ବାଙ୍କୀ: ବାଙ୍କୀରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପରିବା ବଜାର ଓ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ହେଲେ, ପରିବା ବଜାରର ପିଣ୍ଡି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିଲା ବେଳେ ମାର୍କେଟ୍ କମ୍ପ୍ଲେକ୍ସ ଭୂତକୋଠିରେ ପରିଣତ ହୋଇଛି। ଅନ୍ୟପଟେ, ରାସ୍ତା ଅବରୋଧ କରି ପରିବା ଓ ଅନ୍ୟ ବ୍ୟବସାୟ ଯୋଗୁଁ ବାଙ୍କୀରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶଥାଉ କି, ବାଙ୍କୀ ସହର ମଧ୍ୟଦେଇ ଯାଇଥିବା ମୁଖ୍ୟ ରାସ୍ତା ନିକଟରେ ୫୦ରୁ ଅଧିକ ଦୋକାନ ଘର ଓ ଦୈନିକ ପରିବା ବଜାର ରହିଛି। ସେଠାରେ କେବଳ ୧୦-୧୨ଟି ପରିବା ଦୋକାନ ଚାଲୁଥିଲା ବେଳେ ଅନେକ ଗୃହ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। କିଛିବର୍ଷ ତଳେ ଏହି ଦୈନିକ ହାଟର ସୌନ୍ଦର୍ଯ୍ୟକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଉନ୍ନତମାନର ଟାଇଲ୍ ପକାଯାଇଥିଲା। କିନ୍ତୁ, ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅନ୍ୟପଟେ, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବାଙ୍କୀ ଏନ୍ଏସି ଅଧୀନ ୧୨ ନମ୍ବର ୱାର୍ଡର ଶ୍ରୀଚନ୍ଦନପୁରରେ ବହୁ ଅର୍ଥ ବ୍ୟୟ କରାଯାଇ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ଉନ୍ନୟନ ଯୋଜନାରେ ୫୦ଟି ବ୍ୟବସାୟ ଗୃହ, ୩୦ରୁ ଅଧିକ ବୃହତ୍କାୟ ପିଣ୍ଡି ସହ ସୁଦୃଶ୍ୟ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ୨୦୦୩ ଜୁଲାଇ ୧୯ ତାରିଖରେ ଏହାର ଉଦ୍ଘାଟନ ହୋଇଥିଲା। ଇତି ମଧ୍ୟରେ ୧୮ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିଲା ବେଳେ ସେଠାରେ ନାମକୁ ମାତ୍ର ସପ୍ତାହର ଦୁଇଦିନ କିଛି ଘଣ୍ଟା ପାଇଁ ହାଟ ବସୁଥିବା ଦେଖିବାକୁ ମିଳିଛି। ବ୍ୟବହାର ନ ହେବାରୁ ଲକ୍ଷାଧିକ ଟଙ୍କାର ଦୋକାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଛି। କେତେକ ଗୃହ ଓ ପିଣ୍ଡି ଜବରଦଖଲରେ ରହିଥିଲା ବେଳେ ଅନ୍ୟ ସ୍ଥାନ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି।
ଏଠାରେ ୩୦ରୁ ଅଧିକ ବୃହତ୍କାୟ ପିଣ୍ଡି ଖାଲି ପଡ଼ିଥିଲା ବେଳେ ରାସ୍ତା ଅବରୋଧ କରି ବ୍ୟବସାୟ କରାଯାଉଥିବାରୁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ବାଙ୍କୀ ସହର ମଧ୍ୟଦେଇ କଟକ-ବାଙ୍କୀ ଓ ବାଙ୍କୀ-ଖୋର୍ଦ୍ଧା ମୁଖ୍ୟରାସ୍ତାର ପାର୍କିଂ ସ୍ଥାନକୁ ବିନା ଦ୍ବିଧାରେ ଅବରୋଧ କରି ବ୍ୟବସାୟ କରାଯାଉଛି। ଏହା ଏବେ ପ୍ରମୁଖ ସମସ୍ୟା ପାଲଟିଛି। ଏଠାରେ ଗାଡ଼ି ପାର୍କିଂକୁ ନେଇ ଚାଳକ ଓ ଉଠା ଦୋକାନୀଙ୍କ ମଧ୍ୟରେ ବଚସା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମୁଖ୍ୟ ରାସ୍ତାର ପାର୍କିଂ ସ୍ଥାନ ଅବରୋଧ କରି ଉଭୟ ପାର୍ଶ୍ବରେ ଅସ୍ଥାୟୀ ପରିବା ବ୍ୟବସାୟ ଚାଲୁଥିବାରୁ ଲୋକମାନେ ଗାଡ଼ି ରଖିବାକୁ ଜାଗା ପାଉ ନାହାନ୍ତି। ପାର୍କିଂ ସ୍ଥାନ ଅଭାବରୁ ରାସ୍ତାରେ ଗାଡ଼ି ରଖିଲେ ପୁଲିସ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି। ଏଥିଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଥିସହ ବାଙ୍କୀ ସହରାଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥା ଦିନକୁ ଦିନ ଗୁରୁତର ହେଉଥିବା ସାଧାରଣରେ ଅଭିଯୋଗ କରାଯାଇଛି। ରାଜ୍ୟରେ ପରିବା ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବାଙ୍କୀର ପରିବା ବଜାରକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ବ୍ୟବହାର କରା ନ ଯିବା କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/TRAFFIC-1_6.jpg)