେଉଛି ଭାଗବତ ଅଭିଯୋଗ କରିବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ସମ୍ବନ୍ଧିତ ଖବର